ସ୍ବପ୍ନ ସହ କେବେ ସାଲିସ୍ କରନାହିଁ: ମୁଖ୍ୟମନ୍ତ୍ରୀ

ଶୈଳବାଳା ମହିଳା କଲେଜ ଛାତ୍ରୀନିବାସ ଉଦ୍‌ଘାଟିତ

କଟକ : ଜୀବନରେ ବଡ଼ ସ୍ବପ୍ନ ଦେଖ। ସ୍ବପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କର। ସ୍ବପ୍ନ ସହ କୌଣସି ପରିସ୍ଥିତିରେ ସାଲିସ୍ କରନାହିଁ। ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ନୂତନ ଛାତ୍ରୀନିବାସର‌ ଲୋକାର୍ପଣ ଓ ନୂତନ ଏକାଡେମିକ୍ ବ୍ଲକ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରି ଛାତ୍ରୀମାନଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଭାସୀ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ‌ଯେ ଐତିହାସିକ ଶୈଳବାଳା ମହିଳା କଲେଜକୁ ଦେଶର ଏକ ପ୍ରମୁଖ ଶିକ୍ଷାୟତନରେ ପରିଣତ କରିବାକୁ ରାଜ୍ୟ ସରକାର ଆନ୍ତରିକ ଉଦ୍ୟମ ଜାରି ରଖିଛନ୍ତି। କଲେଜ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ମେୟର୍‌ ସୁବାସ ଚନ୍ଦ୍ର ସିଂହ, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ‌ଶ୍ବେତା ସ୍ନିଗ୍ଧା ମିଶ୍ର, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ, ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ଯୋଗଦେଇ ଓଡ଼ିଶାରେ ନାରୀ ଶିକ୍ଷାର ପ୍ରଗତି କ୍ଷେତ୍ରରେ ଶୈଳବାଳା କଲେଜର ଅବଦାନ ସଂପର୍କରେ କହିଥିଲେ। କଲେଜର ଅଧ୍ୟକ୍ଷା ପ୍ରଫେସର ଡକ୍ଟର ଗାୟତ୍ରୀ ବିଶ୍ବାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ।

ଏହି ଅବସରରେ କଲେଜର ଅତୀତ ଓ ବର୍ତ୍ତମାନକୁ ନେଇ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଉଦ୍‌ଘାଟନୀ ପର୍ବ ପରେ ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ-ଗୀତ ପରିବେଷଣ କରାଯାଇଥିଲା। ଡକ୍ଟର ଦୀପ୍ତି ପଣ୍ଡା, ଡକ୍ଟର ମୌସୁମୀ ପଟ୍ଟନାୟକ, ଡକ୍ଟର ପ୍ରୀତିପ୍ରଜ୍ଞା ରାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁଜ୍ଞାନୀ କୁମାରୀ ସାହୁ, ସୋମାନୀ ଜେଠୀ, ସୋନାଲି ଦତ୍ତ, ସ୍ବର୍ଣ୍ଣଲତା ନନ୍ଦ ସାଂସ୍କୃତିକ ଉତ୍ସବ ପରିଚାଳନା କରିଥିଲେ। ବିକାଶ ଦାସ, ପ୍ରଶାନ୍ତ ସାମନ୍ତରାୟ, ବିଶ୍ବଦାସ ମହାନ୍ତି, କୃ‌ଷ୍ଣଚନ୍ଦ୍ର ସ୍ବାଇଁ, ସୁରେଶ ନାୟକ, ଇନ୍ଦୁରେଖା ମହାପାତ୍ର, ଯୋଗମାୟା ପଣ୍ଡା, ଚିନ୍ମୟୀ ମଲ୍ଲିକ, ପଦ୍ମଜା ଜଗତୀ, ଆରାଧନା ନାୟକ, ସୂର୍ଯ୍ୟକାନ୍ତ ବରାଳ ପ୍ରମୁଖ ଉତ୍ସବର ସଫଳତାରେ ସହାୟତା କରିଥିଲେ। ସୂଚନାଯୋଗ୍ୟ, ୧୦ ‌କୋଟି ଟଙ୍କା ବିନିମୟରେ ନିର୍ମିତ ନୂଆ ଛାତ୍ରୀନିବାସରେ ୪ଶହ ଛାତ୍ରୀ ରହିପାରିବେ। ଏହାର ନିର୍ମାଣ ୨୦୧୯ ମାର୍ଚ୍ଚରେ ଆରମ୍ଭ ହୋଇଥିଲା। ‌ସେହିପରି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବହୁତଳ (ଆଠ ମହଲା) ବିଶିଷ୍ଟ ଆଡ୍‌ମିନ୍‌ଷ୍ଟ୍ରେଟିଭ୍ ଆଣ୍ଡ୍‌ ଏକାଡେମିକ୍ ବ୍ଲକ୍‌ର ନିର୍ମାଣ ଖର୍ଚ୍ଚ ୩୫.୨୨କୋଟି ଟଙ୍କା ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର