ମୁମ୍ବାଇ: ଏବେ ବଲିଉଡ଼ର ଲୋକପ୍ରିୟ ନାୟିକ ସଲମାନ୍ ଖାନ୍ ତାଙ୍କର ନୂଆ ସିନେମା ‘ରେସ୍ -୩’ର ପ୍ରମୋସନରେ ଲାଗିଛନ୍ତି । ସେ କେତେବେଳେ ସାକ୍ଷାତକାର ଦେଉଛନ୍ତି ତ ପୁଣି କେଉଁ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ନିକଟରେ ସଲମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ସଲମାନ୍ ଖାନ୍‘ ରେସ୍-୩’ ସଂପର୍କୀତ କେତେକ ରୋଚକ ତଥ୍ୟ ସାମ୍ବାଦିକମାନଙ୍କୁ ଦେଇଥିଲେ । ତା’ଛଡ଼ା ଏହି ଫିଲ୍ମ ସଂପର୍କରେ ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ସାମ୍ବାଦିକ ହଠାତ୍ ସଲମାନ୍ ଖାନ୍ଙ୍କୁ ଏକ ପ୍ରଶ୍ନ କରିଥିଲେ ।
ଏହାକୁ ଶୁଣି ସଲମାନ୍ ଖାନ୍ ଟିକେ ବିଚଳିତ ହୋଇ ଉଠିଥିଲେ । ସାମ୍ବାଦିକଙ୍କର ପ୍ରଶ୍ନ ଥିଲା ଯେ କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲ୍ ଯିବାକୁ ସଲମାନ୍ ଖାନ୍ ଭୟ କରୁଥିଲେ କି? ଏହାର ଉତ୍ତରରେ ସଲମାନ୍ ଖାନ୍ କହିଥିଲେ ଯେ ତାଙ୍କୁ ଜେଲ୍ ଯିବାର ଭୟ ଅପେକ୍ଷା ଅନ୍ୟ ଏକ କଥା ପାଇଁ ଅଧିକ ଭୟ ଲାଗୁଥିଲା ତାହା ହେଲା ଯଦି ତାଙ୍କୁ ଜେଲ ଦଣ୍ଡାଦେଶ ହେବ, ତେବେ ତାଙ୍କ ପାଇଁ ଲାଗିଥିବା କୋଟି କୋଟି ଟଙ୍କାର କ’ଣ ହେବ । ଯେଉଁ ନିର୍ମାତାମାନେ ଏତେ ଟଙ୍କା ବିନିଯୋଗ କରିଛନ୍ତି, ସେମାନଙ୍କର କ’ଣ ହେବ? ଏହା ପରେ ସଲମାନ କହିଥିଲେ କି ଆପଣଙ୍କୁ କ’ଣ ଲାଗୁଥିଲା ଯେ ମୁଁ ସବୁଦିନ ପାଇଁ ଜେଲ୍ ଚାଲି ଯାଇଥାନ୍ତି? ସାମ୍ବାଦିକ ଜଣଙ୍କ କହିଲେ,ନା । ଏହା ପରେ ସଲମାନ ତାଙ୍କୁ ଧନ୍ୟବାଦ୍ କହିଥିଲେ । ତା’ଛଡ଼ା ଜେଲ୍ ଯିବାକୁ ମଧ୍ୟ ବହୁତ ଡ଼ରୁଥିଲେ ବୋଲି ସ୍ୱୀକାର କରିଥିଲେ ସଲମାନ ଖାନ୍ ।