୩୦ କୋଟିର ଚୋରା ବାଲି ଚାଲାଣ: ଅସଲ କାର୍ପଟଦାର ନେତା ଓ ବଡ଼ବଡ଼ ଅଧିକାରୀ!

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବୁଢ଼ାବଳଙ୍ଗ, ସୋନ, କତରା ଆଦି ନଦୀପଠାରୁ ବେଆଇନ ବାଲି ଚାଲାଣ ରୋକିପାରୁନି ପ୍ରଶାସନ। ଏନ୍‌ଜିଟି ରିପୋର୍ଟ ଅନୁଯାୟୀ କେବଳ ବୁଢ଼ାବଳଙ୍ଗ ନଦୀର ୩ଟି ଘାଟରୁ ୩୦ କୋଟିରୁ ଅଧିକ ଟଙ୍କାର ବାଲି ଚାଲାଣ ହୋଇଛି। ବଡ଼ସାହି ତହସିଲ ଅଞ୍ଚଳରୁ ବାଲି ଚାଲାଣ ଅଭିଯୋଗରେ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣୀ ଗିରଫ ହୋଇ ଜେଲ୍‌ ହାଜତରେ ଅଛନ୍ତି। ତହସିଲଦାର ମମତାଜ ମହାରଣା ଚାକିରିରୁ ନିଲମ୍ବନ ହୋଇଥିବା ବେଳେ ତାଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ ହୋଇଛି। ତେବେ ମାମଲା ରୁଜୁ ହେବା ପରଠାରୁ ଫେରାର୍‌ ହୋଇଯାଇଛନ୍ତି ଶ୍ରୀମତୀ ମହାରଣା। ଜଣେ ପ୍ରଶାସନିକ ଅଧିକାରିଣୀ କଣ ପବନରେ ମିଳେଇ ଗଲେ ‌ଯେ ମାସେ ହେଲା ପୁଲିସ ତାଙ୍କୁ ଧରିପାରୁନି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ସବୁଠାରୁ ବଡ଼ପ୍ରଶ୍ନ ହେଲା; ଏହି ଚୋରା ଚାଲାଣରେ କଣ କେବଳ ଲିଜ୍‌ଧାରୀ ଓ ତହସିଲଦାଙ୍କ ସମ୍ପୃକ୍ତ ଥିଲା। ବାଲି ମାଫିଆଙ୍କୁ ସୁରକ୍ଷା ଦେଉଥିବା ନେତା, ଗାଡ଼ି ଛାଡ଼ି ଦେବା ପାଇଁ ମାଫିଆଙ୍କ ପାଖରୁ ମାସିକିଆ ଟଙ୍କା ନେଉଥିବା ପୁଲିସ ଓ ମୋଟା ଅଙ୍କର ପିସି ନେଇ ପକେଟ ଗରମ କରିଥିବା ବଡ଼ ଅଧିକାରୀଙ୍କୁ ଧରିବ କିଏ। ସେମାନଙ୍କୁ ତଦନ୍ତ ପରିସରକୁ କାହିଁକି ଅଣାଯାଉନାହିଁ। ଜାଣିଶୁଣି ସେମାନଙ୍କୁ ସୁରକ୍ଷା ଦିଆଯାଉଛି କି? ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ସରକାର ଓ ପ୍ରଶାସନର ନିରପେକ୍ଷ ତଦନ୍ତ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତଳୁ ଉପର ସମସ୍ତଙ୍କ ସଲାସୁତରାରେ ବାଲି ଚୋରା ଚାଲାଣ ହେଉଥିଲା ଓ ଏବେ ବି ଚାଲିଛି। ୩୦ କୋଟି ନୁହେଁ ବରଂ ୧୦୦ କୋଟିର ଅଧିକ ଟଙ୍କାର ରାଜସ୍ବ କ୍ଷତି ହୋଇଛି। ତେବେ ଏସବୁ କାମ କେବଳ ଲିଜ୍‌ଧାରୀ କି ତହସିଲଦାରଙ୍କ ଦ୍ବାରା ସମ୍ଭବ ନୁହେଁ। ନେତା, ଅଧିକାରୀ ଓ ପୁଲିସର ସହଯୋଗ ବିନା କୋଟିକୋଟି ଟଙ୍କାର ରାଜସ୍ବ ଲୁଟ୍‌ ସମ୍ଭବ ନୁହେଁ ବୋଲି ସିଧାସଳଖ ଆରୋପ ଲଗାଇଛନ୍ତି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା। ତେଣୁ ଏମାନଙ୍କୁ ତଦନ୍ତ ପରିସରକୁ ଅଣାଯିବା ସହ ଫୌଜଦାରୀ ମାମଲା ରୁଜୁ ହେବା ଦରକାର ବୋଲି ସେ କହିଛନ୍ତି।

ବାଲି ଚାଲାଣ ମାମଲା ଏନ୍‌ଜିଟି ପାଖରେ ପହଞ୍ଚିବା ପରେ ନେତା, ପୁଲିସ ଓ ବଡ଼ ଅଧିକାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଥିଲା। କିଛି ନେତାଙ୍କ ଘରେ ଘନଘନ ବୈଠକ ବସିଥିଲା। ବଡ଼ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଇ ୪-୫ ଦିନ ଧରି କାର୍ଯ୍ୟାଳୟ ଆସିନଥିଲେ। କିଛି ପୁଲିସ ଅଧିକାରୀ ଓ କନେଷ୍ଟବଳ ବି ଲମ୍ବା ଛୁଟିରେ ପଳାଇ ଯାଇଥିଲେ। ଏହି ଘଟଣାରୁ ବାଲି ଚୋରା ଚାଲାଣ ମାମଲାରେ ଯେ ଏମାନେ ସଂପୃକ୍ତ ଥିଲେ ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି। ତେଣୁ ଏହି ମାମଲାର ପ୍ରଚ୍ଛଦପଟ୍ଟ ଖଳନାୟକଙ୍କୁ ‌ଖୋଜି ବାହାର କରିବା ଉଚିତ୍ ବୋଲି କହିଛନ୍ତି ପରିବେଶବିତ୍ ବିବେକାନନ୍ଦ ପଟ୍ଟନାୟକ। ଜିଲ୍ଲା ପ୍ରଶାସନ ହାତରୁ ତଦନ୍ତ ଭାର ଆଣି ନିରପେକ୍ଷ ସଂସ୍ଥା ଦ୍ବାରା ତଦନ୍ତ କରିବା ସହ ୫-ଟି ବିଭାଗ ଏଥିରେ ହସ୍ତକ୍ଷେପ କରୁ ବୋଲି ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ; ବଡ଼ସାହି ତହସିଲ ଅଧୀନ ବୁଢାବଳଙ୍ଗ ନଦୀର ଆରପଟା, ଡିଙ୍ଗିରା ଓ ମହୁପୁରା ବାଲଇଘାଟରୁ ଲିଜ୍‌ ଅବଧି ଶେଷ ପରେ ବେଆଇନ ଭାବେ ୩୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରାଜସ୍ବ କ୍ଷତି ହୋଇଛି। ଆରପଟା ଓ ଡିଙ୍ଗିରା ବାଲିଘାଟ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣୀ ଏହି ମାମଲାରେ ଜେଲ୍‌ରେ ଥିବାବେଳେ ମହୁପରା ଘାଟର ଲିଜ୍‌ଧାରୀ କୃପାସିନ୍ଧୁ ସିଂ ମଧ୍ୟ ଖୁବ୍ ଶୀଘ୍ର ଗିରଫ ହେବେ ବୋଲି କୁହାଯାଇଛି। ତେବେ ପ୍ରଦୀପ ଓ କୃପାସିନ୍ଧୁଙ୍କ ନାଁରେ ସିନା ଟେଣ୍ଡର ହୋଇଛି, ଅସଲରେ ସେମାନଙ୍କୁ ମୋହରା କରି ବଡ଼ବଡ଼ିଆମାନେ ମୋଟାଅଙ୍କର ଟଙ୍କା ଆଦାୟ କରିଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର