ଲକ୍‌ଡାଉନ୍‌ରେ ସାବିତ୍ରୀ ବ୍ରତ: କଟକଣା ସତ୍ତ୍ବେ ଭିଡ଼, ଘଉଡ଼ାଇଲା ପୁଲିସ

ୟୁନିଟ-୧ ଫଳ ବଜାରରେ ଚଢ଼ଉ: ଅମାନିଆଙ୍କୁ ଜରିମାନା

ପୁରୁଣା ଭୁବନେଶ୍ୱର: ଆଜି ଥିଲା ପବିତ୍ର ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି। ହିନ୍ଦୁ ଧର୍ମ‌ରେ ଏହି ପବିତ୍ର ତିଥିକୁ ସାବିତ୍ରୀ ଅମାବାସ୍ୟା ତଥା ସାବିତ୍ରୀ ବ୍ରତ ଭାବେ ପାଳନ କରାଯାଏ। ମଥାରେ ନାଲି ସିନ୍ଦୂର, ପାଦରେ ଅଳତା, ହାତରେ ଶଙ୍ଖା ଓ ରଙ୍ଗବେରଙ୍ଗ ଶାଢ଼ିରେ ସଜ୍ଜିତ ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଭଗବାନଙ୍କୁ ପ୍ରାର୍ଥନା କରିଥା’ନ୍ତି। କିନ୍ତୁ ୨ ବର୍ଷ ହେଲା କରୋନା ଏଥିରେ ଅନ୍ତରାୟ ସାଜିଛି। ଗତବର୍ଷ କୋଭିଡ୍‌ର ପ୍ରଥମ ଲହର ଜାରି ରହିଥିବାରୁ ମନ୍ଦିର ବନ୍ଦ ରହିଥିଲା। ଏବର୍ଷ ମଧ୍ୟ ସମାନ ଅବସ୍ଥା ଦେଖାଦେଇଛି। କିନ୍ତୁ ଲକ୍‌ଡାଉନ୍‌ ସତ୍ତ୍ବେ ରାଜଧାନୀର ବିଭିନ୍ନ ମନ୍ଦିର ଆଗରେ ମହିଳାଙ୍କ ଭିଡ଼ ଜମିଥିଲା।‌ ପୁରୁଣା ଭୁବନେଶ୍ୱରରେ ଥିବା ଶ୍ରୀଲିଙ୍ଗରାଜ ମନ୍ଦିର, ଗୌରୀମନ୍ଦିର, ଭୀମେଶ୍ବର ମନ୍ଦିର, ମଙ୍ଗଳା ମନ୍ଦିର, କପିଳନାଥ ମନ୍ଦିର ଆଦି ବହୁ ମନ୍ଦିର ସିଂହଦ୍ବାର ନିକଟ‌ରେ ବି ବହୁ ମହିଳାଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ସେବାୟତମାନେ ମହିଳାଙ୍କୁ ମନ୍ଦିରକୁ ପ୍ରବେଶ ନ କରାଇ ସେମାନଙ୍କ ଭୋଗଥାଳି ପୂଜା କରାଇଥିଲେ।

ସେହିପରି ରାଜଧାନୀର କିଛି କିଛି ମନ୍ଦିରରେ ଲୁଚାଛପାରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଥିବା ପରିଲକ୍ଷିତ ହୋଇଥିଲା। ବାହାରୁ ମନ୍ଦିର ତାଲା ପଡ଼ିଥିଲେ ହେଁ ପଛ ବାଟ ଦେଇ ମହିଳାମାନେ ଭିତରକୁ ପ୍ରବେଶ କରିଥିଲେ। ଆଉ ବାହା‌‌ରେ ସ୍ବାମୀମାନେ ପୁଲିସକୁ ଜଗି ରହିଥିଲେ। ଜୟଦେବବିହାର, ଆଚାର୍ଯ୍ୟବିହାର, ୟୁନିଟ୍‌-୮, ପୁରୁଣା ଭୁବନେଶ୍ବର, ଚନ୍ଦ୍ରଶେଖରପୁର ଓ ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ‌ତେବେ କିଛି କିଛି ମହିଳା ସରକାରଙ୍କ କଟକଣାକୁ ମାନି ଘରେ ଓ କଲୋନିରେ ଏକତ୍ରିତ ହୋଇ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରଖି ବ୍ରତ ପାଳନ କରିଥିବା ପରିଲକ୍ଷିତ ହୋଇଥିଲା।

ଘଉଡ଼ାଇଲା ପୁଲିସ
ପୁରୁଣା ଭୁବନେଶ୍ୱରରେ ଥିବା ଗୌରୀ ମନ୍ଦିର, ବରୁଣେଶ୍ବର, ସୂକ୍ଷ୍ମେଶ୍ବର, ଭୁଆଶୁଣି, ବୈତାଳୀ ମନ୍ଦିର, ଭୀମେଶ୍ବର, ମଙ୍ଗଳା ମନ୍ଦିର ସମେତ ରାଜଧାନୀର ଅନ୍ୟ ବହୁ ମନ୍ଦିରରେ ମହିଳାମାନଙ୍କ ଭିଡ଼ ଜମିଥିଲା। ମହିଳାମାନେ ମନ୍ଦିର ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହା ଦେଖି ପୁଲିସ ସେମାନଙ୍କୁ ଘଉଡ଼ାଇଥିଲା। କିନ୍ତୁ ପୁଲିସ ଗାଡ଼ି ଚାଲିଯିବା ପରେ ପୁଣି ମହିଳାଙ୍କ ଭିଡ଼ ଜମୁଥିଲା।
ଅବଢ଼ା ପାଇଁ ଭିଡ଼
ସାବିତ୍ରୀ ପୂଜା ପରେ ବହୁ ମହିଳା ମହାପ୍ରସାଦ ଖାଇଥା’ନ୍ତି। ଏଥିପାଇଁ ଆଜି ବାସୁଦେବ ମନ୍ଦିର ସମ୍ମୁଖରେ ଭିଡ଼ ଦେଖିବାକୁ ମିଳିଥିଲା। ଅବଢ଼ା ପାଇଁ ଗ୍ରାହକଙ୍କ ମଧ୍ୟରେ ମଧ୍ୟ ପ୍ରତିଯୋଗିତା ଚାଲିଥିଲା। କେବଳ ଅବଢ଼ା ବିକ୍ରି ହୋଇଥିବା ବେଳେ କାହାରିକୁ ସେଠାରେ ବସି ଖାଇବା କିମ୍ବା ମନ୍ଦିର ଭିତରକୁ ପ୍ରବେଶ କରାଇ ଦିଆଯାଇନଥିଲା। ସାଧାରଣତଃ ଏହି ଦିନରେ ଲକ୍ଷାଧିକ ଟଙ୍କାର ଅବଢ଼ା ବିକ୍ରି ହୁଏ। କିନ୍ତୁ ଚଳିତ ବର୍ଷ କମ୍‌ ପରିମାଣରେ ଅବଢ଼ା ବିକ୍ରି ହୋଇଥିବା କୁହାଯାଇଛି।

ୟୁନିଟ-୧ ଫଳ ବଜାରରେ ଚଢ଼ଉ: ଅମାନିଆଙ୍କୁ ଜରିମାନା

ଭୁବନେଶ୍ବର: ସାବିତ୍ରୀ ଉପଲକ୍ଷେ ଆଜି ସକାଳୁ ସକାଳୁ ରାଜଧାନୀର ବିଭିନ୍ନ ଫଳ ଦୋକାନରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବିଶେଷକରି ରାଜମହଲରୁ ଏଜି ଛକ ମଧ୍ୟରେ ଥିବା ୟୁନିଟ୍‌-୧ ଫଳ ବଜାରରେ ଲୋକେ ଭିଡ଼ ଜମାଇବା ସହ କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିଲେ। ତେଣୁ କମିସନରେଟ୍ ପୁଲିସର ସ୍ପେସାଲ ଡ୍ରାଇଭ୍ କାର୍ଯ୍ୟାନୁଷ୍ଠାନସ୍ବରୂପ ଫଳ ବଜାର ଉପରେ ଚଢ଼ଉ କରାଯିବା ସହ ନିୟମ ମାନୁ ନଥିବା ବ୍ୟବସାୟୀ ଓ ଲୋକଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। ବାଇକ୍‌ ଆଣି ଫଳ କିଣିବାକୁ ଆସିଥିବା ୩୦ରୁ ଅଧିକ ଅମାନିଆ ଜରିମାନା ଦେଇଥିଲେ। ଏହାସହ କଟକଣାକୁ କଡ଼ାକଡ଼ି କରିବା ପାଇଁ ରାଜମହଲ ଓ ଏଜି ଛକରେ ୨ ପ୍ଲାଟୁନ୍‌ ପୁଲିସ୍‌ ମୁତୟନ କରାଯାଇଥିଲା। ଏ ସଂପର୍କରେ ଜଣେ ଫଳ ଦୋକାନୀ କ୍ଷୋଭର ସହ କହିଛନ୍ତି, ଲକ୍‌ଡାଉନ୍‌ ପାଇଁ ତାଙ୍କ ବେପାର ପୂରା ବନ୍ଦ ହୋଇଯାଇଥିଲା। ସାବିତ୍ରୀ ପାଇଁ ଯାହା ଟିକେ ବେପାର ହୋଇଆସିବା ବେଳକୁ ପୁଲିସ ତାଙ୍କଠାରୁ ଜରିମାନା ଆଦାୟ କରିଛି। ଫଳରେ ଫଳ ବିକି ଦୁଇ ଦିନରେ ଯାହା ବି ଲାଭ ହୋଇଥିଲା, ସବୁ ଜରିମାନାରେ ଚାଲିଗଲା।

ସମ୍ବନ୍ଧିତ ଖବର