ଗରଦପୁର: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌ ପାଟକୁରା ଥାନା ନୂଆପଡ଼ା ବଜାରରେ ଗତକାଲି ସନ୍ଧ୍ୟାରେ ଗ୍ୟାଙ୍ଗଷ୍ଟର ଟିଟୋ ସହଯୋଗୀ ସାର୍ପସୁଟର ବିଭୁ ଓ ପ୍ରଶାନ୍ତ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏହି ଘଟଣାରେ ପୁଲିସ ପ୍ରଶାନ୍ତ ଗୋଷ୍ଠୀର ୪ ଜଣଙ୍କୁ ଗତକାଲି ରାତିରୁ ଥାନାରେ ଅଟକ ରଖିଛି। ବିଭୁ ଓ ତା’ ଭାଇ ପ୍ରଭାତକୁ ପଚରାଉଚରା ପାଇଁ ପାଟକୁରା ପୁଲିସ କଟକ ଯାଇଥିବା ସୂଚନା ମିଳିଛି।

Advertisment

ଏପଟେ ଆଜି ସାର୍ପସୁଟର ବିଭୁର ବଡ଼ଭାଇ ଦୀପୁ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା(ନଂ.୪୯୮/୨୧) ରୁଜୁ କରି ତଦନ୍ତ ଚଳାଇଛି। ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରୁ ରକ୍ତ ନମୁନା ଓ ମାଟି ସଂଗ୍ରହ କରିଥିବା ବେଳେ ପୁଲିସ ବ୍ୟବହୃତ କାର୍‌, ହଳେ ଚପଲ, ଠେଙ୍ଗାବାଡ଼ିର ଟୁକୁଡ଼ା ଅଂଶ ଜବତ କରିଛି। ବଜାରର କେତେକ ସ୍ଥାନରେ ଲାଗିଥିବା‌ ସିସିଟିଭି ଫୁଟେଜ୍‌ ବି ଯାଞ୍ଚ କରିଛି। ତଦନ୍ତରେ ବାଧା ସୃ୍‌ଷ୍ଟି ହେବା ଆଶଙ୍କାରେ ପୁଲିସ ଘଟଣା ସମ୍ପର୍କରେ ମୁହଁ ଖୋଲୁ ନାହିଁ। ଅନ୍ୟପଟେ ବିଭୁ, ତା’ ଭାଇ ପ୍ରଭାତ ଓ ସେମାନଙ୍କ କାର୍‌ଚାଳକ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଗତକାଲି ରାତିରୁ ନୂଆପଡା ବଜାରରେ ଥିବା ଦୋକାନଗୁଡିକ ବନ୍ଦ ରହିଛି। ଆଜି ସାପ୍ତାହିକ ହାଟ ଥିଲେ ମଧ୍ୟ ବହୁ ଦୋକାନ ଖୋଲା ନ ଥିବା ଦେଖିବାକୁ ମିଳିଥିଲା।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସାର୍ପସୁଟର ବିଭୁ ଓ ତା’ ଭାଇ ପ୍ରଭାତ ଏକ କାର୍‌ରେ ନୂଆପଡ଼ା ବଜାରକୁ ଆସୁଥିବା ବେଳେ ତାଳସଙ୍ଗା ଛକରେ ସେମାନେ ପ୍ରଶାନ୍ତ ବେହେରାକୁ ଆକ୍ରମଣ କରିଥିଲେ। ପ୍ରଶାନ୍ତର ବାଇକ୍‌ ଭଙ୍ଗାରୁଜା କରି ନଦୀବନ୍ଧ ତଳକୁ ଫିଙ୍ଗି ଦେଇଥିଲେ। ଏହାର କିଛି ସମୟ ପରେ ପ୍ରଶାନ୍ତ ନିଜର ୫/୬ଜଣ ସହଯୋଗୀଙ୍କ ସହ ନୂଆପଡ଼ା ବଜାରର ମୁଖ୍ୟ ଛକ ନିକଟରେ ଥିବା ମାଛ ଗଦି ନିକଟରେ ବିଭୁ, ପ୍ରଭାତ ଓ କାର୍‌ଚାଳକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ବିଭୁ ଓ ତା’ ଭାଇ ପ୍ରଭାତଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ କାର୍‌ଚାଳକ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଗାଡ଼ି ଧରି ଖସି ପଳାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।