ଆଉ ଏକ ତାଜମହଲ, ଆଉ ଜଣେ ଶାହାଜାହନ: ଭିଡିଓ ଦେଖି ଜାଣନ୍ତୁ ପୂରା କାହାଣୀ

ନୂଆଦିଲ୍ଲୀ: ପ୍ରେମ ଓ ଭଲ ପାଇବାର ପ୍ରତୀକ ତାଜମହଲ । ପତ୍ନୀ ମମତାଜଙ୍କ ସ୍ମୃତିରେ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ପାଇଥିବା ତାଜମହଲ ତିଆରି କରିଥିଲେ ଶାହାଜାହାନ । ମମତାଜଙ୍କ ପାଇଁ ଶାହାଜାହାନ ଯେମିତି ତାଜମହଲ ତିଆରି କରିଥିଲେ ସେମିତି ଆଉ ଜଣେ ଶାହାଜାହାନ ତାଙ୍କ ପତ୍ନୀଙ୍କ ପାଇଁ ତିଆରି କରିଛନ୍ତି ଆଉ ଏକ ତାଜମହଲ । ତେବେ ଏହି ତାଜମହଲ ଭାରତରେ ତିଆରି ହୋଇନି, ତିଆରି ହୋଇଛି ପାକିସ୍ତାନରେ । ଆଉ ଏହି ତାଜମହଲ ତିଆରି କରିଛନ୍ତି ପାକିସ୍ତାନ ଉମରକୋଟର ଅବଦୁର ରସୁଲ ।

ବୟସର ଅପରାହ୍ନରେ ନିର୍ଭେଜାଲ ପ୍ରେମର ନିଆରା ନିଦର୍ଶନ ଦେଖାଇଛନ୍ତି ଅବଦୁର । ନିଜ ବେଗମଙ୍କ ବିୟୋଗ ପରେ ତାଙ୍କ ସ୍ମୃତିକୁ ସାଉଁଟି ରଖିଛନ୍ତି ପ୍ରେମର ପ୍ରତୀକ ତାଜମହଲ ମାଧ୍ୟମରେ । ଅବଦୁର ନିଜ ପତ୍ନୀଙ୍କୁ ଜୀବନଠାରୁ ବି ଅଧିକ ଭଲ ପାଆନ୍ତି । ସେଥିପାଇଁ ତ ନିଜ ପ୍ରେମକୁ ସବୁ ଦିନ ପାଇଁ ସଜେଇ ରଖିବାକୁ ପ୍ରେମର ସନ୍ତକ ତାଜମହଲ ନିର୍ମାଣ କରିଛନ୍ତି । ଅବଦୁରଙ୍କ କହିବା କଥା ହେଲା ପ୍ରେମ ମଣିଷକୁ ସବୁ କିଛି ଶିଖାଇ ଦିଏ । ଅସମ୍ଭବ କାମକୁ ଅନାୟାଶରେ ସମ୍ଭବ କରିଦିଏ । ଅବଦୁରଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ମାରିୟମଙ୍କ ପ୍ରେମରେ ପଡି ଯାଇଥିଲେ । ସେତେବେଳେ ମାରିୟମଙ୍କ ବୟସ ପାଖାପାଖି ୪୦ ହୋଇଥିଲା । ଉଭୟଙ୍କ ମଧ୍ୟରେ ବୟସର ତାରତମ୍ୟ ଅଧିକ ଥିଲେ ମଧ୍ୟ ତାହା ସମ୍ପର୍କରେ କୌଣସି ପ୍ରଭାବ ପକାଇ ନଥିଲା । ମାରିୟମଙ୍କୁ ବିବାହ କରିଥିଲେ ଅବଦୁର । ଦୁହେଁ ଯେତେବେଳେ ଭାରତ ଗସ୍ତରେ ଆସିଥିଲେ ସେତେବେଳେ ତାଜମହଲ ତାଙ୍କୁ ବେଶ ଆକୃଷ୍ଟ କରିଥିଲା । ୨୦୧୫ରେ ପତ୍ନୀ ମାରିୟମଙ୍କ ବିୟୋଗ ପରେ ସେ ପାକିସ୍ତାନର ଉମରକୋଟରେ ପତ୍ନୀଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କାମ ଆରମ୍ଭ କରିଥିଲେ । ପାଖାପାଖି ୧୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ତାଜମହଲ ଦେଖିବାକୁ ଦୂରଦୂରାନ୍ତରୁ ଲୋକଙ୍କ ସୁଅ ଛୁଟୁଛି।

ସମ୍ବନ୍ଧିତ ଖବର