ଢେଙ୍କାନାଳ: ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ସମ୍ଭାବ୍ୟ ଭିଡ଼ ଆଶଙ୍କାରେ ଢେଙ୍କାନାଳର ପ୍ରମୁଖ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ ସ୍ଥଳୀରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଏହି ସମୟରେ ଜିଲ୍ଲାର ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ବାରଣ କରାଯିବା ସହ ପର୍ଯ୍ୟଟନସ୍ଥଳୀକୁ ଯିବା ବି ମନା କରାଯାଇଛି। ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ଢେଙ୍କାନାଳ ଜିଲ୍ଲାପାଳ ଆଜି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଓମିକ୍ରନ୍ ଭାରିଆଣ୍ଟ ଭୟ ମଧ୍ୟରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଲୋକଙ୍କୁ ଜିଲ୍ଲାର ପର୍ଯ୍ୟଟନ ସ୍ଥାନ, ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଏବଂ ଧାର୍ମିକ କାର୍ଯ୍ୟ ପରିଚାଳନା କରିବାକୁ ଅନୁମତି ଦିଆଯିବ ନାହିଁ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅନେକ ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥଳ ରହିଛି। ଏଥିମଧ୍ୟରେ କପିଳାସ, ସପ୍ତଶଯ୍ୟା ଓ ଯୋରନ୍ଦା ଆଦି ବେଶ ପ୍ରସିଦ୍ଧ। ଏଠାକୁ ପ୍ରତି ବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ।