ଶାହାରୁଖ ଖାନଙ୍କ ଶାଶୁଙ୍କ ଉପରେ ଲାଗିଲା ଠକେଇର ଅଭିଯୋଗ, ୩.୯କୋଟି ଟଙ୍କା ନଦେଲେ ଭଙ୍ଗାଯିବ ବିଳାସପୂର୍ଣ୍ଣ ଘର

ମୁମ୍ବାଇ: ବଲିଉଡର କିଙ୍ଗ୍ ଖାନ ଶାହାରୁଖଙ୍କ ଶାଶୁଙ୍କୁ ଏବେ ଏକ ବଡ଼ ଝଟକା ଲାଗିଛି। ଚାଷ କରିବା ପାଇଁ କହି ଜମି କିଣିବା ସହ ପରେ ସେଥିରେ ଫାର୍ମହାଉସ୍ ତିଆରି କରିଥିବାରୁ ଏବେ ତାଙ୍କୁ ୩.୯କୋଟି ଟଙ୍କା ଜରିମାନା ଦେବାକୁ ହେବ ବୋଲି ଜଣା ପଡ଼ିଛି। ଯଦି ସେ ଏହି ଟଙ୍କା ନଦିଅନ୍ତି ତେବେ ମୁମ୍ବାଇର ଅଲିବାଗସ୍ଥିତ ଥାଲରେ ଥିବା ବିଳାସପୂର୍ଣ୍ଣ କୋଠାକୁ ଭାଙ୍ଗିଦିଆଯିବ।

mumbaimirror.indiatimes.com

ମିଳିଥିବା ସୂଚନା ମୁତାବକ, ଦେଜା ବୁ ଫାର୍ମ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ଉପରେ ଏହି ଜରିମାନା ଲଗାଯାଇଛି। କମ୍ପାନିଟି ଶାହାରୁଖଙ୍କ ଶାଶୁ ସବିତା ଛିବା ଏବଂ ତାଙ୍କ ଶାଳୀ ନମିତା ଛିବା ସମ୍ଭାଳୁଥିବା ବେଳେ ୨୦୦୭-୮ରେ ଅଲିବାଗସ୍ଥିତ ଥାଲରେ ୧.୩ଏକର ଜମି କିଣିଥିଲେ। ସେ ସମୟରେ ନଡ଼ିଆ ଚାଷ କରି ଟଙ୍କା ଆୟ କରାଯିବ ବୋଲି ଜମି କିଣାଯାଇଥିବା ବେଳେ ପରବର୍ତ୍ତୀ ମୂହୁର୍ତ୍ତରେ ସେଠାରେ ବିଳାସପୂର୍ଣ୍ଣ ଫାର୍ମହାଉସ୍ ତିଆରି କରିଦିଆଯାଇଥିଲା। ଏହି ଫାର୍ମହାଉସରେ ବଲିଉଡର ଅନେକ ବଡ଼ ବଡ଼ ପାର୍ଟି ହୋଇସାରିଥିବା ସହ ଶାହାରୁଖ୍ ମଧ୍ୟ ଏଠାରେ ନିଜର ଜନ୍ମଦିନ ପାଳନ କରିଥିଲେ। ତେବେ ଦେଜା ବୁ ଫାର୍ମ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନିର ଏଭଳି ଠକେଇର ଖବର ସାମ୍ନାକୁ ଆସିବା ପରେ ଜାନୁଆରି ୨୯, ୨୦୧୮ରେ ତାଙ୍କୁ ପ୍ରଥମେ ନୋଟିସ୍ ପଠାଇଥିଲେ ଜିଲ୍ଲାପାଳ। ୩.୯କୋଟି ଟଙ୍କା ଦେବା ପରେ ଯାଇ ସମ୍ପତ୍ତିକୁ ବୈଧ ଧରାଯିବ ବୋଲି ନୋଟିସରେ ଲେଖାଯାଇଥିଲା। ୨୦୧୮ରୁ ‌ନୋଟିସ ମିଳିସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଫାର୍ମହାଉସର ଦୁଇ ମାଲିକାଣୀ ସବିତା ଛିବା ଏବଂ ତାଙ୍କ ଶାଳୀ ନମିତା ଛିବା ଟଙ୍କା ଦେଇ ନଥିବା ଜଣା ପଡ଼ିଛି। ଯାହା ପାଇଁ ତାଙ୍କର ବିଳାସପୂର୍ଣ୍ଣ ଫାର୍ମହାଉସକୁ କୌଣସି ମୂହୁର୍ତ୍ତରେ ଭାଙ୍ଗିଦିଆଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର