ସଚିନ ଭାଜେଙ୍କୁ ଅନିଲ ଦେଶମୁଖ ଡକାଇଥିବା ଖବର ମିଛ, କାରଣ ସେ ସେତେବେଳେ ହସ୍ପିଟାଲରେ ଥିଲେ: ଶରଦ ପାୱାର

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଦେଇଥିବା ଦୁର୍ନୀତି ଅଭିଯୋଗ ମିଥ୍ୟା ଅଟେ। ଗତକାଲି ଅନିଲ ଦେଶମୁଖଙ୍କ ଇସ୍ତଫା ନେଇ ଆଲୋଚନା କରାଯିବ ବୋଲି କହିଥିବା ବେଳେ ଆଜି ଏନସିପି ମୁଖ୍ୟ ଶରଦ ପାୱାର ଏଭଳି ଦାବି କରିଛନ୍ତି।

ସେ କହିଛନ୍ତି ଯେ, “ଯଦି ଆପଣ ପୂର୍ବତନ ପୁଲିସ କମିସନରଙ୍କ ଚିଠିକୁ ଦେଖିବେ, ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଫେବ୍ରୁଆରି ମଧ୍ୟଭାଗରେ ସଚିନ ଭାଜେଙ୍କୁ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଡକାଇ ୧୦୦କୋଟି ଟଙ୍କା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଫେବ୍ରୁଆରି ୫-୧୫ମଧ୍ୟରେ ଦେଶମୁଖ କରୋନା ଆକ୍ରାନ୍ତ ହୋଇଥିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଫେବ୍ରୁଆରି ୧୫-୨୭ମଧ୍ୟରେ ସେ ସଙ୍ଗରୋଧ‌ରେ ଥିଲେ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ପରମବୀର ସିଂ ଅନିଲ ଦେଶମୁଖଙ୍କ ବିରୋଧରେ ମିଛ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କର ଇସ୍ତଫା ଦେବାର କୌଣସି ଆବଶ୍ୟକତା ନାହିଁ।

ଶରଦ ପାୱାରଙ୍କ ଏଭଳି ବିବୃତି ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଏକ ଭିଡିଓକୁ ରିଟୁଇଟ କରିଛନ୍ତି। ଟୁଇଟରେ ଲେଖାଯାଇଛି ଯେ, ଶରଦ ପାୱାରଜୀ କହୁଛନ୍ତି ଯେ, ଫେବ୍ରୁଆରି ୧୫-୨୭ମଧ୍ୟରେ ଅନିଲ ଦେଶମୁଖ ଘରେ ସଙ୍ଗରୋଧ‌ରେ ଥିଲେ। କିନ୍ତୁ ବାସ୍ତବରେ ସୁରକ୍ଷାକର୍ମୀ ଏବଂ ଗଣମାଧ୍ୟମ ସହିତ ସେ ସାମ୍ବାଦିକ ସମ୍ମିଳନୀ କରୁଥିଲା। ଟୁଇଟରେ ଏକ ଭିଡିଓ ମଧ୍ୟ ରହିଛି, ଯେଉଁଥିରେ ଅନିଲ ଦେଶମୁଖ ସାମ୍ବାଦିକ ସମ୍ମିଳନୀ କରୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର