ହୋସ୍ ଉଡ଼ାଇଦେଲା କୋଭିଡ୍ ପ୍ରମାଣପତ୍ର: ମୃତ୍ୟୁର ୫ ମାସ ପରେ ଆସିଲା ପ୍ରମାଣପତ୍ର

କିଶନନଗର: ମୃତ୍ୟୁର ୩ମାସ ପରେ ମୃତକ ନେଇଛନ୍ତି କୋଭିଡ୍‌ ଟିକା। ଏହା ସମ୍ଭବ ନ ହେଲେ ମଧ୍ୟ କୋଭିଡ୍‌ ପ୍ରାମଣପତ୍ର ଏଭଳି ତଥ୍ୟ ଦର୍ଶାଉଛି। ପ୍ରମାଣପତ୍ରରେ ଏପରି ସାଂଘାତିକ ତ୍ରୁଟି ମୃତକଙ୍କ ପରିବାର ସଦସ୍ୟଙ୍କୁ ହତଚକିତ କରିଛି। ଏଭଳି ଘଟଣା ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି। କେଉଁଠି ପ୍ରକୃତରେ ଟିକା ନେଇଥିବା ଲୋକ ନିଜର ପ୍ରମାଣପତ୍ର ପାଇ ପାରୁ ନଥିବା ବେଳେ ଜଣେ ମୃତ ବ୍ୟକ୍ତି ଟିକା ନେବା ଏବଂ ତାଙ୍କ ନାମରେ ପ୍ରମାଣପତ୍ର ଜାରି ହେବା ଘଟଣା ଏବେ ବିଭିନ୍ନ ମହଲରେ ଉଦବେଗର କାରଣ ହୋଇଛି। ସୂଚନା ମୁତାବକ, କଟକ ଜିଲ୍ଲା ପ୍ରହରାଜପୁର ନମାଜପଡ଼ିଆ ଗ୍ରାମର ମହମ୍ମଦ ଅବୁଲ ବସର (୬୫) ୨୦୨୧, ଜୁନ ୫ ତାରିଖରେ କୋଭିଡ୍‌ର ପ୍ରଥମ ଡୋଜ ଟିକା ନେଇଥିଲେ। ଏହାର ପ୍ରାୟ ମାସକ ପରେ ସେ କରୋନାରେ ଆକ୍ରାନ୍ତ ହେଲେ। କଟକ ଯୋବ୍ରାସ୍ଥିତ ଏକ କୋଭିଡ଼ ହସ୍ପିଟାଲ୍‌ରେ ଏକ ମାସରୁ ଅଧିକ ସମୟ ଚିକିତ୍ସା ପରେ ଅଗଷ୍ଟ ୭ ତାରିଖରେ ତାଙ୍କର ମୃତ୍ୟୁ ଘଟିଲା।

ତେବେ ମୃତ୍ୟୁର ୫ମାସ ପରେ ଆଜି ତାଙ୍କ ମୋବାଇଲ୍‌ ନମ୍ବର୍‌ରେ ସେ କୋଭିଡ୍‌ ଟିକା ନେଇଥିବା ନେଇ ଏକ ପ୍ରମାଣପତ୍ର ଆସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ଏହି ପ୍ରମାଣପତ୍ରରେ ସେ ୨୦୨୧, ଜୁନ୍‌ ୫ତାରିଖ ଦିନ ପ୍ରଥମ ଡୋଜ୍‌ ଓ ୨୦୨୧ ନଭେମ୍ବର ୧୯ ତାରିଖରେ ଦ୍ଵିତୀୟ ଡୋଜ୍‌ ଟିକା ନେଇଥିବା ଦର୍ଶାଯାଇଛି। ଅର୍ଥାତ୍‌ ମୃତ୍ୟୁର ୩ମାସ ପରେ ସେ ଦ୍ଵିତୀୟ ଡୋଜ୍‌ ଟିକା ନେଇଛନ୍ତି ବୋଲି ସାର୍ଟିଫିକେଟ‌୍ କହୁଛି। ଏଥିରେ ଟିକାର ବ୍ୟାଚ୍‌ ନମ୍ବର ରହିଥିଲା ବେଳେ ସେ ଜଗତସିଂହପୁର ଜିଲ୍ଲା ବିରିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସସ୍ମିତା ମଲ୍ଲିକଙ୍କ ଠାରୁ ଟିକା ନେଇଥିବା ଦର୍ଶାଯାଇଛି। ଏଭଳି ଘଟଣା ଏବେ ସଂପୂର୍ଣ୍ଣ ପ୍ରକ୍ରିୟାର ଉପଯୋଗିତା ତଥା ବିଶ୍ବସନିୟତା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ଏଭଳି ଘଟଣାର ଉପଯୁକ୍ତ ଯାଞ୍ଚ ସହ ସାଧାରଣ ଲୋକଙ୍କ ସନ୍ଦେହ ଦୂର କରିବାକୁ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର