ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲକ୍ଷ୍ମୀସାଗରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ରାଜ୍ୟ ମହିଳା ଶିଶୁ ପ୍ରତିଷ୍ଠାନ ପରିଦର୍ଶନରେ ଯାଇଥିଲେ। ଏହି ଅବସରରେ ସେ ପ୍ରତିଷ୍ଠାନ ପରିସରରେ ବ୍ୟାଡମିଣ୍ଟନ୍ ଓ ଭଲିବଲ କୋର୍ଟ ତଥା ଯୋଗକେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଏପରି ପଦକ୍ଷେପ ପ୍ରତିଷ୍ଠାନରେ ତାଲିମ ନେଉଥିବା ଆଇସିଡିଏସ୍ କାର୍ଯ୍ୟକର୍ତ୍ତା, ସୁପରଭାଇଜର୍ ତଥା ଅଙ୍ଗନବାଡି କର୍ମୀମାନଙ୍କର ଦକ୍ଷତା ବିକାଶରେ ସାହାଯ୍ୟ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଜାମୁ ଓ ଅଁଳାଚାରା ରୋପଣ କରି ମହିଳା ଶିଶୁ ବିକାଶ ବିଭାଗ ତରଫରୁ ‘ଏକ୍ ପେଡ୍ ମା କେ ନାମ୍’ର ଶୁଭାରମ୍ଭ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ‘ଏକ୍ ପେଡ୍ ମା କେ ନାମ୍’ ଯୋଜନା ସାରା ଦେଶରେ ଲୋକପ୍ରିୟ ହୋଇଛି।
ଆସନ୍ତା ୫୦ ବର୍ଷର ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଜ ନିଜ ମା’ଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରିବାକୁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଥିଲେ। ପରେ ଉପମୁଖ୍ୟମନ୍ତ୍ରୀ ସେଠାରେ ଆୟୋଜିତ ଅଣସରକାରୀ ସଂଗଠନ ପରାମର୍ଶଦାତା ମଣ୍ଡଳୀ ବୈଠକରେ ଅଧକ୍ଷତା କରି ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ପୁନରୁଦ୍ଧାର ହେବ ବୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରାଜ୍ୟର ବିକାଶରେ ସମାଜ କଲ୍ୟାଣ ବୋର୍ଡର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାର ଓ ସ୍ବେଚ୍ଛାସେବୀ ସଂଗଠନର ସହଭାଗିତାରେ ହିଁ ସମାଜ କଲ୍ୟାଣ ବୋର୍ଡକୁ ସୁଦୃଢ ଭାବରେ ପରିଚାଳିତ କରିହେବ। ବୋର୍ଡର ପୁନରୁଦ୍ଧାର ପାଇଁ ଶ୍ରୀମତୀ ପରିଡ଼ା ଅଣସରକାରୀ ସଂଗଠନ ତଥା ସ୍ବେଚ୍ଛାସେବୀ ସଂଗଠନଗୁଡିକର ପ୍ରସ୍ତାବ ଆହ୍ୱାନ କରିଛନ୍ତି। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏହି ମର୍ମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଗଠନ ପ୍ରତିନିଧିମାନଙ୍କ ଠାରୁ ମିଳିଥିବା ମତାମତ ଓ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା କରିଥିଲେ। ସମାଜ କଲ୍ୟାଣ ବୋର୍ଡର ପୁନରୁଦ୍ଧାର ପ୍ରସଙ୍ଗ ନେଇ ଏକ କମିଟି ଦ୍ୱାରା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମତୀ ଶର୍ମା କହିଥିଲେ। କାର୍ଯ୍ୟକ୍ରମରେ ଆଇସିଡିଏସ୍ ଓ ସମାଜ କଲ୍ୟାଣ ବୋର୍ଡର ନିର୍ଦ୍ଦେଶକ ମନିଷା ବାନାର୍ଜୀ, ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/ffshhsfhf.jpg)