ସୁନ୍ଦରଗଡ଼: ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଅନ୍ତର୍ଗତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ)ର ବହୁ ଭାଗ ଅର୍ଥ ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନଜୀବିକା ସହ ସାମଗ୍ରିକ ବିକାଶ ପାଇଁ ବିନିଯୋଗ ହେଉ ନଥିବା ଅଭିଯୋଗ ରହିଛି। ଅଧିକାରୀଙ୍କ ମନମର୍ଜିରେ ପାଣି ପରି ଖର୍ଚ୍ଚ ହେଉଛି ଅନୁଦାନ। ଲୋକଙ୍କ ହିତ ନାମରେ ପାଣ୍ଠିର ବିପୁଳ ଅପଚୟ ହେଉଥିବା ବେଳେ ଅତି ଚତୁରତାର ସହ ବଜାର ମୂଲ୍ୟ ଠାରୁ ଅଧିକ ମୂଲ୍ୟରେ ବିଭିନ୍ନ ସାମଗ୍ରୀ କ୍ରୟ କରି ସରକାରୀ ଅର୍ଥ ଚଳୁ କରାଯାଉଛି।

Advertisment

ଡିଏମଏଫ୍ ପାଣ୍ଠିରୁ କ୍ରୟ ଜେନେରେଟର ସେଟ୍ ଓ ସୌରଚାଳିତ ଗରମ ପାଣି ଯୋଗାଣ ବ୍ୟବସ୍ଥା (ସୋଲାର ୱାଟର ହିଟର୍)କୁ ନେଇ ଏହି ଅଭିଯୋଗ ଆସିଛି। ପୂର୍ବରୁ ଦେଢ଼ ଲକ୍ଷରୁ ୭ ଲକ୍ଷ ମୂଲ୍ୟରେ (ଗୋଟିଏ) ୩୧୦ ଡିଜେଲ ଚାଳିତ ଜେନେରେଟର୍ କିଣା ଯାଇଥିବା ବେଳେ ପାଣ୍ଠି ଅର୍ଥରେ ପୁଣି ଲକ୍ଷାଧିକ ମୂଲ୍ୟରେ ୫୦ଟି ସୋଲାର ୱାଟର ହିଟର୍ କିଣାଯାଇଛି।

ସବୁଠାରୁ ବଡ଼ କଥା ହେଲା, ଯେଉଁ ସରକାରୀ ସଂସ୍ଥା ବା କାର୍ଯ୍ୟାଳୟକୁ ପୂର୍ବରୁ ଜେନେରେଟର୍ ଯୋଗାଣ ହୋଇଛି, ତନ୍ମଧ୍ୟରୁ କିଛି କାର୍ଯ୍ୟାଳୟକୁ ପୁଣି ସୋଲାର ୱାଟର୍ ହିଟର୍ ଯୋଗାଇ ଦିଆଯାଇଛି। ଜେନେରେଟର୍ରୁ ଉତ୍ପନ୍ନ ବିଦ୍ୟୁତ ଶକ୍ତିରେ ଆଲୁଅ ଓ ଗରମ ପାଣି ଯୋଗାଣ ଅଥବା କେବଳ ସୋଲାରରେ ଉଭୟ ବ୍ୟବସ୍ଥା ସମ୍ଭବ ଥିବା ବେଳେ ଦୁଇଟି ସାମଗ୍ରୀ କିଣି କୋଟି କୋଟି ଟଙ୍କା ଅପବ୍ୟୟ କରାଯାଇଥିବା ଅଭିଯୋଗ ହୋଇଛି। ଖଣି ପ୍ରଭାବିତଙ୍କ ପ୍ରତ୍ୟକ୍ଷ ବିକାଶରେ ଏହା କେତେ ସହାୟକ ହୋଇଛି ତାହା ତ ଏକ ଭିନ୍ନ ପ୍ରଶ୍ନ। କିନ୍ତୁ ଡିଏମଏଫ୍ ଅର୍ଥର ଏପରି ପାଣି ପରି ଖର୍ଚ୍ଚ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

publive-image

୨୦୧୯ରେ ଜେନେରେଟର ସେଟ୍ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୧୯ ଅକ୍ଟୋବର ୩ରେ ଏଥିପାଇଁ ଟେଣ୍ଡର ଆହ୍ବାନ କରିଥିଲା ପ୍ରତିଷ୍ଠାନ। ଅକ୍ଟୋବର ୨୨ ମଧ୍ୟରେ ଆବେଦନପତ୍ର ଦାଖଲ କରିବାକୁ ତାରିଖ ନିଧାର୍ଯ୍ୟ ହୋଇଥିଲା ଓ ସେହି ମାସ ୨୪ ତାରିଖରେ ଆବେଦନପତ୍ର ଖୋଲାଯାଇଥିଲା। ତେବେ ଟେଣ୍ଡରରେ ଜେନେରେଟର୍ ସଂଖ୍ୟା ଉଲ୍ଲେଖ କରାଯାଇ ନଥିବା ବେଳେ ଆବେଦନକାରୀଙ୍କ ଠାରୁ ମାତ୍ର ୫୦ ହଜାର ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟ ଚୁକ୍ତିନାମା ଅର୍ଥ (ଇଏମଡି) ଦାଖଲ କରିବାକୁ କୁହାଯାଇଥିଲା। ଦେଢ଼ ଲକ୍ଷରୁ ୭ ଲକ୍ଷ ମୂଲ୍ୟରେ ଯୋଗାଇବାକୁ ଥିବା ଅଲଗା ଅଲଗା ବିଦ୍ୟୁତ ଶକ୍ତିର ୩ ଶହରୁ ଅଧିକ ଜେନେରେଟର୍ ପାଇଁ ମାତ୍ର ୫୦ ହଜାର ଟଙ୍କା ଇଏମଡି ଜମା ନେବା କେଉଁଠି ନା କେଉଁଠି ଟେଣ୍ଡର ନିୟମର ଖିଲାପକୁ ସୂଚୀତ କରୁଥିବା ସାଧାରଣରେ ଚର୍ଚ୍ଚା ହୋଇଥିଲା।

ତେବେ ଅତି ଚତୁରତାର ସହ ଥରକେ ୩ ଶହ ଜେନେରେଟର ନକିଣି ଭିନ୍ନ ଭିନ୍ନ ସମୟରେ ତାହା ଯୋଗାଣ ହୋଇଥିଲା। କିନ୍ତୁ ଏଥିରେ ଗୋଟିଏ ଟେଣ୍ଡରକୁ ହିଁ ବ୍ୟବହାର କରାଯାଇଥିଲା। ଜେନେରେଟର୍ ସେଟ୍ କ୍ରୟ କରି ତାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବିଭିନ୍ନ ବିଭାଗର କାର୍ଯ୍ୟାଳୟ, ଜିଲ୍ଲାର ଶିକ୍ଷାନୁଷ୍ଠାନ, ଆଦିବାସୀ ଛାତ୍ରାବାସ, ସ୍ବାସ୍ଥ୍ୟକେନ୍ଦ୍ରକୁ ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ ଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ମଧ୍ୟ ଏହି ଅର୍ଥରୁ କ୍ରୟ ଏକ ଜେନେରେଟର ସେଟ୍ ଲାଗିଛି। ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଥିବା ଡିଏମଏଫ୍ ଅର୍ଥରେ କ୍ରୟ ଜେନେରେଟର୍ ଜିଲ୍ଲାପାଳଙ୍କ ବାସଭବନରେ ବ୍ୟବହାର କରାଯିବା ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଥିଲା। ଏହା ମଧ୍ୟରେ ଡିଏମଏଫ୍ ପାଣ୍ଠିରୁ ୫୦ଟି ସୋଲାର୍ ୱାଟର ହିଟର୍ କ୍ରୟ କରି ପୂର୍ବରୁ ଜେନେରେଟର୍ ଥିବା ଜିଲ୍ଲାର ବିଭିନ୍ନ ହସ୍ପିଟାଲକୁ ଯୋଗାଇ ଦିଆଯାଇଛି। ଜେନେରେଟର ପରି ଆଗକୁ ଏ ସଂଖ୍ୟା ମଧ୍ୟ ବଢ଼ିପାରେ ବୋଲି ଚର୍ଚ୍ଚାା ହେଉଛି।