ବେଜିଂ: ଦକ୍ଷୀଣ ଚୀନ୍‌ ସାଗର ବିବାଦକୁ ନେଇ ଏବେ ଚୀନ୍‌ ଆମେରିକା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ ସାମରିକ ଘାଟି ସ୍ଥାପନ ସହ ଯୁଦ୍ଧ ଜାହାଜ ମୁତୟନ କରି ଏକଚାଟିଆ ପ୍ରଭାବ ବିସ୍ତାର କରିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଆମେରିକା ମଧ୍ୟ ଯୁଦ୍ଧପୋତ ମୁତୟନ କରିଛି। ଚୀନ୍‌ର ଏଭଳି କାର୍ଯ୍ୟକଳାପ ଅନ୍ୟ ଦେଶମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି ବୋଲି ଗତକାଲି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜେମ୍ସ ମାଟ୍ଟିସ ସିଙ୍ଗାପୁର୍‌ରେ ଅନ୍ତର୍ଜାତୀୟ ସୁରକ୍ଷା ମଞ୍ଚରେ କହିବା ସହ ଏଭଳି କାର୍ଯ୍ୟର ଜବାବ ଦିଆଯିବ ବୋଲି ଚେତାଇ ଦେଇଥିଲେ। ଆଜି ଚୀନ୍‌ ଆମେରିକାର ଏହି ବୟାନକୁ ବିରୋଧ କରି ଆମେରିକା ଦକ୍ଷିଣ ଚୀନ୍‌ ସାଗର ବିବାଦରେ ଅଧିକ ମୁଣ୍ଡ ନ ପୂରାଇବା ପାଇଁ କହିଛି। ଚୀନ୍‌ର ଲେପ୍ଟନାଣ୍ଟ ଜେନେରାଲ ହୁଇ ଲି କହିଛନ୍ତି ଯେ ଚୀନ୍‌ ନିଜ ଦେଶର ଜଳ ସୀମା ଭିତରେ ନିଜର ସେନା ଏବଂ ଯୁଦ୍ଧାସ୍ତ୍ର ମୁତୟନ କରିବାର ଅଧିକାର ରଖିଛି। ଏ କ୍ଷେତ୍ରରେ ଅନ୍ୟ କୌଣସି ଦେଶର ଦାୟିତ୍ୱହୀନ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।