ରାଉରକେଲା : ସହରରେ ବସ୍ତିର ରୂପରେଖ ବଦଳିବ, କଲୋନି ଭଳି ସମସ୍ତ ବସ୍ତିବାସିନ୍ଦାଙ୍କୁ ମିଳିବ ସମସ୍ତ ସୁବିଧା ସୁଯୋଗ। ଏଥିପାଇଁ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ପଞ୍ଚଦଶ ଅର୍ଥ କମିସନ ଓ ଜାଗା ମିସନ ଫାଣ୍ଠିରୁ ପାଣି ବୋହିଲା ପରି ଖର୍ଚ୍ଚ କରିଛି କୋଟି କୋଟି ଟଙ୍କା। କେଉଁଠି କାମ ଚାଲିଛି ଓ ଅନ୍ୟ କେଉଁଠି ଶେଷ ହୋଇଛି। ହେଲେ ଆଶ୍ଚର୍ଯ୍ୟ କଥା, କାଗଜପତ୍ରରେ ଯେତିକି ଅର୍ଥ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି, ତା’ର ୫୦% ଅର୍ଥ ଖର୍ଚ୍ଚ ହୋଇନଥିବା ବସ୍ତିର ବାସ୍ତବ ଚିତ୍ରରୁ ଜଳ ଜଳ ହୋଇ ଦିଶୁଛି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଆର୍ଏମ୍ସି ଅନ୍ତର୍ଗତ ୱାର୍ଡ ନଂ ୪ର ଗାଡ଼ାଟୋଲା, ୱାର୍ଡ ନଂ - ୯ ମନଟୋଲା, ୱାର୍ଡ ନଂ -୧୮ର ଓରାମପଡା ଓ ୱାର୍ଡ ନଂ -୮( ନୂଆ) ତଳବାଲିଯୋଡି ବସ୍ତିକୁ ଉଦାହରଣ ଭାବେ ନିଆଯାଇପାରେ। ଗାଡ଼ାଟୋଲା, ମାଲଗୋଦାମ ଓ ଓରାମପଡ଼ା ବସ୍ତିରେ ଆଲୋକୀକରଣରେ ୭ ଲକ୍ଷ ୩୧ ହଜାର ୪୫୫ ଟଙ୍କା ଖର୍ଚ୍ଚ ହୋଇଛି। ଗାଡ଼ାଟୋଲାର ରିଂ ରୋଡ ପାର୍ଶ୍ବରେ ବିଜୁଳି ବତି ଲାଗିଥିଲାବେଳେ ହାଇଟେକ୍ ହସ୍ପିଟାଲ ପାର୍ଶ୍ବ ସମ୍ପୂର୍ଣ୍ଣ ଅନ୍ଧାର। ଏହାର ପ୍ରତିବାଦରେ ବସ୍ତିବାସିନ୍ଦା ଆର୍ଏମ୍ସିର ବିଭାଗୀୟ ଅଧିକାରୀଙ୍କ ଦୃ୍ଷ୍ଟି ଆକର୍ଷଣ କରିଛନ୍ତି। ଫଳ କିନ୍ତୁ ଶୂନ।
ତଳବାଲିଯୋଡି ବସ୍ତିରେ ବି ସେହି ସମାନସ୍ଥିତି। ମାତ୍ର ୪୦୦ ମିଟର ଅଣ ଓସାରିଆ କଂକ୍ରିଟ ରାସ୍ତାରେ ୧୫ ଲକ୍ଷ ୬୫ ହଜାର ଖର୍ଚ୍ଚ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି। ଏମିତି ଭାବେ ୨୦ଟି ବସ୍ତିରେ ମୋଟ୍ ୨ କୋଟି ୬୮ ଲକ୍ଷ ୬୬ ହଜାର ୧୫୨ ଟଙ୍କା ଖର୍ଚ୍ଚ ହୋଇଛି। ପଞ୍ଚଦଶ ଅର୍ଥ କମିସନ ପାଣ୍ଠିରେ ୯ଟି ଓ ଜାଗା ମିସନ ପାଣ୍ଠିରେ ୧୧ଟି ବସ୍ତିର ବିକାଶମୂଳକ କାର୍ଯ୍ୟ ହୋଇଛି। ଠିକା ସଂସ୍ଥା ଓ ଆର୍ଏମ୍ସିରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ସଲାସୁତୁରାରେ ଏସବୁ କାମ କରାଯାଇଛି ବୋଲି ଅଭିଯୋଗ ହେଉଛି। ସ୍ବଭାବିତ ଭାବେ, କେଉଁ ବସ୍ତିରେ କି କି କାମ ହୋଇଛି, କେଉଁ କାମ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା’ର ତଥ୍ୟ ବିଭାଗୀୟ ଅଧିକାରୀ ଦେଉନାହାନ୍ତି। ବିଭାଗୀୟ ଉଚ୍ଚ ଅଧିକାରୀ ଶେଷ ହୋଇଥିବା କାମ ଓ ଚାଲିଥିବାର କାମର ତଦନ୍ତ କଲେ ଦୁର୍ନୀତିଖୋର ଅଧିକାରୀ ଓ ଠିକାସଂସ୍ଥାର ଅସଲ ମୁଖା ଖୋଲାଯାଇପାରନ୍ତା।
ଆର୍ଏମ୍ସି କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୱାର୍ଡ ନଂ -୩ (ନୂଆ) ଅନ୍ତର୍ଗତ ଭାଣ୍ଡଟୋଲା ଓ ପାତ୍ରଟୋଲା ବସ୍ତିରେ ୨୨, ୧୨, ୭୮୨ ଟଙ୍କା, ୱାର୍ଡ ନଂ ୧୭ (ପୁରୁଣା) ଓରାମପଡାରେ ବସ୍ତିରେ ୧୦ ଲକ୍ଷ ୧୭ ହଜାର ୯୭୭ ଟଙ୍କା, ୱାର୍ଡ ନଂ ୨ (ନୂଆ) ବେଦବ୍ୟାସ ନଦୀଟୋଲାରେ ୧୯ ଲକ୍ଷ ୭୭ ହଜାର ୩୮୧ ଟଙ୍କା, ୱାର୍ଡ ନଂ ୧୧ (ପୁରୁଣା) ବିବେକାନନ୍ଦପାଲି ବସତିରେ ୧୭ ଲକ୍ଷ ୭୧ ହଜାର ୪୯୯ ଟଙ୍କା ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ ହୋଇଛି। ଅନୁରୂପ ଭାବେ ୱାର୍ଡ ନଂ -୧୨ ଅନ୍ତର୍ଗତ ଚର୍ଚ୍ଚ ବସ୍ତିରେ ୧୨ ଲକ୍ଷ ୩ ହଜାର ୫୯୭ ଟଙ୍କା, ୱାର୍ଡ ନଂ -୧ (ପୁରୁଣା) ତୁଳସୀଟୋଲରେ ୫ ଲକ୍ଷ ୩୮ ହଜାର ୫୫୭ ଟଙ୍କା, ମଧୂସୁଦନପାଲିରେ ୧୦ ଲକ୍ଷ ୪୩ ହଜାର ୭୦୨ ଟଙ୍କା, କିସାନଟୋଲା ବସ୍ତିରେ ୧୭ ଲକ୍ଷ ୩୩ ହଜାର ୮୬୧ ଟଙ୍କା, ଛେଣ୍ଡ ରୁଗୁଡିଟୋଲାରେ ୩ ଲକ୍ଷ ୨୨ ହଜାର ୨୬୭ ଟଙ୍କା, ଦ୍ବିତୀୟ ପର୍ଯ୍ୟାୟରେ ମଧୁସୂଦନପାଲୀରେ ୨୮ ଲକ୍ଷ ୧୦ ହଜାର ୬୦୭ ଟଙ୍କା ମଞ୍ଜୁରି ହୋଇଛି। ସେହିପରି ୱାର୍ଡ ନଂ ୩ ଅନ୍ତର୍ଗତ ବାଲୁଘାଟରେ ୧୧ ଲକ୍ଷ ୨୮ ହଜାର ୭୫୫ ଟଙ୍କା, ରୁପୁଟୋଲା ବସ୍ତିରେ ୧୧ ଲକ୍ଷ ୮୨ ହଜାର ୫୪୩ ଟଙ୍କା, ବେଦବ୍ୟାସ ନାଏକଟୋଲାରେ ୧୨ ଲକ୍ଷ ୧୬ ହଜାର ୯୭୨ ଟଙ୍କା, ତୃତୀୟ ପର୍ଯ୍ୟାୟରେ ମଧୂସୂଦନପାଲୀରେ ୧୫ ଲକ୍ଷ ୪୪ ହଜାର ୩୭ ଟଙ୍କା ଓ ବେଦବ୍ୟାସ ନୟାନନ୍ଦନଗରରେ ୧୭ ଲକ୍ଷ ୨୯ ହଜାର ୨୭୨ ଟଙ୍କା ଖର୍ଚ୍ଚ ମଞ୍ଜୁର ହୋଇଛି।
ରିପୋର୍ଟ : ମଳୟ ରଞ୍ଜନ ସାହୁ