ମାଲ୍ୟା ବିବାଦ: ଷ୍ଟେଟ୍‌ ବ୍ୟାଙ୍କକୁ ଟାଣିଲେ

ଆମେ କିଛି ଅବହେଳା କରିନୁ: ଷ୍ଟେଟ୍‌ ବ୍ୟାଙ୍କ

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ନେଇ ରାଜନୈତିକ ମହଲରେ ହଟଚମଟ ଲାଗି ରହିଥିବା ବେଳେ ବିବାଦ ମଧ୍ୟକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କକୁ ଟଣାଯାଇଛି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଦୁଶ୍ୟାନ୍ତ ଡାଭେ କହିଛନ୍ତି ଯେ ମାଲ୍ୟା ଦେଶର ଛାଡ଼ିବାର ଚାରି ଦିନ ପୂର୍ବରୁ ଷ୍ଟେଟ୍‌ ବ୍ୟାଙ୍କକୁ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପରାମର୍ଶ ଦିଆଯାଇଥିଲା। ବ୍ୟାଙ୍କ କିନ୍ତୁ ତାକୁ ଅଣଦେଖା କରିଥିଲା। ଠିକ୍‌ ସମୟରେ ପଦକ୍ଷେପ ଗ୍ରହଣ କରିବାରେ ଷ୍ଟେଟ୍‌ ବ୍ୟାଙ୍କ ବିଫଳ ହୋଇଥିଲା ବୋଲି ସେ କହି ବ୍ୟାଙ୍କକୁ ବିବାଦ ଭିତରକୁ ଟାଣିଛନ୍ତି। ଡାଭେଙ୍କ ଅଭିଯୋଗକୁ ଷ୍ଟେଟ୍‌ ବ୍ୟାଙ୍କ ଦୃଢ଼ ଭାବେ ଖଣ୍ଡନ କରିଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଆମ ତରଫରୁ କିମ୍ବା ଏହି ମାମଲାର ଦେଖାଶୁଣା କରୁଥିବା ଅଧିକାରୀଙ୍କ ତରଫରୁ ମାଲ୍ୟା ମାମଲାରେ କୌଣସି ପ୍ରକାର ଅବହେଳା ହୋଇନାହିଁ। କିଙ୍ଗଫିସର୍‌ ଏୟାରଲାଇନ୍ସରେ ଫସି ରହିଥିବା ଋଣ ଅର୍ଥ ଆଦାୟ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ତ୍ୱରିତ ଓ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉଛି। ଏକ ସମ୍ବାଦପତ୍ର ସହିତ କଥାବାର୍ତା ବେଳେ ସୁପ୍ରିମକୋର୍ଟ ଆଇନଜୀବୀ ଶ୍ରୀ ଡାଭେ କହିଥିଲେ ଯେ, ୨୦୧୬ ଫେବ୍ରୁଆରିରେ ଷ୍ଟେଟ୍‌ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଏକ ଆଇନଗତ ପରାମର୍ଶ ଦିଆଯାଇଥିଲା। ସୁପ୍ରିମକୋର୍ଟରେ ମାମଲା ଦାୟର କରି ମାଲ୍ୟାଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇବାକୁ ବ୍ୟାଙ୍କକୁ କୁହାଯାଇଥିଲା। ମୁଁ ଯେଉଁ ପ୍ରସ୍ତାବ ଦେଇଥିଲେ ସେ ବିଷୟରେ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ଓ କିଛି ବରିଷ୍ଠ ସରକାରୀ ଅଧିକାରୀ ମଧ୍ୟ ଜାଣିଥିଲେ। କିନ୍ତୁ ମୋ ପରାମର୍ଶ ଅନୁଯାୟୀ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଏହାର ଚାରି ଦିନ ପରେ ମାଲ୍ୟା ଦେଶ ଛାଡ଼ି ଚାଲିଯାଇଥିଲେ ବୋଲି ଶ୍ରୀ ଡାଭେ କହିଛନ୍ତି। ସେ କହିଲେ, ଷ୍ଟେଟ୍‌ ବ୍ୟାଙ୍କର ଚାରି ବରିଷ୍ଠ ଅଧିକାରୀ ଓ ଆଇନ ପରାମର୍ଶଦାତା ଅଧିକାରୀ ମାଲ୍ୟା ମାମଲା ବିଷୟରେ ଆଲୋଚନା କରିବାକୁ ମୋ ପାଖକୁ ଆସିଥିଲେ। ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ଆସନ୍ତାକାଲି ପୁଣି ଥରେ ଦେଖା ହେବ ଓ ସୁପ୍ରିମକୋର୍ଟରୁ ମାଲ୍ୟାଙ୍କ ଦେଶ ଛାଡ଼ିବା ଉପରେ ରୋକ ଲଗାଇବା ସଂକ୍ରାନ୍ତ ନିର୍ଦେଶ ଆଣିବାକୁ ପ୍ରୟାସ କରାଯିବ। କିନ୍ତୁ, ଏହାର ପରଦିନ ଷ୍ଟେଟ୍‌ ବ୍ୟାଙ୍କ ଅଧିକାରୀମାନେ ଆସିନଥିଲେ ବୋଲି ଡାଭେ କହିଛନ୍ତି।

ସନ୍ଦେହ ଘେରରେ ଅର୍ଥ ମନ୍ତ୍ରଣାଳୟ ଅଧିକାରୀ
ନୂଆଦିଲ୍ଲୀ, : ବିଜୟ ମାଲ୍ୟା ଋଣ ଠକେଇ ମାମଲାରେ ନିଜର ତଦନ୍ତକୁ ଆହୁରି ବ୍ୟାପକ କରିବ ସିବିଆଇ। ମାଲ୍ୟାଙ୍କ ବିମାନ କଂପାନି କିଙ୍ଗଫିସର୍‌ ଏୟାରଲାଇନ୍ସକୁ ଋଣ ପ୍ରଦାନ କରିବାରେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନଙ୍କ କ’ଣ ଭୂମିକା ଥିଲା ତାହାକୁ ସିବିଆଇ ଯାଞ୍ଚ କରିବ। ସିବିଆଇ ପକ୍ଷରୁ ମନ୍ତ୍ରଣାଳୟ ଠାରୁ ବିପୁଳ ପରିମାଣର ଦଲିଲ ହାସଲ କରାଯାଇଛି। ସେଗୁଡ଼ିକୁ ଏବେ ଅନୁଧ୍ୟାନ କରାଯାଉଛି। ୨୦୦୮-୨୦୧୩ ମଧ୍ୟରେ ମାଲ୍ୟା ଓ ତାଙ୍କ କଂପାନିର ଅଧିକାରୀମାନଙ୍କ ମଧ୍ୟରେ ଆଦାନପ୍ରଦାନ ହୋଇଥିବା ଏକ ଲକ୍ଷରୁ ଅଧିକ ଇ-ମେଲ୍‌କୁ ଜବତ କରାଯାଇଛି। ସେଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟକୁ ପଠାଯାଇଥିବା କେତେକ ଇ-ମେଲ୍‌ ମଧ୍ୟ ରହିଛି। ବ୍ୟାଙ୍କରୁ ଋଣ ଆଣିବା ଓ ବିମାନ ଇନ୍ଧନ ଅର୍ଥ ପେମେଣ୍ଟ୍‌ କରିବା ସଂକ୍ରାନ୍ତରେ ଏହି ସବୁ ଇ-ମେଲ୍‌ର ଆଦାନପ୍ରଦାନ କରାଯାଇଥିଲା। ଅର୍ଥ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାମ କରିଥିବା ଅମିତାଭ ବର୍ମାଙ୍କୁ ସିବିଆଇ ସନ୍ଦେହ ଦୃଷ୍ଟିରେ ଦେଖୁଛି। ଷ୍ଟେଟ୍‌ ବ୍ୟାଙ୍କଠାରୁ ୫୦୦ କୋଟି ଟଙ୍କାର ଋଣ ହାତେଇବାରେ ଶ୍ରୀ ବର୍ମା କିଙ୍ଗଫିସର୍‌ ଏୟାରଲାଇନ୍ସକୁ ସହାୟତା କରିଥିବା ସନ୍ଦେହ କରାଯାଉଛି। ମାଲ୍ୟା ଓ ତାଙ୍କ କଂପାନିର ପରାମର୍ଶଦାତା ଏକେ ରବି ନେଦୁଙ୍ଗାଡ଼ିଙ୍କ ମଧ୍ୟରେ ହୋଇଥିବା ଇ-ମେଲ୍‌ ବାର୍ତାଳାପରେ ଅମିତାଭ ବର୍ମାଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏକ ଇ-ମେଲ୍‌ରେ ମାଲ୍ୟା ଲେଖିଥିଲେ ଯେ, ଅମିତାଭ୍‌ ମୋତେ ଫୋନ୍‌ କରିଥିଲେ ଓ ଏସ୍‌ବିଆଇ ସହ ଆଲୋଚନା କିଭଳି ରହିଥିଲା ପଚାରୁଥିଲେ। ମୁଁ ତାଙ୍କୁ ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲି ଓ ୫୦୦ କୋଟି ଟଙ୍କାର ଆବଣ୍ଟନ ହାସଲ କରିବା କେତେ ଜରୁରୀ ତାହା ଜଣାଇଥିଲି। ଅମିତାଭ କହିଥିଲେ ଯେ ମୁଁ ଶ୍ରୀ ଭଟ୍ଟଙ୍କ ସହ କଥା ହୋଇଛି ଓ ଆବଣ୍ଟନ ମିଳିଯିବ। ଉପା ସରକାରଙ୍କ ଅମଳରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କିଛି ରାଜନେତାଙ୍କର ଏହି ମାମଲା ସହିତ କିଛି ସମ୍ପୃକ୍ତି ଅଛି ନା ନାହିଁ ତାହାର ମଧ୍ୟ ତଦନ୍ତ କରୁଛି ସିବିଆଇ।

ସମ୍ବନ୍ଧିତ ଖବର