ନବୀନଙ୍କ ୨୦ ବର୍ଷର ଶାସନ କାଳରେ ବିଭିନ୍ନ ଯୋଜନା

ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ
ଗତ ୨୦ ବର୍ଷ ମଧ୍ୟରେ ଭୁବନେଶ୍ବର ସମେତ ସାରା ଓଡ଼ିଶା ଶିକ୍ଷା ହବ୍ ପାଲଟିଛି। ଅନେକ ଘରୋଇ ଶିକ୍ଷାନୁଷ୍ଠାନ ରାଜ୍ୟର ଶିକ୍ଷା ମାନଚିତ୍ରକୁ ବଦଳାଇ ଦେଇଥିଲା ବେଳେ ବହୁ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଓଡ଼ିଶାରେ ପ୍ରତିଷ୍ଠା ହୋଇଛି। ଭୁବନେଶ୍ବରରେ ଏମ୍‌ସ, ଆଇଆଇଟି, ନାଇଜର୍‌ ପରି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା ବେଳେ ସମ୍ବଲପୁରରେ ଆଇଆଇଏମ୍‌ ଓ ବ୍ରହ୍ମପୁରରେ ଆଇଜର୍‌ ପ୍ରତିଷ୍ଠା ହୋଇଛି।

ମହିଳାଙ୍କ ପାଇଁ ୫୦% ସଂରକ୍ଷଣ
ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲେ। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ଏଥିରେ ଆଉ ଏକ ଅଧ୍ୟାୟ ଯୋଡ଼ା ହେଲା। ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ୫୦% ଆସନ ସଂରକ୍ଷିତ ରଖାଗଲା। ସାରା ଦେଶରେ ଏହା ଏକ ଉଦାହରଣ ସୃଷ୍ଟି କଲା।

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୦ ବର୍ଷର ଶାସନ ଭିତରେ ଅନ୍ତୁଡ଼ିଶାଳରୁ ମଶାଣି ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ପାଇଁ ଅନେକ ଯୋଜନା କରାଯାଇଛି। ପିଲା ଜନ୍ମ ହେଲା ବେଳେ ‘ମମତା’ ଯୋଜନାରେ ପ୍ରସୂତିଙ୍କୁ ସହାୟତା ମିଳୁଛି। ତାହା ପରେ ଜୀବନର ବିଭିନ୍ନ ପର୍ଯ୍ୟାୟରେ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଶେଷରେ ଜୁଇ ଜଳିଲା ବେଳେ ପରିବାରକୁ ‘ହରିଶ୍ଚନ୍ଦ୍ର’ ଯୋଜନାରେ ସହାୟତା ବି ଦିଆଯାଉଛି।

ଇସ୍ପାତ ଓ ଶକ୍ତି ପ୍ରକଳ୍ପ ବଢ଼ିଲା
ଓଡ଼ିଶାରେ ଇସ୍ପାତ ଶିଳ୍ପ କହିଲେ କେବଳ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌କୁ ବୁଝାଉଥିଲା। କିନ୍ତୁ ଗତ ୨୦ ବର୍ଷ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଇସ୍ପାତ ଶିଳ୍ପ ଉତ୍ପାଦନ ଆରମ୍ଭ କରିଛନ୍ତି। ଆଉ କିଛି ଶିଳ୍ପର ନିର୍ମାଣ ଜାରି ରହିଛି। ସେହିପରି ରାଜ୍ୟରେ ବହୁ ପାୱାର୍‌ ପ୍ଲାଣ୍ଟ୍‌ ନିର୍ମାଣ ମଧ୍ୟ ହୋଇଛି। ଏହା ମାଧ୍ୟମରେ ଓଡ଼ିଶା ବିଦ୍ୟୁତ କ୍ଷେତ୍ରରେ ବଳକା ରାଜ୍ୟରେ ପରିଣତ ହୋଇପାରିଛି।

ସଶକ୍ତ ହେଲେ ମହିଳା
ରାଜ୍ୟରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା କ୍ଷେତ୍ରରେ ଏହା ସହାୟକ ହେଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬ ଲକ୍ଷ ଏସ୍‌ଏଚ୍‌ଜି ଗଠନ ହୋଇସାରିଛି। ରାଜ୍ୟ ସରକାର ବିଭିନ୍ନ ସମୟରେ ଏସ୍‌ଏଚ୍‌ଜିମାନଙ୍କୁ ପ୍ରୋତ୍ସାହନ ଦେଇ ଆ‌ସୁଛନ୍ତି। ଲକ୍ଷ ଲକ୍ଷ ମହିଳା ଏହା ଦ୍ବାରା ଉପକୃତ ହେଉଛନ୍ତି।

ମାଳ ମାଳ ବିଶ୍ବବିଦ୍ୟାଳୟ
ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଏକାଧିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ୨୦୨୦ ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ହାତଗଣତି ବିଶ୍ବବିଦ୍ୟାଳୟ ରହିଥିଲା। ତେବେ ଧୀରେ ଧୀରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରେଭେନ୍ସା ବିଶ୍ବବିଦ୍ୟାଳୟ ସମେତ ରମାଦେବୀ ମହିଳା ମହାବିଦ୍ୟାଳୟ, ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ଏକକ ବିଶ୍ବବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ପରି ସରକାରୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଏବେ ଏବେ ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟ ଓ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟଳୟ ପରିଣତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ ଓଡ଼ିଆ ବିଶ୍ବବିଦ୍ୟାଳୟର ବି ଭିତ୍ତିଭୂମି ପଡ଼ିସାରିଛି। ଏହାବ୍ୟତୀତ ୨୦ ବର୍ଷ ମଧ୍ୟରେ ଅଧ ଡଜନରୁ ଅଧିକ ଘରୋଇ ବିଶ୍ବବିଦ୍ୟାଳୟ ରାଜ୍ୟରେ ପ୍ରତିଷ୍ଠା ହୋଇଛି।

ସବୁ ବ୍ଲକ୍‌ରେ ଆଦର୍ଶ ବିଦ୍ୟାଳୟ
ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ସିବିଏସ୍‌ଇ ପାଠ୍ୟକ୍ରମରେ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ହାତକୁ ନେଇଛି। ରାଜ୍ୟର ସମସ୍ତ ୩୧୪ଟି ବ୍ଲକ୍‌ରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରି ଆଦର୍ଶ ବିଦ୍ୟାଳୟ ଖୋଲିବ। ଇତିମଧ୍ୟରେ ୨୧୪ଟି ବ୍ଲକ୍‌ରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇସାରିଛି। ଖୁବ୍‌ଶୀଘ୍ର ରାଜ୍ୟର ଆଉ ୧୦୦ଟି ବ୍ଲକ୍‌ରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ସେହିପରି ଭୁବନେଶ୍ବରରେ ହେବ ମଡେଲ ଆଦର୍ଶ ବିଦ୍ୟାଳୟ। ଏଠାରେ ପ୍ରତ୍ୟେକ ଜିଲ୍ଲାର ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ସୁଯୋଗ ପାଇବେ। ରାଜ୍ୟର ୩୦ଟି ଜିଲ୍ଲାର ଗୋଟିଏ ଲେଖାଏ ଆଦର୍ଶ ବିଦ୍ୟାଳୟକୁ ଚିହ୍ନଟ କରାଯାଇ ମଡେଲ୍‌ କରାଯିବ।

ଉନ୍ନତ ‌ସ୍ବାସ୍ଥ୍ୟସେବା ପାଇଁ ମେଡିକାଲ କଲେଜ
ରାଜ୍ୟରେ ମାତ୍ର ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲା। କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ, ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ବୁର୍ଲାସ୍ଥିତ ଭିମ୍‌ସାର ମେଡିକାଲ କଲେଜ ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ୪ଟି ମେଡିକାଲ କଲେଜ ଯୋଡ଼ି ହୋଇଛି। ବାଲେଶ୍ବରରେ ଫକୀର ମୋହନ ମେଡିକାଲ କଲେଜ, ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ, କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ବଲାଙ୍ଗୀରରେ ଭୀମ ଭୋଇ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି। ପୁରୀ, କନ୍ଧମାଳ, କେନ୍ଦୁଝରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ।

ନିଅଣ୍ଟିଆରୁ ବଳକା ରାଜ୍ୟ
୨୦୦୦ ମସିହା ବେଳକୁ ଦୁର୍ବଳ ଅର୍ଥନୀତିର ଚାଦର ରଖିଥିଲା ଅର୍ଥମନ୍ତ୍ରୀଙ୍କ ବଜେଟ୍ ବାକ୍ସକୁ ଧୁଳି ଧୂସର କରିଦେଇଥିଲା। ସ୍ଥିତି ଏମିତି େହାଇଥିଲା ଯେ ସରକାରୀ କର୍ମଚାରୀ ଠିକ୍ ସମୟରେ ଦରମା ପାଉନଥିଲେ। ଓଭରଡ୍ରାଫ୍ଟ ଏକ ନିୟମିତ ଘଟଣା ଥିଲା। ଅନାହାର ଭଳି କଳଙ୍କ ମୁଣ୍ଡାଇ ବୁଲୁଥିଲା ଓଡ଼ିଶା। ୨୦୦୦-୦୧ରେ ଓଡ଼ିଶା ବଜେଟ୍ ଆକାର ଥିଲା ୧୪୦୪୩ କୋଟି ଟଙ୍କା, ଜିଏସ୍‌ଡିପିର ପରିମାଣ ଥିଲା ୪୬ ହଜାର ୭୫୬ କୋଟି ଟଙ୍କା। ୨୦୨୦-୨୧ରେ ସରକାର ୧ଲକ୍ଷ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ସାହସ ଦେଖାଇଲେଣି। ଜିଏସଡିପିର ପରିମାଣ ୧୦ଗୁଣାରୁ ଅଧିକ। ଓଡ଼ିଶା ନିଅଣ୍ଟିଆ ରାଜ୍ୟରୁ ମୁକୁଳି ଏକ ବଳକା ରାଜ୍ୟରେ ପରିଣତ ହୋଇ ସାରିଲେଣି। ରାଜ୍ୟରେ ସରକାରଙ୍କ ନିଜସ୍ବ ୪୨୮ଟି କାର୍ଯ୍ୟକ୍ରମ ଚାଲିଛି ବୋଲି ନିକଟରେ ଯୋଜନା ଓ ସେଂଯାଜନ ବିଭାଗ ଦାବି କରିଛି।

କୃଷି ବଜେଟ୍‌
କୃଷି ‌େକ୍ଷତ୍ରକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ନିଜସ୍ବ ପାଣ୍ଠି‌େର ଅନେକ ଯୋଜନା ଘୋଷଣା କରିଛନ୍ତି। କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ସ୍ବତନ୍ତ୍ର କୃଷି ବଜେଟ୍‌ ପ୍ରସ୍ତୁତ କରାଯାଉଛି। ୨୦୧୩-୧୪ ମସିହାରେ ପ୍ରଥମ ଥର ପାଇଁ ୭,୧୬୨ କୋଟି ଟଙ୍କା ବ୍ୟୟ ଅଟକଳରେ କୃଷି ବଜେଟ୍‌ ଆଗତ ହୋଇଥିଲା। ଏହା ବୃଦ୍ଧି ପାଇ ୨୦୨୦-୨୧ରେ କୃଷି ବଜେଟ୍‌ର ବ୍ୟୟ ଅଟକଳ ୧୯,୪୦୮ କୋଟି ଟଙ୍କାରେ ପହଞ୍ଚିଛି।

‘ସ୍ମାର୍ଟ ସିଟି’ ଯୋଜନାରେ ୨ ସହର
ଭୁବନେଶ୍ବର ସମେତ କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାକୁ ମହାନଗର ନିଗମର ମାନ୍ୟତା ଦିଆଯାଇ ସହରବାସୀଙ୍କୁ ବିଭିନ୍ନ ସେବା‌ ଯୋଗାଣର ମାନରେ ଉନ୍ନତି କରାଯାଉଛି। ଏତିକିରେ ସରକାର ଅଟକି ନାହାନ୍ତି। ଭୁବନେଶ୍ବର ଓ ରାଉରକେଲାକୁ କେନ୍ଦ୍ର ସରକାରଙ୍କ ‌‘ସ୍ମାର୍ଟ ସିଟି’ ଯୋଜନାରେ ସାମିଲ କରିବାରେ ସକ୍ଷମ ହୋଇଛନ୍ତି। ସାରା ଦେଶରେ ହୋଇଥିବା ସ୍ମାର୍ଟ ସିଟି ଦୌଡ଼ରେ ଭୁବନେଶ୍ବର ଏକ ନମ୍ବର ସ୍ଥାନ ହାସଲ କରିପାରିଥିଲା।

ସମ୍ବନ୍ଧିତ ଖବର