ରାଜ୍ୟସ୍ତରୀୟ ‘ଖଦି ହାଟ’: ୧୦ ଦିନରେ କୋଟିଏ ବେପାର

ଭୁବନେଶ୍ବର: ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଆୟୋଜିତ ଜାତୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଓ ବିକ୍ରୟ ମେଳା ‘ଖଦି ହାଟ’ ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଛି। ୧୦ ଦିନ ବ୍ୟାପୀ ଅନୁଷ୍ଠିତ ଏହି ମେଳାରେ ୪୦ଟି ଷ୍ଟଲ୍‌ରେ ଖଦି ବସ୍ତ୍ର ସାଙ୍ଗକୁ ଗ୍ରାମାଞ୍ଚଳରୁ ଆସିଥିବା ବିଭିନ୍ନ ଘରକରଣା ସାମଗ୍ରୀର ବିକ୍ରିବଟା ହୋଇଥିଲା।

ଏଥିରେ ପ୍ରାୟ କୋଟିଏ ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି। ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ବୋର୍ଡର ବରିଷ୍ଠ ସଦସ୍ୟ ଅରୁନ୍ଧତୀ ଦେବୀ ମୁଖ୍ୟ ଅତିଥି, ବୋର୍ଡର ସଦସ୍ୟ ‌ଦେବେ‌ନ୍ଦ୍ର ମାନସିଂହ, ଅଜୟ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ‌ଦେଇଥିଲେ। ପୂର୍ବତନ ବିଧାୟକ ଲବି ଲାବଣ୍ୟ, ପ୍ରଶାନ୍ତ ମହାନ୍ତି, ସମୀର ସାମନ୍ତରାୟ, ସଦାଶିବ ଜେନା, ସରୋଜ ବୋଷ, ମୀନା ମାଝୀ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଖଦି ବସ୍ତ୍ର ‌କିଭଳି ଆହୁରି ଲୋକାଭିମୁଖୀ ହୋଇପାରିବ, ତାହା ଉପରେ ଅତିଥିମାନେ ଗୁରୁତ୍ବାରୋପ କରିଥିଲେ।

ଏହି ଅବସରରେ ‘ଖଦି ହାଟ’ରେ ଅଂଶଗ୍ରହଣ କରିଥିବା ଷ୍ଟଲ୍‌ଗୁଡ଼ିକୁ ସମ୍ମାନିତ କରାଯାଇଥିଲା। କଟକ ମହିଳା ବିକାଶ ପରିଷଦକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଢେଙ୍କାନାଳ ଜୟ ବଜରଙ୍ଗୀ କାଷ୍ଠ ଓ ଲାଖ ଶିଳ୍ପକୁ ଦ୍ବିତୀୟ ପୁରସ୍କାର, ଜଗତ୍‌ସିଂହପୁର ରାଜ୍‌ ମସଲା ଓ ଭୁବନେଶ୍ବର ସ୍ବୟଂସହାୟକ ଗୋଷ୍ଠୀକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ସେହିଭଳି ଖୋର୍ଦ୍ଧାର ମା’ ଦୁର୍ଗା ଗ୍ରାମ୍ୟ ଶିଳ୍ପ ସମିତି, ରୋଜି କିଚେନ୍‌ ଏବଂ ସ୍ୟାଡୋଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଗତ ୨୧ ତାରିଖରେ ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ବତନ୍ତ୍ର ଜୁରି ପୁରସ୍କାର ପ୍ରଦାନ କରାଯାଇଥିଲା। ସମସ୍ତ ପ୍ରତିଯୋଗୀମାନଙ୍କୁ ସାନ୍ତନ୍ବାମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର