ଓବିସି ଚିହ୍ନଟ ପାଇଁ ରାଜ୍ୟମାନଙ୍କୁ ମିଳିବ ଅଧିକାର

ଆସନ୍ତା ସପ୍ତାହରେ ୧୨୭ତମ ସଂବିଧାନ ସଂଶୋଧନ ବିଲ, ବିଜେଡି କରିବ ସମର୍ଥନ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଶେଷ ହେବାକୁ ଆଉ ଗୋଟିଏ ସପ୍ତାହ ବାକି ଅଛି। ପେଗାସସ୍‌ ଗୁଇନ୍ଦା ବିବାଦ, କୃଷି ଆଇନ, ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ସରକାର ଉଭୟ ଗୃହରେ ୨୫ଟି ବିଧେୟକ ପାରିତ କରିସାରିଛନ୍ତି। ଏହି କ୍ରମରେ ଆସନ୍ତା ସପ୍ତାହରେ ସରକାର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସଂରକ୍ଷଣ ଜଡ଼ିତ ସଂବିଧାନ ସଂଶୋଧନ ବିଧେୟକକୁ ଉଭୟ ଗୃହରେ ଆଗତ କରି ପାରିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। କେନ୍ଦ୍ର କ୍ୟାବିନେଟ୍‌ ଦ୍ବାରା ରାଜ୍ୟମାନଙ୍କୁ ଓବିସି ତାଲିକାର ଅଧିକାର ପ୍ରଦାନ କରିବା ସଂପର୍କିତ ବିଲ୍‌କୁ ମଂଜୁରି ଦିଆଯାଇଥିଲା।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ଓବିସି ସଂରକ୍ଷଣ ସହ ଜଡ଼ିତ ୧୨୭ତମ ସଂବିଧାନ ସଂଶୋଧନ ବିଲ୍‌କୁ ସମସ୍ତ ରାଜନୈତିକ ଦଳ ଉଭୟ ଗୃହରେ ବିଲ୍‌ ଆଲୋଚନାରେ ଭାଗନେବେ ଏବଂ ସମର୍ଥନ କରିବେ। ବିରୋଧୀଦଳମାନଙ୍କ ଦ୍ବାରା ସେମାନଙ୍କର ବିରୋଧ ଜାରି ରହିବା ସତ୍ତ୍ବେ ସଂବିଧାନ ସଂଶୋଧନ ବିଲକୁ ସେମାନେ ସମର୍ଥନ କରିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ବିଜେଡି ଏହି ବିଲ୍‌କୁ ସମର୍ଥନ କରିବ ବୋଲି ଦଳର ରାଜ୍ୟସଭ‌ା ନେତା ପ୍ରସନ୍ନ ଆଚାର୍ଯ୍ୟ ‘ସମ୍ବାଦ’ ସୂଚନା ଦେଇଛନ୍ତି। ଚଳିତ ଅଧିବେଶନରେ ସରକାରଙ୍କ ଦ୍ବାରା ଯେଉଁସବୁ ବିଲ ପାରିତ କରାଯାଇଛି, ସମସ୍ତ ବିଲ୍‌କୁ ବିଜେଡି ସମର୍ଥନ କରିଛି।

ସମ୍ବନ୍ଧିତ ଖବର