ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଏଏସଆଇ ନିୟମିତ ପଦକ୍ଷେପ ନେଉଛି

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ନିୟମିତ ଭାବେ ଏହାର ସଫେଇ ଏବଂ ଅନ୍ୟାନ୍ୟ ମରାମତି କାର୍ଯ୍ୟ ଓ ଜଳ ନିଷ୍କାସନ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ।

Konark Temple
Drishti IAS

ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ପକ୍ଷରୁ କେଉଁ ସବୁ ପଦକ୍ଷେପ ନିଆଯାଇଛି, ସେ ନେଇ ପ୍ରଶ୍ନ କରିଥିବା ବେଳେ ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ଲୁଣି ପବନ ଦ୍ବାରା ସୂର୍ଯ୍ୟ ମନ୍ଦିରର ହେଉଥିବା କ୍ଷତି, ପାଣି ଜମି ରହୁଥିବା ଯୋଗୁ କ୍ଷତି, ମୃତ୍ତିକା କ୍ଷୟ ସହ ମାଡ଼ିଯାଉଥିବା ଅନାବନା ଗଛଲତାକୁ ବଢ଼ିବାରୁ ରୋକିବା ପାଇଁ ଅନେକ ପଦକ୍ଷେପ ନେଇଛି। ପେପର ପଲ୍ପ ପ୍ରଣାଳୀ ଦ୍ବାରା ମନ୍ଦିରର ଭୂପୃଷ୍ଠକୁ ସଫା କରିବା, ଆବଶ୍ୟକସ୍ଥଳେ ସାଧା ପଥର ଏକତ୍ର କରି ଫାଙ୍କ ସୃଷ୍ଟି ହୋଇଥିବା ବା ଫାଟିଯାଇଥିବା ସ୍ଥାନକୁ ମରାମତି କରିବା, ଲୁଣି ପବନ ଦ୍ବାରା ହେଉଥିବ‌ା କ୍ଷୟକୁ ରୋକିବା ପାଇଁ ଆଖପାଖ ଅଞ୍ଚଳରେ ବୃକ୍ଷରୋପଣ କରିବ‌ା, ପମ୍ପ ସେଟ୍ ବ୍ୟବହାର କରି ଜଳ ଅପସାରଣ କରିବା ଏବଂ ଅନାବନା ଗଛକୁ ବଢ଼ିବାରୁ ରୋକିବା ପାଇଁ ପର୍ଯ୍ୟାୟକ୍ରମେ ଜୈବ ଚିକିତ୍ସା କରିବା ଭଳି କାମ ଏଏସଆଇ ପକ୍ଷରୁ କରାଯାଉଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ସ୍ମାରକୀଗୁଡିକର ସଂରକ୍ଷଣ କାର୍ଯ୍ୟ ଏକ ନିରନ୍ତର ପ୍ରକ୍ରିୟା ଏବଂ ଏଏସଆଇ ଦ୍ବାରା ନିୟମିତ ଯତ୍ନ ନେବା ହେତୁ ଏହି ବିଶ୍ୱ ଐତିହ୍ୟସ୍ଥଳ ଆଜି ଭଲ ସ୍ଥିତିରେ ଅଛି। ସମସ୍ତ ସଂରକ୍ଷଣ କାର୍ଯ୍ୟ ଏଏସଆଇର ସଂରକ୍ଷଣ ନୀତି, ୨୦୧୪ ଅନୁଯାୟୀ କରାଯାଇଛି।

ସମ୍ବନ୍ଧିତ ଖବର