ଭୁବନେଶ୍ବର : ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ବର୍ଗଙ୍କୁ ଜୀବିକା ସୁରକ୍ଷିତ କରିବା ସହ ଗୋଷ୍ଠୀ ନେତୃତ୍ଵକୁ ଅଗ୍ରାଧିକାର ଦେବାପାଇଁ ଚାଲିଥିବା ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ’ (ମୁକ୍ତା) ଯୋଜନାରେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଘୋଷଣା କରିଛନ୍ତି ସରକାର। ନିକଟରେ ନୟାଗଡ ପୌରପାଳିକାର କିଛି ଅଞ୍ଚଳରେ ମୁକ୍ତା ଯୋଜନାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଇମ୍ପ୍ଲିମେଣ୍ଟେସନ୍ ଏକ୍ସପର୍ଟ ଗୁରୁଚରଣଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନିଆଯାଇଛି।
ପୌରପାଳିକାର ୭ ନମ୍ବର ୱାର୍ଡ ସ୍ଥିତ ତାରକେଇ ମନ୍ଦିର ତଥା ଅଙ୍ଗନୱାଡି କେନ୍ଦ୍ରରେ ଛାତ ଉପର ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ନ କରି ଫଟୋସପ୍ ଜରିଆରେ ନକଲି ଫଟୋ ଓ ଜାଲ୍ ବିଲ୍ ପୈଠ କରି ଯୋଜନା ଅର୍ଥ ବାଟମାରଣା କରାଯାଇଥିବା ଅଭିଯୋଗ ହେବା ପରେ ଟାଉନ୍ ଥାନାରେ ଏତାଲା ଦାୟର୍ କରାଯିବା ସହ ଆଉ କେଉଁଠି ଯେଭଳି ନ ହୁଏ, ସେଥିପ୍ରତି ଅଧିକାରୀମାନଙ୍କୁ କଡ଼ା ତାଗିଦ କରାଯାଇଛି। ଆବଶ୍ୟକ ସ୍ଥଳେ ଦୁର୍ନୀତି ପ୍ରମାଣିତ ହେଲେ ଦୋଷୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯିବ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଯୋଜନାରେ ଅବହେଳାକୁ ତୁରନ୍ତ ବିଭାଗ ନଜରକୁ ଆଣିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ତା ସହିତ ଏ ଦିଗରେ ତୀକ୍ଷ୍ଣ ଦୃଷ୍ଟି ରଖିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/labour.jpg)