୮ ବର୍ଷ ପରେ ଛାତ୍ରୀଙ୍କୁ ମିଳିଲା ନ୍ୟାୟ

ଆର୍‌ଟିଆଇ ହେଲା ସହାୟକ, ଗିରଫ ହେଲା ମା’ ହତ୍ୟାକାରୀ

ସମ୍ବଲପୁର: ଦୀର୍ଘ ୮ ବର୍ଷର ନିରବଚ୍ଛିନ୍ନ ସଂଘର୍ଷ ପରେ ନ୍ୟାୟ ପାଇଛନ୍ତି ଜଣେ ଜେଏନ୍‌ୟୁ ଛାତ୍ରୀ। ତାଙ୍କ ନିଖୋଜ ମା’ଙ୍କୁ ହତ୍ୟା କରାଯାଇଥିବା ତଦନ୍ତ ପରେ ପୁଲିସ୍‌ ସ୍ପଷ୍ଟ କରିଥିବାବେଳେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିବାରେ ସକ୍ଷମ ହୋଇଛି। ସୂଚନା ଅଧିକାରର ସହାୟତା ବଳରେ ସେ ମା’ଙ୍କ ଅବସ୍ଥିତି ସଂପର୍କରେ ଜାଣିପାରିଥିବା କହିଛନ୍ତି। ଜେଏନ୍‌ୟୁ ଛାତ୍ରୀ ହେଲେ, ସମ୍ବଲପୁର ନନ୍ଦପଡ଼ା ଅଧିବାସୀ ସ୍ବର୍ଗତ ମୁରାରୀ ମିଶ୍ରଙ୍କ ସାନ ଝିଅ ବିଜୟିନୀ ମିଶ୍ର। ୨୦୧୧ ମସିହାରେ ବଡ଼ଭଉଣୀଙ୍କ ବିବାହ କାର୍ଡ ବାଣ୍ଟିବାକୁ ବଡ଼ସିଂହାରି ଗ୍ରାମକୁ ଯାଇ ମା’ ଜୟଶ୍ରୀ ଆଉ ଫେରିନଥିଲେ। ଏନେଇ ପ୍ରଥମେ ଭାଇ ଭବାନୀ ଟାଉନ ଥାନାରେ ଅଭିଯୋଗ କରିଥିଲୋ। ପୁଲିସ କେବଳ ଷ୍ଟେସନ ଡାଏରି ରୁଜୁ କରି ଚୁପ ପଡ଼ି ଯାଇଥିଲା। ଏହାପରେ, ବିଜୟିନୀ ପୁଲିସ୍‌ର ଉପରିସ୍ଥ ଅଧିକାରୀଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ ମଧ୍ୟ ନିରାଶ ହୋଇଥିଲେ। ପୁଲିସ୍‌ ମଧ୍ୟ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିନଥିବା ବିଜୟିନୀ କହିଛନ୍ତି। ଘଟଣାର ୮ ବର୍ଷ ପରେ ବିଜୟିନୀ ସୂଚନା ଅଧିକାର (ଆର୍‌ଟିଆଇ)ର ସାହାରା ନେଇଥିଲେ। ଏଥିରେ ୨୦୧୧ ମସିହାରେ ନିଖୋଜ ଜୟଶ୍ରୀ ମିଶ୍ର ମାମଲାର ସ୍ଥିତି କଣ, ଏ ନେଇ ପୁଲିସ୍‌ କାହା କାହାକୁ ପଚରାଉଚରା କରିଛି, କେତେ ଜଣ ଗିରଫ ହୋଇଛନ୍ତି ବୋଲି ସେ ଜାଣିବାକୁ ଚାହିଁଥିଲେ। ଡିଜି କାର୍ଯ୍ୟାଳୟ ନିର୍ଦେଶରେ ଏସଡିପିଓ ଭବାନୀ ଉଦଗାତା ମାମଲା ତଦନ୍ତ କରିଥିଲେ। ଶେଷରେ, ଏହା ଏକ ହତ୍ୟାକାଣ୍ଡ ବୋଲି ତଦନ୍ତ ପରେ ପୁଲିସ୍‌ ସ୍ପଷ୍ଟ କରିଥିଲା। ଏହାପରେ ପୁଲିସ୍‌ ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ବିଜୟିନୀ କହିଛନ୍ତି, ଏତିକିରେ ସଂଘର୍ଷ ସରିଯାଉ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମା’ଙ୍କ ଦେହବଶେଷ ଉଦ୍ଧାର ହୋଇନାହିଁ। ଅଭିଯୁକ୍ତ ଉପସ୍ଥିତିରେ ପୁଲିସ ଖୋଜାଖୋଜି କରିଛି। ଏବେ ମା’ଙ୍କ ଦେହାବଶେଷ ଖୋଜିବାକୁ ଆଉ ୮ ବର୍ଷ ନଲାଗୁ ବୋଲି ସେ ‌କ୍ଷୋଭର ସହ କହିଛନ୍ତି।

ସମ୍ବନ୍ଧିତ ଖବର