ବିଶାଖାପାଟଣା ଗ୍ୟାସ ଟ୍ରାଜେଡି : ମୃତ୍ୟୁର ଦୂତ ସାଜିଲା ସୁବାସିତ ଷ୍ଟିରିନ୍‌

ନୂଆଦିଲ୍ଲୀ: ସଂପ୍ରତି କରୋନା ଭାଇରସ୍‌କୁ ନେଇ ସମଗ୍ର ଦେଶ ଏକ ଭୟ ଓ ଆତଙ୍କର ବାତାବରଣ ମଧ୍ୟଦେଇ ଗତି କରୁଥିବା ବେଳେ ଆଜି ପ୍ରତ୍ୟୁଷରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଘଟିଯାଇଛି ଆଉ ଏକ ଅଭାବନୀୟ ଘଟଣା। ବିଶାଖାପାଟଣା ନିକଟସ୍ଥ ଗୋପାଳପଟ୍ଟନମରେ ଥିବା ଏଲ୍‌ଜି ପଲିମରସ୍‌ ନାମକ ଏକ କାରଖାନାରୁ ବିଷାକ୍ତ ଗ୍ୟାସ ନିର୍ଗତ ହେବା କାରଣରୁ ଘଟିଛି ଏହି ଦୁଃଖଦ ଶିିଳ୍ପ ଦୁର୍ଘଟଣା। ଏଯାବତ୍‌ ଏହି ଦୁର୍ଘଟଣାରେ ୧୧ ଜଣ ପ୍ରାଣ ହରାଇ ସାରିଥିବା ବେଳେ ୩୦୦ରୁ ଅଧିକ ଗୁରୁତର ହୋଇ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏପରିସ୍ଥିତିରେ ସ୍ୱାଭାବିକ ଭାବେ ବିଗତ ୧୯୮୪ରେ ମଧ୍ୟପ୍ରଦେଶର ଭୋପାଳରେ ଘଟି ଯାଇଥିବା ଭୟାନକ ‘ଗ୍ୟାସ ଟ୍ରାଜେଡି’ର ସେଇ ହୃଦୟ ବିଦାରକ ଚିତ୍ରସବୁ ଆଉଥରେ ସମ୍ମୁଖକୁ ଆସିଯିବା ସହ ଭାଇଜାକ୍‌ ଗ୍ୟାସ୍‌ ଦୁର୍ଘଟଣାକୁ କେନ୍ଦ୍ରକରି ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଓ ଆଲୋଚନା। ତେବେ, ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଭାଇଜାକ୍‌ରେ ଥିବା ଏଲ୍‌ଜି ପଲିମରସ୍‌ ପ୍ଲାଣ୍ଟରୁ ଷ୍ଟିରିନ୍‌ ନାମକ ଗ୍ୟାସ୍‌ ନିର୍ଗତ ହୋଇ ବାୟୁ ମଣ୍ଡଳରେ ବ୍ୟାପିଯିବା ପରେ ଘଟିଛି ଏହି ଦୁଃଖଦ ଦୁର୍ଘଟଣା।

News Nation

ତେବେ, ମୃତ୍ୟୁର ଦୂତ ସାଜିଥିବା କ’ଣ ଏହି ଷ୍ଟିରିନ୍‌ ଗ୍ୟାସ୍‌? ଏହା କ’ଣ କ୍ଷତି କରିଥାଏ ମନୁଷ୍ୟର?

ସୂଚନା ଅନୁସାରେ  ଷ୍ଟିରିନ୍‌ ହେଉଛି ରଙ୍ଗବିହୀନ ଏକ ତରଳ ରସାୟନିକ ଗ୍ୟାସ୍‌। ଏହାକୁ ଶୀତଳୀକୃତ କରାଯିବା ପରେ ଏହାର ବ୍ୟବହାର ରବର, ପ୍ଲାଷ୍ଟିକ୍‌ ଓ ଫାଇଭର ଉତ୍ପାଦନ କରୁଥିବା କାରଖାନାଗୁଡ଼ିକରେ  କରାଯାଇଥାଏ। ଆଘ୍ରାଣରେ ଯଦିଓ ଏହି ଗ୍ୟାସ୍‌ ସୁଗନ୍ଧଯୁକ୍ତ ହୋଇଥାଏ, ତଥାପି ଏହା ଅତ୍ୟନ୍ତ ବିଷାକ୍ତ। ଏହାର ସଂସ୍ପର୍ଶରେ ଆସିଲେ ବ୍ୟକ୍ତିର ଶରୀରରେ ଅନେକ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ଯେପରିକି ନଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ମୁଣ୍ଡ ବୁଲାଇବା ସହ ବିନ୍ଧିବା, ବାନ୍ତି ହେବା, ଆଖି ପୋଡ଼ିବା, ଦେହହାତ ଜଳାପୋଡ଼ା ସହ କୁଣ୍ଡାଇ ହେବା, ବ୍ୟକ୍ତି ଅଚେତ ହୋଇପଡ଼ିବା ଇତ୍ୟାଦି ଲକ୍ଷଣ ସବୁ ଦେଖିବା ପାଇଁ ମିଳିଥାଏ। ଏହି ଗ୍ୟାସ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିର ଆଶୁ ଚିକିତ୍ସା କରା ନ ଗଲେ ଏହା ସଂପୃକ୍ତ ବ୍ୟକ୍ତି ପାଇଁ ମୃତ୍ୟୁର କାରଣ ମଧ୍ୟ ପାଲଟି ଥାଏ।

ଗତକାଲ ବିଳମ୍ବିତ ରାତ୍ରରେ ବିଶାଖାପାଟଣାସ୍ଥିତ ଏଲ୍‌ଜି ପଲିମରସ୍‌ ପ୍ଲାଣ୍ଟରେ ଥିବା ଷ୍ଟିରିନ୍‌ ଗ୍ୟାସ୍‌ ଟ୍ୟାଙ୍କ୍‌ର ଭାଲ୍‌ବରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଟାଙ୍କିରୁ ଷ୍ଟିରିନ୍‌ ଗ୍ୟାସ ନିର୍ଗତ ହୋଇ ୩ କଲୋମିଟର ପରିବ୍ୟାପ୍ତ ବାୟୁ ମଣ୍ଡଳ ମଧ୍ୟରେ ବ୍ୟାପିଯିବା ପରେ ଆଜି ପ୍ରତ୍ୟୁଷରୁ ଘଟଥିଲା ଏହି ଦୁଃଖଦ ଦୁର୍ଘଟଣା। କାରଖାନା ଆଖପାଖ ଅଞ୍ଚଳର ଲୋକମାନେ ସକାଳୁ ସକାଳୁ ନିଦରୁ ଉଠିବା ମାତ୍ରେ ହିଁ ଷ୍ଟିରିନ୍‌ ସେମାନଙ୍କୁ ବନାଇଥିଲା ନଜି ଶିକାର।

ସମ୍ବନ୍ଧିତ ଖବର