କଟକ: ପାର୍ଲାମେଣ୍ଟ ମୋ’ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ। ମୁଁ ଯେଉଁଠି ପଢିଛି, ବଢିଛି, ଯେଉଁ କଟକ ପାଇଁ ଆରମ୍ଭରୁ କାମ କରି ଆସିଛି, ସେଠି ଲଢିବା ଏବଂ ତାର ବିକାଶ ପାଇଁ କିଛି କରିବାର ସୁଯୋଗ ମିଳିବା ହେଉଛି ମୋ’ ପାଇଁ ଭାଗ୍ୟର କଥା। ଆଜି ଏପ୍ରକାର ମତ ରଖିଛନ୍ତି ବିଜେଡିର ମେୟର ପ୍ରାର୍ଥୀ ରାଜ୍ୟସଭା ସଦସ୍ୟ ସୁବାସ ସିଂହ। ଶ୍ରୀ ସିଂହ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ଏଠି ମେୟର ପାଇଁ ଲଢିବାର ସୁଯୋଗ ଦେଇଛନ୍ତି। ଏଠି ବିଜେଡିରୁ କେହି ମେୟର ପାଇଁ ଲବି କରୁ ନଥିଲେ। ଦଳ ଏକଜୁଟ୍ ହୋଇ ଲଢିବ। ଏବଂ ପଂଚାୟତ ନିର୍ବାଚନରେ ଯେଭଳି ଫଳାଫଳ ଦେଖିବାକୁ ମିଳିଲା, କଟକରେ ବି ସେଭଳି ଦଳ ବିପୁଳ ବିଜୟ ହାସଲ କରିବ ବୋଲି ଶ୍ରୀ ସିଂହ କହିଛନ୍ତି। ତାଳଦଣ୍ଡା କେନାଲ ସଂପ୍ରସାରଣ, ବାଦାମବାଡି ବସ୍ ଷ୍ଟାଣ୍ଡ, ଏସସିବି ଏମ୍ସ ପ୍ଲସ୍ ଯୋଜନା ସଂପର୍କରେ ଅବତାରଣା କରି ଶ୍ରୀ ସିଂହ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କଟକକୁ ଭଲ ପାଆନ୍ତି। କଟକର ବିକାଶ କଥା ଚିନ୍ତା କରନ୍ତି। କଟକ ଏକ ନୂଆ ରୂପ ନେବାକୁ ଯାଉଛି। ଏବଂ ସେ ସମସ୍ତଙ୍କ ସମର୍ଥନ ପାଇ ବିଜୟୀ ହେବା ସହିତ କଟକର ବିକାଶଧାରାକୁ ତ୍ବରାନ୍ବିତ କରିବେ ବୋଲି ସୁବାସ କହିଛନ୍ତି।
ସୁବାସଙ୍କ ସାମ୍ବାଦିକ ସମ୍ମିଳନୀରେ ନଗର ବିଜେଡି ସଭାପତି ମଧୁସୂଦନ ସାହୁ, ଦଳର ବରିଷ୍ଠ ନେତା ମହମ୍ମଦ ସକିଲ, ରଂଜନ କୁମାର ବିଶ୍ବାଳ, ବିଶ୍ବଜିତ୍ ମହାନ୍ତି, ପ୍ରଫୁଲ୍ଲ ମହାପାତ୍ର, ପୂର୍ଣ୍ଣିମା ସିଂହ ଏବଂ ପୂର୍ବତନ ମେୟର ଅନିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/subash-shing-6.jpg)