ନୂଆଦିଲ୍ଲୀ: ଆସନ୍ତାକାଲି କୌଣସି ବି ମୁହୂର୍ତ୍ତରେ ଭୂଚୁମ୍ବକୀୟ ଝଡ଼ ପୃଥିବୀକୁ ଧକ୍କା ଦେଇପାରେ ବୋଲି କୋଲକାତାସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥା ପକ୍ଷରୁ ପୂର୍ବାନୁମାନ ହୋଇଛି। ଏହି ସଂସ୍ଥାର ସେଣ୍ଟର ଅଫ୍ ଏକ୍ସିଲେନ୍ସ ଇନ୍ ସ୍ପେସ୍ ସାଇନ୍ସେସ୍ ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ସୂଚନା ଅନୁସାରେ ସୂର୍ଯ୍ୟର ବାହ୍ୟ ବାତାବରଣରେ ଏକ ବଡ଼ ଧରଣର ପରିବର୍ତ୍ତନ ସଂଘଠିତ ହୋଇଛି। ଏହି ପରିବର୍ତ୍ତନ ପ୍ରଭାବରେ ବିପୁଳ ପରିମାଣର ପ୍ଲାଜମା ଓ ଶକ୍ତିଶାଳୀ ରଶ୍ମୀ ଉଦଗୀରଣ ହେଉଛି । ଏହା ପୃଥିବୀ ଦିଗକୁ ଗତି କରିବ ବୋଲି ଅନୁଧ୍ୟାନରୁ ଜଣାଯାଇଛି। ଏହି କାରଣରୁ କିଛି ସମୟ ପର୍ଯ୍ୟନ୍ତ ସେଲ୍ଫୋନ୍ ନେଟ୍ୱର୍କ, ସାଟେଲାଇଟ୍ ଟିଭି, ଜିପିଏସ୍ ଏବଂ ପାୱାର ଗ୍ରିଡ୍ ବନ୍ଦ ହୋଇପାରେ ବୋଲି ଆକଳନ କରାଯାଉଛି।
ଏହାର ପ୍ରଭାବରେ ମାର୍ଚ ୨୮ ତାରିଖରେ ସୌରପୃଷ୍ଠର ସକ୍ରିୟ କ୍ଷେତ୍ର ୧୨୯୭୫ ଓ ୧୨୯୭୬ରେ ସୋଲାର ଫ୍ଲେୟର୍ସ ( ଇଲେକଟ୍ରୋମ୍ୟାଗନେଟିକ୍ ରଶ୍ମୀ) ଉଦଗୀରଣ ହୋଇଛି । ଗବେଷକମାନଙ୍କ କହିବା କଥା ହେଉଛି, ଏହି ଇଲେକଟ୍ରୋମ୍ୟାଗନେଟିକ୍ ଉଦଗୀରଣ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ଧକ୍କା ହେଉଥିବାରୁ ଏହାର ପ୍ରଭାବରେ ଭୂଚୁମ୍ବକୀୟ ଝଡ଼ ହେବାର ଆଶଙ୍କା ରହିଛି। ଏହି ମହାଜାଗତିକ ପ୍ରକ୍ରିୟା ପ୍ରଭାବରେ ଭୂଚୁମ୍ବକୀୟ ଝଡ଼ ଆସନ୍ତାକାଲି (ମାର୍ଚ୍ଚ ୩୧) ସେକେଣ୍ଡ ପ୍ରତି ୪୯୬ରୁ ୬୦୭ କିଲୋମିଟର ବେଗରେ ଗତିଶୀଳ ହୋଇପାରେ। ସେଣ୍ଟର ଅଫ୍ ଏକ୍ସିଲେନ୍ସ ଇନ୍ ସ୍ପେସ୍ ସାଇନ୍ସେସ୍ ପକ୍ଷରୁ ଏହାର ଆକଳନ ଲାଗି ପ୍ରସ୍ତୁତ ନମୂନାରୁ ଉପରୋକ୍ତ ତଥ୍ୟ ସାମ୍ନାକୁ ଆସିଛି।
//CESSI SPACE WEATHER BULLETIN//29 March 2022//SUMMARY: CHANCES OF MODERATE-SEVERE SPACE WEATHER// Active regions 12975 and 12976 (NRT-HARP No 6885) which were being flagged as flare positive by the CESSI ML/AI algorithm have produced multiple M/C class flares recently.
+ pic.twitter.com/7EX8NyaiDf— Center of Excellence in Space Sciences India (@cessi_iiserkol) March 29, 2022
ଏକ ଟ୍ବିଟ୍ ଜରିଆରେ କେନ୍ଦ୍ର ପକ୍ଷରୁ ଆହୁରି ବି କୁହାଯାଇଛି, ଆମର ମଡେଲ୍ରୁ ଜଣାପଡ଼ିଛି ଯେ ମାର୍ଚ ୩୧ ତାରିଖରେ ଭୂଚୁମ୍ବକୀୟ ଝଡ଼ ପୃଥିବୀକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ତେବେ ଗବେଷକମାନେ ଆଶ୍ବସ୍ତ କରାଇଛନ୍ତି ଯେ ଏହି ଭୂଚୁମ୍ବକୀୟ ଝଡ଼ର ପ୍ରଭାବ ପୃଥିବୀ ଉପରେ ରହିଲେ ମଧ୍ୟ ଲୋକଙ୍କ ଉପରେ ଏହାର ପ୍ରଭାବ ପ୍ରାୟ ନଥିବା ଭଳି ହେବ। ସୂର୍ଯ୍ୟରୁ ବାହାରୁଥିବା ବିକିରଣ ଦାଉରୁ ସାଧାରଣ ଲୋକଙ୍କୁ ପୃଥିବୀର ଚୁମ୍ବକୀୟ ଶକ୍ତି ସୁରକ୍ଷା ଦେବ। ତଥାପି ବି କିଛି ଅଂଶରେ ଏହାର ପ୍ରଭାବ ପଡ଼ିବ। ପୃଥିବୀରେ ଥିବା ଚୁମ୍ବକୀୟ ଶକ୍ତି ବାୟୁମଣ୍ଡଳର ଚାରିପାଖରେ ଏକ ରକ୍ଷା କବଚ ପରି ରହି ଏହି ବିକିରଣ ପ୍ରଭାବକୁ କମ୍ କରିବ ବୋଲି ଗବେଷକମାନେ ମତ ରଖିଛନ୍ତି।