ଭୁବନେଶ୍ବର: ଗତ ରାତ୍ରରେ ଓଡ଼ିଶାର ୯ଟି ସ୍ଥାନରେ ରାତ୍ର ତାପମାତ୍ରା ୧୨ ଡିଗ୍ରି ତଳେ ଥିବା ଜଣାଯାଇଛି। ସୁନ୍ଦରଗଡ଼ ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଠାକାର ତାପମାତ୍ର ଥିଲା ୮.୦ ଡିଗ୍ରି ସେଲସିଅସ୍। ଅପରପକ୍ଷରେ କଟକରେ ୧୩.୫ ଓ ଭୁବନେଶ୍ୱରରେ ୧୪.୬ ଡିଗ୍ରି ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି।
୧୨ ଡିଗ୍ରି ତଳେ ଥିବା ସହରଗୁଡ଼ିକ ହେଲା, ଝାରସୁଗୁଡ଼ା ୧୧.୦, କେନ୍ଦୁଝର ୧୦.୪, ଦାରିଙ୍ଗବାଡ଼ି ୮.୫, ସୁନ୍ଦରଗଡ଼ ୮.୦, ଫୁଲବାଣୀ ୮.୫, ଟିଟଲାଗଡ଼ ୮.୮, ସୋନପୁର ୧୧.୦ ଡିଗ୍ରି, ବଲାଙ୍ଗୀର ୧୧.୦ ଓ ବୌଦ୍ଧ ୧୦.୦ ଡିଗ୍ରି ସେଲସିଅସ୍।

Advertisment


ସୂଚନାଯୋଗ୍ୟ,ଏ ବର୍ଷ ୧୫ ଦିନ ବିଳମ୍ବରେ ରାଜ୍ୟକୁ ଶୀତ ପ୍ରବେଶ କରିଛି। ଶୀତର ପ୍ରକୋପ ଓ ସମୟ ମଧ୍ୟ କମ୍ ଦିନ ରହିବ। ଆଉ କିଛି ଦିନ ପରେ ଶୀତ କମିଯିବ ଓ ଜାନୁଆରି, ଫେବ୍ରୁଆରିରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।
ଗତ ସପ୍ତାହେ ହେଲା, ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଥଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ରାଜ୍ୟକୁ କ୍ରମାଗ୍ରତ ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବ ରାତିରେ ଅଧିକ ଶକ୍ତିଶାଳୀ ହୋଇଛି।

ଏବେ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ରାଜ୍ୟରେ ଶୀତ ସାମାନ୍ୟ କମିବ। ପାରଦ ଊର୍ଧ୍ବଗାମୀ ହେବ। ଏଥିସହ ୨୭ ଓ ୨୮ତାରିଖରେ ରାଜ୍ୟରେ ବର୍ଷାର ବି ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି।