ଚେନ୍ନାଇ: ପ୍ରଥମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସଠୁ ପରାଜିତ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ନିଜ ଘରେ ଖେଳିଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍ଜି) ବିପକ୍ଷ ଦ୍ବିତୀୟ ମ୍ୟାଚ୍କୁ ୧୨ ରନ୍ରେ ଜିତିନେଇଛି। ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ସୋମବାର ସନ୍ଧ୍ୟାରେ ଖେଳାଯାଇଥିବା ହାଇ ସ୍କୋରିଂ ମ୍ୟାଚ୍ରେ ସିଏସ୍କେର ୨୧୭/୭ ଜବାବରେ ଏଲ୍ଏସ୍ଜି ୨୦୫/୭ ସ୍କୋର୍ କରିପାରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ କରିଥିବାରୁ ଇଂଲିସ ଖେଳାଳି ମୋଇନ୍ ଅଲ୍ଲୀ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଟସ୍ରେ ହାରି ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ଚେନ୍ନାଇ ପାଇଁ ବେନ୍ ଷ୍ଟୋକ୍ସ (୮) ଓ ରବୀନ୍ଦ୍ର ଜାଦେଜା (୩)ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ପ୍ରାରମ୍ଭିକ ବ୍ୟାଟର୍ ଋତୁରାଜ ଗାଏକ୍ବାଡ ଓ ଡେଭନ୍ କନୱେ ପାୱାରପ୍ଲେ ଭିତରେ ୭୯ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଦଳୀୟ ସ୍କୋର ୧୧୦ ହୋଇଥିଲା ବେଳେ ଗାଏକ୍ବାଡ (୫୭ ରନ୍, ୩୧ ବଲ୍, ୩ ଚୌକା, ୪ ଛକା) ଙ୍କୁ ଆଉଟ୍ କରି ରବି ବିଷ୍ଣୋଇ ଏହି ଯୋଡ଼ି ଭାଙ୍ଗିଥିଲେ। ପଛକୁ ପଛ ଅର୍ଦ୍ଧଶତକଠୁ ମାତ୍ର ୩ ରନ୍ ଦୂରରେ ଥାଇ କନୱେ ମଧ୍ୟ ପ୍ୟାଭିଲିଅନ୍ ଫେରିଥିଲେ। ମଧ୍ୟକ୍ରମରେ ଶିବମ ଦୁବେ (୨୭), ମୋଇନ୍ ଅଲ୍ଲୀ (୧୯) ଦ୍ରୁତ ଖେଳିବାକୁ ଯାଇ ଆଉଟ୍ ହେବା ପରେ ଅମ୍ବାତି ରାୟୁଡୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୨୭* ରନ୍ ସଂଗ୍ରହ କରିଥିଲେ। ଶେଷ ଓଭରରେ ମହେନ୍ଦ୍ର ସିଂହ ଧୋନି ବ୍ୟାଟିଂ କରିବାକୁ ଆସିଥିଲା ବେଳେ ପ୍ରଥମ ଦୁଇ ବଲ୍ରେ ଦୁଇଟି ଛକା ମାରିବା ପରେ ତୃତୀୟ ବଲ୍ରେ ଆଉଟ୍ ହୋଇଯାଇଥିଲେ। ଏହି ଦୁଇ ଛକା ହିଁ ନିର୍ଣ୍ଣାୟକ ହୋଇଥିଲା। ଉଡ୍ ଓ ବିଷ୍ଣୋଇ ୩ ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ।
୨୧୮ ରନ୍ର ବଡ଼ ଲକ୍ଷ୍ୟକୁ ପିଛା କରିବାକୁ ଯାଇ କେଏଲ୍ ରାହୁଲ ଓ କାଇଲ ମାୟର୍ସ ମଧ୍ୟ ଦ୍ରୁତ ଭାବେ ରନ୍ ବାହାର କରିଥିଲେ। ପ୍ରଥମରୁ ଦ୍ରୁତ ବୋଲର ଦୀପକ ଚହର, ବେନ୍ ଷ୍ଟୋକ୍ସ, ତୁଷାର ଦେଶପାଣ୍ଡେ ବ୍ୟୟବହୁଳ ହେବାରୁ ଧୋନି ଷଷ୍ଠ ଓଭରରୁ ସ୍ପିନରଙ୍କୁ ଲଗାଇ ସଫଳତା ପାଇଥିଲେ। ପ୍ରଥମେ ମାୟର୍ସଙ୍କୁ ମୋଇନ୍ ଅଲ୍ଲୀ ଆଉଟ୍ କରି ରନ୍ ଗତିକୁ ଧିମା କରିଥିଲା ବେଳେ ମିଚେଲ ସାଣ୍ଟନର ମଧ୍ୟ ରନ୍ ଗତି କମାଇବାରେ ବଡ଼ ଭୂମିକା ନେଇଥିଲେ। ରାହୁଲ (୨୦), କୃଣାଲ ପାଣ୍ଡ୍ୟା (୯), ମାର୍କସ ଷ୍ଟୋଇନିସ୍ (୨୧)ଙ୍କୁ ମୋଇନ୍ ଆଉଟ୍ କରି ମ୍ୟାଚ୍ରେ ସିଏସ୍କେ ପଟକୁ ଢଳାଇଥିଲେ। ଗୋଟିଏ ସମୟରେ ଓଭର ପିଛା ୧୭ ରନ୍ ସଂଗ୍ରହ ହେଉଥିଲା ବେଳେ ୧୩ ଓଭର ପରଠୁ ରନ୍ହାର ୧୦.୦୦ ତଳକୁ ଖସିଥିଲା।
/sambad/media/post_attachments/wp-content/uploads/2023/04/dhoni.jpg)
NDTV Sports
୫୦୦୦ ରନ୍ କ୍ଲବ୍ରେ ଧୋନି
ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସୋମବାର ସପ୍ତମ ଖେଳାଳି ଭାବେ ୫୦୦୦ ଆଇପିଏଲ୍ ରନ୍ କ୍ଲବ୍ରେ ସାମିଲ ହୋଇଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ରେ ସେ ୧୨ ରନ୍ କରି ଏହି ମାଇଲଖୁଣ୍ଟ ଛୁଇଁଥିଲେ। ୨୩୬ ମ୍ୟାଚ୍ ଖେଳି ସେ ୫୦୦୪ ରନ୍ କରିଛନ୍ତି। ବିରାଟ କୋହଲି (୬୭୦୬ ରନ୍, ୨୨୪ ମ୍ୟାଚ୍) ଆଗରେ ଥିଲା ବେଳେ ତାଙ୍କ ପଛକୁ ଶିଖର ଧାୱନ (୬୨୮୪ ରନ୍, ୨୦୭ ମ୍ୟାଚ୍), ଡେଭିଡ ୱାର୍ଣ୍ଣର (୫୯୩୭ ରନ୍, ୧୬୩ ମ୍ୟାଚ୍), ରୋହିତ ଶର୍ମା (୫୮୮୦ ରନ୍, ୨୨୮ ମ୍ୟାଚ୍), ସୁରେଶ ରାଇନା (୫୫୨୮ ରନ୍, ୨୦୬ ମ୍ୟାଚ୍) ଏବଂ ଏବି ଡି’ଭିଲିୟର୍ସ (୫୧୬୨ ରନ୍, ୧୮୪ ମ୍ୟାଚ୍) ରହିଛନ୍ତି।
କୋହଲିଙ୍କ କର୍ତ୍ତିମାନ
ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ର ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ଭାରତୀୟ ତାରକା ବିରାଟ କୋହଲି ୪୯ ବଲ୍ ଖେଳି ୬ ଚୌକା ଓ ୫ ଛକା ସହାୟତାରେ ୮୨* ରନ୍ର ପାଳି ଖେଳିଥିଲେ। ୫୦ରୁ ଅଧିକ ରନ୍ କରିବାରେ କୋହଲିଙ୍କ ଏହା ୫୦ତମ ହୋଇଥିଲା। ଆଇପିଏଲ୍ରେ ଏହା କରିବାରେ ସେ ମଧ୍ୟ ପ୍ରଥମ ଭାରତୀୟ କ୍ରିକେଟର୍ ହୋଇଛନ୍ତି। ମୋଟ ଉପରେ ଦିଲ୍ଲୀ କ୍ୟାପିଟାଲ୍ସ ଓପନର୍ ଡେଭିଡ ୱାର୍ଣ୍ଣର (୬୦)ଙ୍କ ପଛକୁ ସେ ଦ୍ବିତୀୟରେ ରହିଛନ୍ତି। ତୃତୀୟରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାୱନ (୪୯) ରହିଛନ୍ତି। କୋହଲି ଆଇପିଏଲ୍ରେ ୪୫ ଅର୍ଦ୍ଧଶତକ ଓ ୫ ଶତକ ଅର୍ଜନ କରିଛନ୍ତି।