ସମଲିଙ୍ଗୀ ଓକିଲ ସୌରଭ କ୍ରିପାଲ ହାଇକୋର୍ଟ ବିଚାରପତି ହେବା ଉଚିତ ବୋଲି ଦୋହରାଇଲେ ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ସର୍ବପ୍ରଥମ ଥର ପାଇଁ ତିନି ଜଣ ବରିଷ୍ଠ ଓକିଲଙ୍କ ପଦୋନ୍ନତି ମାମଲାରେ ନିଜର ସୁପାରିସ ଉପରେ ସରକାରଙ୍କ ଆପତ୍ତିର କାରଣ ସାର୍ବଜନୀନ କରିଛନ୍ତି। ଅଦାଲତ ନିଜର ୱେବସାଇଟରେ କେନ୍ଦ୍ର ସରକାରଙ୍କ ଚିଠିକୁ ଅପଲୋଡ୍‌ କରି ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟ, ସୋମାଶେଖର ସୁନ୍ଦରେସନଙ୍କୁ ବମ୍ବେ ହାଇକୋର୍ଟ ଏବଂ ଆର ଜନ୍‌ ସତ୍ୟନଙ୍କୁ ମାଡ୍ରାସ ହାଇକୋର୍ଟକୁ ଉନ୍ନୀତ କରିବା ଉପରେ କେନ୍ଦ୍ରର ଆପତ୍ତିକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ଏଥିସହ କେନ୍ଦ୍ରର ସମସ୍ତ ଆପତ୍ତିକୁ ଖଣ୍ଡନ କରି ଶୀର୍ଷ ଅଦାଲତ ଦ୍ୱିତୀୟ ଥର ପାଇଁ ସେମାନଙ୍କ ନାମ ବିଚାରପତି ପଦବୀ ପାଇଁ ଆଉ ଥରେ ସୁପାରିସ କରିଛନ୍ତି। ନିୟମ ଅନୁଯାୟୀ, ସରକାରଙ୍କୁ ଏଥର ଏସବୁ ନାମକୁ ଗ୍ରହଣ କରିବାକୁ ପଡିବ; କାରଣ ଦ୍ୱିତୀୟ ଥର ପାଇଁ ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ପଠା ଯାଇଥିବା ନାମକୁ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ବାଧ୍ୟ।

ବିଚାରପତି ନିଯୁକ୍ତିକୁ ନେଇ ସରକାରଙ୍କ ସହ ଶୀର୍ଷ ଅଦାଲତଙ୍କ ମତଭେଦ ଚାଲିଥିବା ବେଳେ ବିଚାରପତି ନିଯୁକ୍ତି ସଂକ୍ରାନ୍ତୀୟ ଏକ ଗୋପନୀୟ ଦସ୍ତାବିଜକୁ ସାର୍ବଜନୀନ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ନଭେମ୍ବରରେ ଶ୍ରୀ କ୍ରିପାଲଙ୍କ ନାମକୁ ସରକାର ଅନ୍ୟ ଏକାଧିକଙ୍କ ନାମ ସହ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ, ଆଜି ସୁପ୍ରିମ୍‌କୋର୍ଟ ନିଜର ପ୍ରତିକ୍ରିୟାରେ ସରକାରଙ୍କ ଦ୍ୱାରା ଦର୍ଶାଯାଇଥିବା ଉଭୟ କାରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ପ୍ରାର୍ଥୀ ଖୋଲାଖୋଲି ସମଲିଙ୍ଗୀ ଏବଂ ତାଙ୍କ ସାଥୀ ଜଣେ ସ୍ୱିିସ୍‌ ନାଗରିକ। ଗୁଇନ୍ଦା ବିଭାଗ ଗବେଷଣା ଏବଂ ବିଶ୍ଳେଷଣ ୱିଙ୍ଗ (ର)ର ରିପୋର୍ଟ ଜାତୀୟ ସୁରକ୍ଷା ଉପରେ ଶ୍ରୀ ସୌରଭ କ୍ରିପାଲଙ୍କ ସାଥୀଙ୍କ ବ୍ୟକ୍ତିଗତ ଆଚରଣ କିମ୍ବା ଅନ୍ୟ କୌଣସି ଆଚରଣ ସମ୍ବନ୍ଧରେ କୌଣସି ଆଶଙ୍କାକୁ ପ୍ରତିଫଳିତ କରି ନାହିଁ ବୋଲି ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ବିଚାରପତି ଏସକେ କୌଲ ଏବଂ ବିଚାରପତି କେଏମ ଜୋସେଫଙ୍କ ଦ୍ୱାରା ସ୍ୱାକ୍ଷରିତ ଚିଠିରେ କୁହାଯାଇଛି।

ତାଙ୍କ ମୂଳ ଦେଶ ‘ଏକ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ର’ ବୋଲି ସୂଚାଇ ବିଚାରପତିମାନେ କହିଛନ୍ତି ଯେ ସାମ୍ବିଧାନିକ କାର୍ଯ୍ୟାଳୟର ଅନେକ ଅଧିକାରୀଙ୍କର ଜୀବନସାଥୀ ଅଛନ୍ତି ଯେଉଁମାନେ ବିଦେଶୀ ନାଗରିକ ଏବଂ ତେଣୁ ଶ୍ରୀ କ୍ରିପାଲଙ୍କ ପ୍ରାର୍ଥୀତ୍ୱକୁ ସେହି ଆଧାରରେ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ।

ସେହିପରି ବମ୍ବେ ହାଇକୋର୍ଟର ବିଚାରପତି ପଦବୀ ନିମନ୍ତେ ସୋମାଶେଖର ସୁନ୍ଦରେସନଙ୍କ ପ୍ରାର୍ଥୀତ୍ୱକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା କାରଣ ସେ ସୋସିଆଲ ମିଡିଆରେ ଅଦାଲତ ବିଚାରର ବିଷୟବସ୍ତୁ ଉପରେ ନିଜର ମତ ପ୍ରକାଶ କରିଥିଲେ। ଏ ମାମଲାରେ ଶୀର୍ଷ ଅଦାଲତ କହିଛନ୍ତି ଯେ ସମ୍ବିଧାନର ଧାରା ୧୯(୧)(କ) ଅନୁଯାୟୀ ସମସ୍ତ ନାଗରିକଙ୍କର ମୁକ୍ତ ବାକ୍‌ ଏବଂ ଅଭିବ୍ୟକ୍ତିର ଅଧିକାର ଅଛି। ଜଣେ ପ୍ରାର୍ଥୀଙ୍କ ମତର ଅଭିବ୍ୟକ୍ତି ତାଙ୍କୁ ଏକ ସାମ୍ବିଧାନିକ ପଦବୀରେ ରହିବାକୁ ଅଗ୍ରାହ୍ୟ କରେ ନାହିଁ। ଯେପର୍ଯ୍ୟନ୍ତ ବିଚାରପତି ପଦ ପାଇଁ ପ୍ରସ୍ତାବିତ ବ୍ୟକ୍ତି ନିଜର ଦକ୍ଷତା, ଯୋଗ୍ୟତା ଏବଂ ସଚ୍ଚୋଟତା ଅତୁଟ ରଖିଥାନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବା ଆର ଜନ୍‌ ସତ୍ୟନ ସୋସିଆଲ ମିଡିଆରେ ଏକ ପ୍ରବନ୍ଧ ପୋଷ୍ଟ କରିଛନ୍ତି ବୋଲି ଶୀର୍ଷ ଅଦାଲତ କହିଛନ୍ତି ଯେ ତାଙ୍କର ଆଉ ଏକ ପୋଷ୍ଟ ମଧ୍ୟ ଥିଲା ଡାକ୍ତରୀ ଆଶାୟୀ ଅନିତାଙ୍କ ଦ୍ୱାରା ଆତ୍ମହତ୍ୟା କରିବା ବିଷୟରେ, ଯିଏ ୨୦୧୭ରେ ଏନଇଇଟି ‘କ୍ଲିୟର’ କରିବାରେ ଅସମର୍ଥ ଥିବାରୁ ତାଙ୍କ ଜୀବନ ହାରିଥିଲେ, ଏହାକୁ ‘ରାଜନୈତିକ ବିଶ୍ୱାସଘାତକତା’ ଦ୍ୱାରା ହତ୍ୟା ବୋଲି ଚିତ୍ରଣ କରିଥିଲେ ଏବଂ ‘ଭାରତର ଲଜ୍ଜା’ ବୋଲି ଦର୍ଶାଇଥିଲେ।

ଅଦାଲତ କହିଛନ୍ତି ଯେ ଗୁଇନ୍ଦା ବିଭାଗ କହିଛି ଯେ ସେ ଭଲ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଭାବମୂର୍ତ୍ତି ବହନ କରନ୍ତି ଏବଂ ତାଙ୍କର କୌଣସି ଖୋଲା ରାଜନୈତିକ ଆଭିମୁଖ୍ୟ ନାହିଁ। ଏହି ପୃଷ୍ଠଭୂମିରେ, ଆଇବିର ପ୍ରତିକୂଳ ମନ୍ତବ୍ୟ ଶ୍ରୀ ସତ୍ୟନଙ୍କ ଯୋଗ୍ୟତା, ଚରିତ୍ର କିମ୍ବା ଅଖଣ୍ଡତା ଉପରେ ପ୍ରଭାବ ପକାଇବ ନାହିଁ ବୋଲି ବିଚାରପତିମାନେ କହିଛନ୍ତି।

ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ମନ୍ତବ୍ୟ ବ୍ୟବସ୍ଥାପନା ସଭା ବନାମ ନ୍ୟାୟପାଳିକା ବିତର୍କକୁ ବୃଦ୍ଧି କରିବାର କିଛି ଦିନ ପରେ ଗୋପନୀୟ ଦସ୍ତାବିଜ୍‌ଗୁଡ଼ିକୁ ସାର୍ବଜନୀନ କରି ଶୀର୍ଷ ଅଦାଲତ ଏକ ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର