ସେଣ୍ଟପିଟର୍ସବର୍ଗ: ସ୍ୱିଡେନର ବହୁ ପ୍ରତୀକ୍ଷିତ ସ୍ୱପ୍ନ ଶେଷରେ ପୂରଣ ହୋଇଛି। ମଙ୍ଗଳବାର ରାତିରେ ଅନ୍ୟତମ ୟୁରୋପୀୟ ଦେଶ ସ୍ୱିଜରଲାଣ୍ଡକୁ ୧-୦ ଗୋଲ୍ରେ ପରାସ୍ତ କରି ସ୍ୱିଡେନ୍ ୧୯୯୪ ମସିହା ପରେ ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। କୌଣସି ବିଶ୍ୱକପରେ ଲଗାତାର ଦୁଇଟି ମ୍ୟାଚ୍ ଜିତିବାର ସୌଭାଗ୍ୟ ମଧ୍ୟ ସ୍ୱିଡେନ୍ ପ୍ରଥମ ଥର ଲାଭ କରିଛି। ମଙ୍ଗଳବାର ମୁକାବିଲା ପୂର୍ବରୁ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ମେକ୍ସିକୋକୁ ୩-୦ରେ ହରାଇ ସ୍ୱିଡେନ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲା। ସେପଟେ ସ୍ୱିଜରଲାଣ୍ଡ ବିଶ୍ୱକପ୍ରେ ଲଗାତାର ସପ୍ତମ ଥର ପାଇଁ ନକଆଉଟ୍ ପର୍ଯ୍ୟାୟରେ ହାରିଲା। ଶେଷ ଥର ପାଇଁ ଏହି ଦଳ ୧୯୫୪ ମସିହାରେ ପ୍ରି-କ୍ୱାର୍ଟର ଆଗକୁ ବଢ଼ିଥିଲା। ଆଜିର ସ୍ୱିଡେନ୍-ସ୍ୱିଜରଲାଣ୍ଡ ମ୍ୟାଚ୍ର ପ୍ରଥମାର୍ଧ ଗୋଲ୍ ଶୁନ୍ୟ ରହିଥିଲା। ଦ୍ୱିତୀୟାର୍ଧର ଏମିଲ ଫର୍ସବର୍ଗଙ୍କ ୬୬ ମିନିଟ୍ ଗୋଲ୍ ବଳରେ ହିଁ ସ୍ୱିଡେନ୍ ବିଜୟୀ ହୋଇଥିଲା। ସ୍ୱିଡେନ୍ ଏକାଦଶ ଦେଶ ଭାବେ ମଙ୍ଗଳବାର ୫୦ତମ ବିଶ୍ୱକପ୍ ମ୍ୟାଚ୍ ଖେଳିଥିଲା।
ମଙ୍ଗଳବାର ଲଢ଼େଇର ପ୍ରଥମାର୍ଧ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା। ହେଲେ ଗୋଟିଏ ହେଲେ ବି ଗୋଲ୍ ଦେଖିବାକୁ ମିଳି ନଥିଲା। ଅଷ୍ଟମ ମିନିଟ୍ରେ ସ୍ୱିଡେନ୍ ଏକ ଭଲ ସୁଯୋଗ ହାତଛଡ଼ା କରିଥିଲା। ଅନୁରୂପ ଭାବେ ସ୍ୱିଜରଲାଣ୍ଡର ବ୍ଲେରିମ ଡିଜେମାଲି ମଧ୍ୟ ସହଜ ସୁଯୋଗରୁ ଗୋଲ୍ କରିପାରି ନଥିଲେ। ୬୬ ମିନିଟ୍ରେ କିନ୍ତୁ ଫର୍ସବର୍ଗ ଏହି ଗତିରୋଧ ଦୂର କରି ଦେଇଥିଲେ। ଓଲା ଟୋଇଭୋନେନଙ୍କଠାରୁ ପାସ୍ ପାଇବା ପରେ ସେ ସିଧା ଗୋଲ୍ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ସୌଭାଗ୍ୟବଶତଃ ବଲ୍ ସ୍ୱିଜରଲାଣ୍ଡ ରକ୍ଷଣଭାଗ ଖେଳାଳିଙ୍କ ଗୋଡ଼ରୁ ପ୍ରତିଫଳିତ ହୋଇ ଗୋଲ୍ ଲାଇନ୍ ପାର ହୋଇ ଯାଇଥିଲା। ସ୍ୱିଡେନ୍ ସେହିଠାରେ ଆଗୁଆ ହୋଇ ଯାଇଥିଲା। ବାରମ୍ବାର ଖେଳାଳି ଅଦଳ ବଦଳ ସତ୍ତ୍ୱେ ସ୍ୱିଜରଲଣ୍ଡ ଏହି ଗୋଲ୍ଟିକୁ ନିର୍ଧାରିତ ୯୦ ମିନିଟ୍ ଭିତରେ ଶୁଝି ପାରି ନଥିଲା। ଷ୍ଟପେଜ୍ ଟାଇମର ତୃତୀୟ ମିନିଟ୍ରେ ଏହି ଦଳକୁ ସୁବର୍ଣ୍ଣ ସୁଯୋଗ ମିଳିଥିଲା। ମାର୍ଟିନ ଓଲସାନଙ୍କୁ ମାଇକେଲ୍ ଲାଙ୍ଗ ଉଦେଶ୍ୟମୂଳକ ଭାବେ ଠେଲିବା ପରେ ସେ ନିଜେ ଲାଲ୍ କାର୍ଡ ପାଇବା ସହ ସ୍ୱିଡେନ୍ ପେନାଲ୍ଟି ପାଇଥିଲା। ହେଲେ ଓଲସାନଙ୍କୁ ଲାଙ୍ଗ ବକ୍ସ ବାହାରେ ଠେଲିଥିବା ଜଣା ପଡ଼ିବା ପରେ ଏହାକୁ ଫ୍ରିକକ୍କୁ ବଦଳାଇ ଦିଆଯାଇଥିଲା। ସ୍ୱିଜରଲାଣ୍ଡ କିନ୍ତୁ ଏହାକୁ ବେକାର ଯିବାକୁ ଦେଇଥିଲା। ଷଷ୍ଠ ମିନିଟ୍ରେ ସ୍ୱିଡେନ୍ ଏକ ଫ୍ରିକିକ୍ ପାଇଥିଲା। ହେଲେ ଟୋଇଭୋନେନଙ୍କ ସଟ୍କୁ ସ୍ୱିଜରଲାଣ୍ଡ ଗୋଲ୍ ରକ୍ଷକ ୟାନ୍ ସୋମର ରୋକିବାର ଠିକ୍ ପରେ ପରେ ଶେଷ ହ୍ଵିସିଲ ବାଜିଥିଲା। ଫଳରେ ସ୍ୱିଡେନ୍ ସେହି ୧-୦ ବ୍ୟବଧାନରେ ବିଜୟୀ ହୋଇ କ୍ୱାର୍ଟରକୁ ଯାଇଥିଲା।
ସ୍ୱିଡେନ୍ : ସ୍ୱିଜରଲାଣ୍ଡକୁ ବିଦାକଲା
/sambad/media/post_attachments/wp-content/uploads/2018/07/15-Sweden.jpg)
/sambad/media/agency_attachments/2024-07-24t043029592z-sambad-original.webp)