ଭାରତରେ ତିଆରି ହେବ ଟେସଲା କାର: ଏଲନ୍ ମସ୍କଙ୍କ ପାଇଁ ଲାଲ ଗାଲିଚା ବିଛାଇଲେ ୫ ରାଜ୍ୟ

ନୂଆଦିଲ୍ଲୀ: ମହାମାରୀ ସମୟରେ ବ୍ୟବସାୟ ପ୍ରସ୍ତାବ ଉପସ୍ଥାପନ କରିବାରେ ସୋସିଆଲ ମିଡିଆ ଏକ ପ୍ରମୁଖ ମାଧ୍ୟମରେ ପରିଣତ ହୋଇଛି । ଗତ ଦୁଇଦିନ ଭିତରେ ଆମେରିକୀୟ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କଙ୍କୁ ଭାରତର ରାଜ୍ୟଗୁଡ଼ିକ ଦେଉଥିବା ପ୍ରସ୍ତାବରୁ ଏହା ପ୍ରମାଣିତ ହୋଇଛି । କେନ୍ଦ୍ର ସରକାରଙ୍କ ସହ ଟିକସକୁ ନେଇ ସମସ୍ୟା ଥିବା ବିଷୟରେ ମସ୍କ ଜଣାଇବା ପରେ ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନା ପକ୍ଷରୁ କମ୍ପାନିକକୁ ଆମନ୍ତ୍ରଣ କରାଯାଇଥିଲା। ଏହା ପରେ ପରେ ଆଉ ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ ପଞ୍ଜାବ ଏହି ଦୌଡ଼ରେ ସାମିଲ ହୋଇଥିଲେ।‌ ଏବେ ତାମିଲନାଡୁ ମଧ୍ୟ ଏଲନ୍ ମସ୍କଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ ଓ ତେଲେଙ୍ଗାନା ଏଲନ ମସ୍କଙ୍କୁ ଟୁଇଟ କରି କାରଖାନା ଖୋଲିବାକୁ ପ୍ରସ୍ତାବ ଦେଇଥିଲେ।

୨୦୧୯ ପରଠାରୁ ଟେସ୍‌ଲା ଭାରତ ଆସିବାକୁ ଉଦ୍ୟମ କରୁଛି। କିନ୍ତୁ ଏଠାରେ କାରଖାନା ବସାଇବାକୁ ଚାହୁନାହିଁ। ଗାଡ଼ି ସିଧାସଳଖ ଆମଦାନି କରି ଏଠାରେ ବିକ୍ରି କରିବାକୁ କମ୍ପାନି ଚାହୁଛି। ଭାରତକୁ ଏହି ସଂସ୍ଥା କେବଳ ଏକ ଉପଭୋକ୍ତା ବଜାର ଭାବେ ଦେଖୁଛି। କମ୍ପାନିର ଏହି ଲକ୍ଷ୍ୟ ପୂରଣ ଦିଗରେ ସବୁଠୁ ବଡ଼ କଣ୍ଟା ଭାବେ ଉଭା ହୋଇଛି ଭାରତର ଟିକସ ବ୍ୟବସ୍ଥା। ଗାଡ଼ିଗୁଡ଼ିକର ଆମଦାନି ଉପରେ ଭାରତରେ ୧୦୦% ଭଳି ସୀମା ଶୁଳ୍କ ଲାଗୁ କରାଯାଇଛି। ତାହାକୁ ୪୦% ପର୍ଯ୍ୟନ୍ତ ହ୍ରାସ କରିବା ଲାଗି ଟେସ୍‌ଲା ଦାବି କରୁଛି ଯାହାକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏକ ନିର୍ଦ୍ଧିଷ୍ଟ କମ୍ପାନି ଲାଗି ନିଜ ଟିକସ ନିୟମରେ ପରିବର୍ତ୍ତନ କରିବାକୁ ଭାରତ ସରକାର ଚାହୁନାହାନ୍ତି ।

ଟିକସ ହ୍ରାସ ନିଷ୍ପତ୍ତି ନେଲେ ସେହି ସୁବିଧା ଅନ୍ୟ ସବୁ କମ୍ପାନିଙ୍କୁ ଦେବାକୁ ପଡ଼ିବ। ମହାମାରୀ ଭଳି ସଙ୍କଟପୂର୍ଣ୍ଣ ସମୟରେ ରାଜସ୍ବ ଆୟ ସଙ୍କୁଚିତ ହୋଇଥିବା ବେଳେ ଟିକସ ବ୍ୟବସ୍ଥାରେ ସରକାର କୌଣସି ପରିବର୍ତ୍ତନ କରିବାକୁ ଚାହୁନାହାନ୍ତି। ଟେସ୍‌ଲା ଏହାର କାରଖାନା ଭାରତରେ ସ୍ଥାପନ କରୁ ବୋଲି ‌ସରକାର ଚାହୁଛନ୍ତି। କିନ୍ତୁ ସେଥିପାଇଁ ଟେସ୍‌ଲା କୌଣସି ପ୍ରତିଶ୍ରୁତି ଦେଉନାହିଁ। ଅଟୋମୋବାଇଲ୍ ଶିଳ୍ପ ଲାଗି ଘୋଷଣା କରାଯାଇଥିବା ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ସ୍କିମ୍ (ପିଏଲ୍‌ଆଇ)ରେ କଂପାନି ଅଂଶଗ୍ରହଣ କରି ତାହାର ଲାଭ ଉଠାଇପାରିବ ବୋଲି କେନ୍ଦ୍ର ସରକାର କହୁଛନ୍ତି। ଏମିତିକି ଟେସ୍‌ଲା ଏହାର ଉପକରଣଗୁଡ଼ିକୁ ଆମଦାନି କରି ଭାରତରେ ଆସେମ୍ବଲ କରୁ ବୋଲି ମଧ୍ୟ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। କିନ୍ତୁ, ଟେସ୍‌ଲା କେବଳ ସୁବିଧା ବାଟ ଖୋଜୁଛି।

ସମ୍ବନ୍ଧିତ ଖବର