ଅଗ୍ନିକାଣ୍ଡ ଘଟିଥିବା ପେଟ୍ରୋଲ ଟାଙ୍କିରୁ ଗଚ୍ଛିତ ପେଟ୍ରୋଲ, ଡିଜେଲ ଓ ସିଏନଜି ସ୍ଥାନାନ୍ତର ଲାଗି ପହଞ୍ଚିଲା ଟ୍ୟାଙ୍କର

ଭୁବନେଶ୍ବର : ରାଜଧାନୀର ରାଜଭବନ ଛକରେ ଅଗ୍ନିକାଣ୍ଡ ଘଟିଥିବା ପେଟ୍ରୋଲ ଟାଙ୍କିରୁ ଦୁର୍ଘଟଣା ପରେ ମହଜୁଦ ଥିବା ଗ୍ୟାସ, ପେଟ୍ରୋଲ ଓ ଡିଜେଲ୍ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ବାଲେଶ୍ବରରୁ ଆସୁଥିବା ଟ୍ୟାଙ୍କର କିଛି ସମୟ ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଛି। ସୂଚନା ଅନୁସାରେ ପେଟ୍ରୋଲ ଟାଙ୍କିରେ ଗଚ୍ଛିତ ଥିବା ହଜାର ହଜାର ଲିଟର ପେଟ୍ରୋଲ, ଡିଜେଲ ଓ ସିଏନଜି ଗ୍ୟାସକୁ ନିଷ୍କାଷିତ କରିବା ଲାଗି ଦୁର୍ଘଟଣା ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦୁର୍ଘଟଣାସ୍ଥଳରେ ଏହି ଦହନଶୀଳ ସାମଗ୍ରୀ ରହିଥିବା ପର୍ଯ୍ୟନ୍ତ ଅଞ୍ଚଳ ବିପଦମୁକ୍ତ ନୁହେଁ ବୋଲି ଅଗ୍ନିଶମ ଓ ପୁଲିସ ବିଭାଗ ପକ୍ଷରୁ କୁହାଯାଇଥିଲା। ଏହାପରେ ଇଣ୍ଡିଆନ୍ ଅଏଲ ପକ୍ଷରୁ ଏଥିଲାଗି ବ୍ୟବସ୍ଥା ଆରମ୍ଭ ହୋଇଥିଲା।

ବାଲେଶ୍ବରରୁ ଟ୍ୟାଙ୍କର ଅପରାହ୍ଣ ୩.୩୦ରେ ବାହାରି ଥିଲେ ହେଁ ପହଞ୍ଚିବାରେ ବିଳମ୍ବ ଘଟିଥିଲା। ସୂଚନା ଅନୁସାରେ ଏହି ଟ୍ୟାଙ୍କର ୪ରୁ ୫ଘଣ୍ଟା ବିଳମ୍ବରେ ପହଞ୍ଚିଛି। ପେଟ୍ରୋଲ ଟାଙ୍କିରେ ଥିବା ପେଟ୍ରୋଲ, ଡିଜେଲ ଓ ସିଏନଜି ଗ୍ୟାସ ସ୍ଥାନାନ୍ତରୀତ ହୋଇପାରି ନଥିବାରୁ କମିସନରେଟ୍ ପୁଲିସ ପକ୍ଷରୁ ରାଜଭବନ ଛକ ଠାରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍ କରି ରଖାଯାଇଛି।

ଏହି ଘଟଣାରେ କମିସନରେଟ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି। ଏଥି ସହିତ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଘଟଣାକୁ ନେଇ ଏକ ଅପରାଧିକ ମାମଲା ରୁଜୁ ହୋଇଛି।

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଆଜି ଅପରାହ୍‌ଣ ୧ଟା ୨୦ରେ ପେଟ୍ରୋଲ୍‌ ପମ୍ପରେ ଏହି ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣା ଘଟିଥିଲା। ଏହି ସମୟରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଟାଙ୍କି ଥିଲା। ଏଲ୍‌ପିଜି ଟାଙ୍କିରେ ନିଆଁ ଲାଗିବାରୁ ବିସ୍ଫୋରଣ ହୋଇଥିଲା। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲିମିଟେଡ (ଆଇଓସିଏଲ୍‌) ଅଧିକାରୀଙ୍କ ସହିତ ଏନେଇ ଆଲୋଚନା ହୋଇଛି। ବାକି ଥିବା ଗ୍ୟାସ୍‌କୁ ପମ୍ପ କରି ଏଠାରୁ ନେଇଯିବା ପାଇଁ ମଧ୍ୟ କଥା ହୋଇଛି। ବାଲେଶ୍ୱରରୁ ଗାଡ଼ି ଆସିବା ପରେ ଗ୍ୟାସ୍‌ ପମ୍ପ କରି ନେଇଯିବ। ତେଣୁ ଯେହେତୁ ବିପଦ ଟଳି ନାହିଁ, ଲୋକେ ସତର୍କ ରୁହନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର