ଭୁବନେଶ୍ବର: ବିଜେଡି ସରକାର ସମ‌ୟର ପ୍ରଭାବଶାଳୀ ଆଇପିଏସ୍‌ ଅଧିକାରୀ ଆଶିଷ କୁମାର ସିଂହଙ୍କୁ ଶକ୍ତ ପ୍ରହାର ଲାଗିଛି। ରାଜ୍ୟ ସରକାର ଆଜି ତାଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦେଇଛନ୍ତି। ଗୃହ ବିଭାଗର ‘ଓଏସ୍‌ଡି’ ପଦବିକୁ ଏକ ‘ଦଣ୍ଡନୀୟ ପଦବି’ ଭାବେ ବିବେଚନା କରାଯାଏ। ସରକାରଙ୍କ କୋପଦୃଷ୍ଟିରେ ଥିବା ଆଇପିଏସ୍‌ ଅଧିକାରୀ ଏହି ପଦବିରେ ନିଯୁକ୍ତି ପାଆନ୍ତି। କେବଳ ବିଭାଗରେ ହାଜିରା ପକାଇବା ବ୍ୟତୀତ ପ୍ରାୟତଃ କିଛି କାମ ନଥାଏ।

Advertisment

ଗତ ସରକାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିଲେ ଆଇଜି ଆଶିଷ ସିଂହ। ସେ କେନ୍ଦ୍ରାଞ୍ଚଳ ଆଇଜି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ତେବେ ଯେଉଁ କିଛି ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ ବିଜେଡିର ଦଳୀୟ କାମ କରୁଥିବାର ଅଭିଯୋଗ ହେଉଥିଲା, ତାଙ୍କ ଭିତରେ ଶ୍ରୀ ସିଂହ ଅନ୍ୟତମ। ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଚୟନରେ ସେ ବଡ଼ ଭୂମିକା ନେଉଥିଲେ। ଖାସ୍ ଏଇଥିପାଇଁ ନିର୍ବାଚନ କମିସନ୍‌ଙ୍କ ନିକଟରେ ଏ ସଂକ୍ରାନ୍ତୀୟ ଅଭିଯୋଗ ପହଞ୍ଚିଲା ପରେ ତାଙ୍କୁ ସେଠାରୁ ହଟାଇବାକୁ କମିସନ୍ ନିର୍ଦ୍ଦେଶ ଦେଇଥିଲେ। ତାଙ୍କୁ ନିର୍ବାଚନ ସମ୍ପର୍କିତ କୌଣସି ଦାୟିତ୍ବ ନଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ ପୂର୍ବ ପରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ରହିଥିଲେ। ଏହା ପରେ ମେ’ ୪ ତାରିଖରୁ ସେ ସ୍ବାସ୍ଥ୍ୟଗତ କାରଣ ଦେଖାଇ ଛୁଟି ନେଇଥିଲେ।

ଛୁଟିରେ ରହି ମଧ୍ୟ ବିଜେଡିର ନିର୍ବାଚନ ପରିଚାଳନା କରୁଥିବା ଅଭିଯୋଗ ନିର୍ବାଚନ କମିସନ୍‌ଙ୍କ ନିକଟରେ ପହଞ୍ଚିଥିଲା। ଶ୍ରୀ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ୍‌ କରିବାକୁ କମିସନ୍ ନିର୍ଦ୍ଦେଶ ଦେଲେ। ଭୁବନେଶ୍ବର ଏମ୍‌ସ୍‌ର ଏକ ଟିମ୍ ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ୍‌ କରିଥିଲେ। ତାଙ୍କ ସ୍ବାସ୍ଥ୍ୟ ଠିକ୍ ଅଛି ବୋଲି ଏହି ଟିମ୍‌ ରିପୋର୍ଟ ଦେଲା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିସନ୍ ସୁପାରିସ୍ କରିଥିଲେ। ଛୁଟିରୁ ଫେରି ଶ୍ରୀ ସିଂହ କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ ଏହି ଖବର ଗୃହ ବିଭାଗ ପାଖରେ ନଥିଲା। ଏମିତିକି ଗୃହ ବିଭାଗ ପକ୍ଷରୁ ପୁଲିସ ଡିଜିଙ୍କୁ ଚିଠି ଲେଖାଯାଇ ଆଶିଷ ସିଂହଙ୍କ ସମ୍ପର୍କରେ ପଚରାଯାଇଥିଲା। ତେବେ ସେ କାର୍ଯ୍ୟରେ ଯୋଗ ଦେଇ ସାରିଛନ୍ତି ବୋଲି ଡିଜି ସ୍ପଷ୍ଟ କରିଥିଲେ।