ପୁଣି ଗଡ଼ିବ ଘରୋଇ ଟ୍ରେନ୍ ‘ତେଜସ୍’ : ଆଇଆରସିଟିସି ପକ୍ଷରୁ ପ୍ରସ୍ତୁତି ଜୋରଦାର

ନୂଆଦିଲ୍ଲୀ: ଦେଶର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ପାର୍ବଣ ପୂର୍ବରୁ ଟ୍ରାକରେ ଗଡ଼ିବା ନେଇ ଆଇଆରସିଟିସି ପକ୍ଷରୁ ସୂଚନା ମିଳିଛି । ଆଇଆରସିଟିସି ପକ୍ଷରୁ ଅକ୍ଟୋବର ୧୭ ତାରିଖ ଠାରୁ ତେଜସ୍ ଟ୍ରେନ ଚଳାଚଳ କରାଇବା ନେଇ ରେଳ ମନ୍ତ୍ରାଳୟକୁ ଅନୁମତି ମାଗିଛି । ଏହା ସହ ଲିଜ୍ ଚାର୍ଜ କ୍ଷମା କରିବା ନେଇ ମଧ୍ୟ ଚିଠିରେ ଅନୁରୋଧ କରାଯାଇଛି ।  ଏହି ଘରୋଇ ଟ୍ରେନ୍ ୨୦୨୦ ଆରମ୍ଭରୁ ଦିଲ୍ଲୀ-ଲକ୍ଷ୍ନୌ, ଅହମ୍ମଦାବାଦ-ମୁମ୍ବାଇ ଏବଂ ବାରଣାସୀ–ଇନ୍ଦୋର ମଧ୍ୟରେ ଚାଲିଥିଲା । ହେଲେ କରୋନା ମହାମାରୀ ପାଇଁ ୨୨ ମାର୍ଚ୍ଚରୁ ଏହାକୁ ବନ୍ଦ ରଖାଯାଇଥିଲା । ସୂଚନା ଥାଉକି ଘରୋଇଟ୍ରେନର ପରିଚାଳନା କ୍ଷମତା ଆଇଆରସିଟିସି ହାତରେ ରହିଛି ।

ଜାତୀୟ ଗଣମାଧ୍ୟମ ମୁତାବକ ଆଇଆରସିଟିସି ଘରୋଇ ଟ୍ରେନ ତେଜସ୍ ଚଳାଚଳ ଆରମ୍ଭକୁ ଖୁବ ଶୀଘ୍ର ସବୁଜ ସଂକେତ ଦେବ । ଏହାକୁ ନେଇ ଆଇଆରସିଟିସି ରେଳ ମନ୍ତ୍ରାଳୟକୁ ଚିଠି ଲେଖିଛି । ଏହି ଚିଠିରେ ୧୭ ଅକ୍ଟୋବରଠାରୁ ତେଜସ୍ ଟ୍ରେନ୍ ଚଳାଇବାକୁ ଅନୁମତି ମାଗିଛି । ଏହାସହ ବନ୍ଦ ଥିବା ସମୟରେ ଲିଜ୍ ଚାର୍ଜ ଛାଡ଼ କରିବାକୁ ଚିଠିରେ ଅନୁରୋଧ କରାଯାଇଛି । ଉଲ୍ଲେଖଯୋଗ୍ୟ, ତେଜସ ଟ୍ରେନ୍ ପାଇଁ ଆଇଆରସିଟିସିକୁ  ରେଳ ମନ୍ତ୍ରାଳୟକୁ ଦୈନିକ ୧୩ ଲକ୍ଷ ଟଙ୍କା ଲିଜ୍ ଚାର୍ଜ ଦେବାକୁ ପଡିଥାଏ ।

ଏହି ଟ୍ରେନ୍ ଯାତ୍ରୀମାନଙ୍କୁ କିଛି ଖାସ୍ ସୁବିଧା ଯୋଗାଇଥାଏ । ଏହି ଟ୍ରେନରେ ସୁସ୍ୱାଦୁ ଖାଦ୍ୟ ବିନା ମୂଲ୍ୟରେ ମିଳିଥାଏ । ଏହାସହ ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ୨୫ ଲକ୍ଷ ଟଙ୍କାଯାଏ ବୀମା ସୁବିଧା ଦେଇଥାଏ ଆଇଆରସିଟିସି । ଅନ୍ୟପଟେ ରେଳର ସମୟ ବିଳମ୍ବ ନେଇ ବି ଯାତ୍ରୀମାନଙ୍କୁ କ୍ଷତିପୁରଣ ପ୍ରଦାନ କରିଥାଏ ଆଇଆସିଟିସି । ଯେଭଳି କି ଦୁଇ ଘଣ୍ଟା ବିଳମ୍ବ ପାଇଁ ୧ ଶହ ଟଙ୍କା ଓ ତା’ଠାରୁ  ଅଧିକ ବିଳମ୍ବ ହେଲେ ୨୫୦ ଟଙ୍କା କ୍ଷତିପୂରଣ ଯାତ୍ରୀମାନଙ୍କୁ ମିଳିଥାଏ ।

ସମ୍ବନ୍ଧିତ ଖବର