ଭଞ୍ଜନଗର ଜଳଭଣ୍ଡାର ଟାଙ୍ଗରା, ଦିଶିଲା ୧୨୭ ବର୍ଷ ତଳେ ବୁଡ଼ିଥିବା ବିଶ୍ବନାଥ ସ୍ବାମୀଙ୍କ ମନ୍ଦିର

ଭଞ୍ଜନଗର: ଅଗଷ୍ଟ ଶେଷ ହେବାକୁ ଗଲା, ବର୍ଷା ନାହିଁ। ନଦୀ, କେନାଲ ଓ ପୋଖରୀ ସବୁ ଶୁଖିଲା। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡବାସୀଙ୍କ ଚାଷ ଓ ଓ ପାନୀୟ ଜଳଯୋଗାଣର ଜୀବନରେଖା ତଥା ବ୍ରିଟିସ୍‌ ଅମଳର ଓଡ଼ିଶାର ପ୍ରଥମ ଜଳଭଣ୍ଡାର ଭଞ୍ଜନଗର ରସଲକୋଣ୍ଡା ଘାଇ ଏ ବର୍ଷ ଟାଙ୍ଗରା ପାଲଟି ଯାଇଛି। ଉଦ୍‌ବେଗର ଘଟଣା ହେଲା, ଏହା ଭିତରୁ ୧୨୭ ବର୍ଷ ତଳେ ନିର୍ମିତ ଛେଦାଭୂମି ଗ୍ରାମର ଶ୍ରୀ ବିଶ୍ବନାଥ ସ୍ବାମୀ ତଥା ମହାଦେବଙ୍କ ମନ୍ଦିରର ଚୂଡ଼ା ଦୃଶ୍ୟମାନ ହୋଇଛି। ଚଳିତ ବର୍ଷ ବର୍ଷା ଅଭାବ କାରଣରୁ ଏହି ଜଳଭଣ୍ଡାର ଏକ ପ୍ରକାର ଟାଙ୍ଗରା ଭୂଇଁ ପାଲଟି ଯାଇଛି। ଆଉ ଆଜି ଏହି ଐତିହାସିକ ମନ୍ଦିରର ଉପର ଭାଗ ଦେଖିବାକୁ ମିଳିଛି। ଯାହାକି ବର୍ଷାଭାବ ଓ ମରୁଡ଼ିର ଉତ୍କଟ ରୂପ ପ୍ରତିଫଳିତ କରୁଛି।

ଇତିହାସର ଅବଲୋକନରୁ ଜଣାପଡ଼େ, ବ୍ରିଟିସ୍ ଶାସନ ଅମଳରେ ଏହି ଜଳଭଣ୍ଡାର ନିର୍ମାଣ ହୋଇଥିଲା। ପ୍ରାୟ ୧୨୭ ବର୍ଷ ତଳେ ବ୍ରିଟିସ୍ ଶାସକ ରସେଲ ସାହେବଙ୍କ ନାମରେ ଏହାକୁ ‘ରସୋଲକୋଣ୍ଡା’ ଜଳଭଣ୍ଡାର ବୋଲି ନାମକରଣ କରା ଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ତଥା ଭଞ୍ଜନଗର ଜଳଭଣ୍ଡାର ନାମରେ ନାମିତ କରାଗଲା।

୧୮୬୬ ମସିହାରେ ରାଜ୍ୟରେ ନ’ଅଙ୍କ ଦୁର୍ଭିକ୍ଷ ବେଳେ ଘୁମୁସର ସମେତ ଆଖପାଖ ଇଲାକାର ସହସ୍ରାଧିକ ଲୋକ ପ୍ରାଣ ହରାଇଥିଲେ। ଏହାପରେ ବ୍ରିଟିସ୍ ସରକାର ମରୁଡ଼ି ସମସ୍ୟାର ପ୍ରତିକାର ସ୍ବରୂପ ‘ଋଷିକୁଲ୍ୟା’ ଯୋଜନାର ରୂପରେଖ ପ୍ରସ୍ତୁତ କରିଥିଲେ। ଲୋକଙ୍କୁ କାମ ଯୋଗାଇବା ସହ ଚାଷଜମିକୁ ଜଳସେଚନ ପାଇଁ ବରଙ୍ଗ ନାଳ ଉପରେ ୧୮୮୨ ମସିହାରେ ଇଂ.ଭେଙ୍କଟରତ୍ନ ନାଇଡ଼ୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରସୋଲକୋଣ୍ଡା ଜଳଭଣ୍ଡାର ନିର୍ମାଣ କାମ ଆରମ୍ଭ ହୋଇ ୧୮୯୪ରେ ଶେଷ ହୋଇଥିଲା। ଜଳଭଣ୍ଡାର ନିର୍ମାଣ ହୋଇଥିବା ସ୍ଥାନରେ ଛେଦାଭୂମି ଗ୍ରାମ ରହିଥିବା ବେଳେ ଶ୍ରୀ ବିଶ୍ବନାଥ ସ୍ବାମୀଙ୍କ ମନ୍ଦିରରୁ ମହାଦେବଙ୍କ ପ୍ରତିମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରା ଯାଇଥିଲା। ନୂତନ ଜନବସତି ତଥା ଭଞ୍ଜନଗର ସହରଠୁ ୪ କିଲୋମିଟର ଦୂରରେ ଥିବା ଛେଦାଭୂମିରେ ନୂତନ ମନ୍ଦିର ସ୍ଥାପନ ହୋଇଥିଲା।

କିନ୍ତୁ ଚଳିତବର୍ଷ ଜଳଭଣ୍ଡାର ଶୁଖିଯିବା ପରେ ଘାଇରେ ବିଲୀନ ହୋଇ ଯାଇଥିବା ଐତିହାସିକ ପ୍ରଚୀନ ମନ୍ଦିରର ଦଧିନଉତି ତଥା ଚୂଡ଼ା ଦୃଶ୍ୟମାନ ହୋଇଛି। ଏହି ଜଳଭଣ୍ଡାର ନିର୍ମାଣ ପରେ ମରୁଡ଼ି ଆଶଙ୍କା ଦୂରେଇ ଯାଇଥିଲା। ହେଲେ ଚଳିତ ବର୍ଷର ଏହି ଚିତ୍ର ସମସ୍ତଙ୍କୁ ବିସ୍ମିତ କରିଛି। ଆଉ ଜଳଭଣ୍ଡାର ଚିନ୍ତାଜନକ ଭାବେ ଶୁଖିଯିବା ନିଶ୍ଚିତ ମରୁଡ଼ିର ପଦଧ୍ବନି ବୋଲି ବରିଷ୍ଠ ନାଗରିକ ମ‌ାନେ ମତ ରଖିଥିବା ସହ ଏଭଳି ଚିତ୍ର କେବେବି ଦେଖି ନଥିବା କିଛି ଅଞ୍ଚଳବାସୀ କହିଛନ୍ତି।

ଭଞ୍ଜନଗର ଜଳଭଣ୍ଡାରର ଜଳଧାରଣ କ୍ଷମତା ବର୍ତ୍ତମାନ ୫୭୬୬ ହେକ୍ଟୋମିଟର ରହିଛି। ପୂର୍ବରୁ ଏହାର ଜଳଧାରଣ କ୍ଷମତା ୪୯୭୫ ହେକ୍ଟୋମିଟର ରହିଥିବା ବେଳେ ୧୯୯୫ ମସିହାରେ ଡିଏସ୍‌ଏଆରପି ଯୋଜନାରେ ଏହାର ହିଡ଼କୁ ଉଚ୍ଚା କରାଯାଇ ଜଳଧାରଣ କ୍ଷମତାକୁ ବଢ଼ାଯାଇଥିଲା। ଏହି ଜଳଭଣ୍ଡାର ଋଷିକୁଲ୍ୟା ଜଳସେଚନ ଯୋଜନାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ ଘୁମୁସର ଅଞ୍ଚଳର ଭାତହାଣ୍ଡି ଭାବେ ପରିଚିତ। ଏଠାରୁ ବାହାରୁଥିବା ପାଣି ୧୪୦.୬୮ ହେକ୍ଟର ଚାଷଜମିକୁ ଜଳସେଚିତ କରୁଛି। ଭଞ୍ଜନଗର ମାଇନର କେନାଲ୍‌ ଦେଇ ୨୫୮.୪୪ ହେକ୍ଟର, ବେଣାକୁନ୍ଦା ମାଇନର୍ କେନାଲ ଦେଇ ୨୬୨.୪୧ ହେକ୍ଟର ଓ ମନ୍ଦାର ମାଇନର କେନାଲ୍ ଦେଇ ୪୭୦ ହେକ୍ଟର ଚାଷଜମିକୁ ଜଳସେଚିତ କରୁଛି। ଏହାସହ କୌଣସି ନଦୀ କିମ୍ବା ନାଳକୁ ଏହି ଜଳଭଣ୍ଡାର ସହ ସିଧାସଳଖ ସଂଯୋଗ କରାଯାଇନି। ଜଳଭଣ୍ଡାରକୁ ଘେରି ରହିଥିବା ପାହାଡ଼ରୁ ପାଣି ବୋହି ଏଠାରେ ଗଚ୍ଛିତ ରହୁଛି। ଏହି ଜଳଭଣ୍ଡାରରୁ ସିଧାସଳଖ ମୋଟ ୯୮୩ ହେକ୍ଟୋମିଟର ଚାଷ ଜମିକୁ ଆଜି ପର୍ଯ୍ୟନ୍ତ ଜଳସ‌େଚିତ ହୋଇପାରୁଛି।

ବଡନଦୀ ଉପରେ ସୋରିଷମୂଳିରେ ବ୍ୟାରେଜରୁ ୧୦.୩୦ କିମି ଲମ୍ବା କେନାଲ୍‌ ଦ୍ବାରା ୧୮.୦୪ କ୍ୟୁମେକ୍‌ ପାଣି ଏହି ଜଳଭଣ୍ଡାରରେ ପ୍ରବେଶ କରୁଛି। ଏହି କେନାଲ୍‌ ଦ୍ବାରା ୮୧୧ ହେକ୍ଟର୍ ଜମିକୁ ଜଳସେଚିତ ହୋଇପାରୁଛି। ଏଥିସହ ଜଳଭଣ୍ଡାରରୁ ଏକ୍‌ଜିଟ୍‌ କେନାଲ୍‌ରେ ସର୍ବାଧିକ ୧୭.୫୦ କ୍ୟୁମେକ୍ ଜଳ ନିଷ୍କାସନ କରିବା ବ୍ୟବସ୍ଥା କରାଯାଇଛି।

ଏଥିସହ ଏହି ଜଳଭଣ୍ଡାରର ଅନ୍ୟ ଏକ ପାର୍ଶ୍ବରେ କିଛି ବର୍ଷ ତଳେ ଏକ ସ୍ପିଲ୍‌ୱେ ନିର୍ମାଣ କରାଯାଇଛି। ଏଥିରେ ୬ ଗୋଟି ଗେଟ୍‌ ନିର୍ମାଣ ହୋଇଥିବା ବେଳେ ଜଳଭଣ୍ଡାରରେ ପାଣି ଭର୍ତ୍ତି ହେଲେ ସର୍ବାଧିକ ୪୭୯ କ୍ୟୁମେକ୍ସ୍‌ ଜଳ ନିଷ୍କାସନ କରାଯାଇପାରୁଛି। ଏହା ରାଜକୁଣ୍ଡପଲ୍ଲୀ ଦେଇ ଲୋହରାଖଣ୍ଡି ନଦୀରେ ପଡ଼ିଛି। ତେବେ ବ୍ରିଟିସ୍ ଅମଳରୁ ବରଙ୍ଗ ନାଳ ଏହାର ମୁଖ୍ୟ କେନାଲ୍‌ ହୋଇଥିବା ବେଳେ ମାଧବରିଡ଼ା ନିକଟରେ ବଡନଦୀ, ବୋଡ଼ା ନଦୀ ଓ ଲୋହରାଖଣ୍ଡି ନଦୀ ସହ ସଂଯୋଗ କରିଛି। ସେଠାରୁ ଗିରିସୋଲା କେନାଲ୍‌ରେ ବଙ୍କା, ବଡ଼ଖୋଲି ଓ ପାଣ୍ଡିଆପଥରା ଗ୍ରାମ ଯାଏ ୨୬୯୧ ହେକ୍ଟର ଚାଷ ଜମିକୁ ଜଳସେଚିତ କରୁଛି। ଏହାସହ ଏହି ଜଳଭଣ୍ଡାର ପାନୀୟ ଜଳ ଅଭାବକୁ ବି ମେଣ୍ଟାଇବାରେ ବି ସହାୟକ ହେଉଛି। କିନ୍ତୁ ଚଳିତବର୍ଷ ଜଳଭଣ୍ଡାର ବର୍ଷା ଅଭାବରୁ ସଂପୂର୍ଣ୍ଣ ଭାବେ ଶୁଖିଲା ପଡ଼ିଥିବାରୁ ଚାଷୀ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର