ରାଉରକେଲା: ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ରାଉରକେଲା ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଯାଞ୍ଚବେଳେ ପାଟିତୁଣ୍ଡ ହୋଇଥିଲା। ବିଜେପି ପ୍ରାର୍ଥୀ ଦିଲୀପ ରାୟଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ନାମାଙ୍କନ ରଦ୍ଦ କରିବାକୁ ରିଟର୍ଣ୍ଣିଂ ଅଫିସରଙ୍କୁ ନିବେଦନ କରିଥିଲେ। ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଥିଲେ, ସାରଦା ତାଙ୍କ ନାଁରେ ବିଚାରାଧୀନ ଅପରାଧିକ ମାମଲା ଓ କଟକ ଜିଲ୍ଲା ଅନ୍ତର୍ଗତ ସାଙ୍କିଲୋ ଗାଁ’ର ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ଫର୍ମ-୨୬ରେ ଉଲ୍ଲେଖ କରିନାହାନ୍ତି। ଏଣୁ ତାଙ୍କ ପ୍ରାର୍ଥିତ୍ବ ଖାରଜ କରିବାକୁ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ଏ ଦିଗରେ କୌଣସି ପଦକ୍ଷେପ ନିଆନଗଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହେବେ ବୋଲି କହିଥିଲେ।
ଅପରପକ୍ଷେ ଏଭଳି ଅଭିଯୋଗକୁ ବିଜେଡି ପ୍ରାର୍ଥୀ ସାରଦାଙ୍କ ଓକିଲ ସୁଦାମ ଦାସ ବିରୋଧ କରିଥିଲେ। ବିଜେପି ହାରିବା ଭୟରେ ଏମିତି ମିଥ୍ୟା ଆରୋପ କରୁଛି ବୋଲି କହିଥିଲେ। ପୀତାମ୍ବର ଆଚାର୍ଯ୍ୟ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟକୁ କେମିତି ପ୍ରବେଶ କଲେ ବୋଲି ସାରଦାଙ୍କ ଓକିଲ ଶ୍ରୀ ଦାସ ପାଲଟା ପ୍ରଶ୍ନ କରିଛନ୍ତି। କେବଳ ସୁଦାମ ଦାସ ନୁହେଁ, ବିଜେଡି ସମର୍ଥକ ସ୍ଥାନୀୟ ଆଇନଜୀବୀମାନେ ପୀତାମ୍ବରଙ୍କ ଘୋର ବିରୋଧ କରିବା ସହ ସତ୍ୟପାଠ ଠିକ୍ ଅଛି ବୋଲି ଯୁକ୍ତି ଦର୍ଶାଇଥିଲେ। ଦ୍ବିତୀୟ ରାଉଣ୍ଡ ଆଲୋଚନାରେ ବିଜେଡି ପ୍ରାର୍ଥୀଙ୍କ ସମର୍ଥକମାନେ ଉପସ୍ଥିତ ଥିବାବେଳେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିବାକୁ ଆଇନଜୀବୀ ଓ ସମର୍ଥକ କେହି ଉପସ୍ଥିତ ନଥିଲେ। ପୀତାମ୍ବର ଆଚାର୍ଯ୍ୟଙ୍କ ଉପରୋକ୍ତ ମନ୍ତବ୍ୟକୁ ବିଜେଡି ପକ୍ଷରୁ ଘୋର ନିନ୍ଦା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/c55c143d-89a3-42d1-9154-9a46ee0f0c49.jpeg)