ତୁର୍କୀରେ ଭୟଙ୍କର ଭୂମିକମ୍ପ: ୩୦୦୦ ମୃତ, ୨୦ ଲକ୍ଷ କ୍ଷତିଗ୍ରସ୍ତ, ୧୩ଟି ପ୍ରଦେଶ ଧ୍ବସ୍ତ

ତୁର୍କୀ, ସିରିୟାରେ ଅକଳ୍ପନୀୟ କ୍ଷତି, ୧୦ ଘଣ୍ଟାରେ ୩ ଥର ୭.୮, ୭.୫, ୬

ଇସ୍ତାନବୁଲ : ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ତୁର୍କୀ ଥରହର। ୧୦ ଘଣ୍ଟା ମଧ୍ୟରେ ତିନି ତିନିଟି ଶକ୍ତିଶାଳୀ ଭୂମିକମ୍ପ। କେତେ ଲୋକ ପ୍ରାଣ ହରାଇଛନ୍ତି, ତାହାର ହିସାବ ଏପର୍ଯ୍ୟନ୍ତ ମିଳିନାହିଁ। ତେବେ ବତ୍ତର୍ମାନ ସୁଦ୍ଧା ୩୦୦୦ରୁ ଅଧିକ ଲୋକଙ୍କର ଶବ ଉଦ୍ଧାର କରାଗଲାଣି। ୩୦ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୯ଟି ପ୍ରଦେଶ ସଂପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି। ଗତ ୮୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର କୁହାଯାଉଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ସହର ନିଶ୍ଚିହ୍ନ ହୋଇଯାଇଛି। ୩ ହଜାରରୁ ଅଧିକ ବିଶାଳକାୟ ଅଟ୍ଟାଳିକାମାନ ଧ୍ବଂସସ୍ତୂପରେ ପରିଣତ ହୋଇଛି। ହଜାର ହଜାର ଲୋକ ଧ୍ବଂସସ୍ତୂପ ତଳେ ଏବେ ବି ଦବି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ବିପର୍ଯ୍ୟୟ ଯୋଗୁଁ ପଡ଼ୋଶୀ ଦେଶ ସିରିଆର ବ୍ୟାପକ ଅଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

୩,୦୦୦ ଅଟ୍ଟାଳିକା ଭୁଶୁଡ଼ିପଡ଼ିଲା
୮୦ ବର୍ଷରେ ସବୁଠୁ ଭୟଙ୍କର
୭୮ ଥର ଝଟ୍‌କା

ତୁର୍କୀର ଯେଉଁ ୯ଟି ପ୍ରଦେଶ ଧ୍ବଂସସ୍ତୂପ ପାଲଟିଛି ସେଗୁଡ଼ିକ ହେଲା ଗାଜିଆନଟେପ, ସାନଲି ଉର୍ଫା, ଦିୟାରବକିର, ଅଦାନା, ଆଦିଆମାନ, ମାଲାତ୍ୟା, ଓଷମାନିଏ, ହାତେ ଏବଂ କିଲିସ। ସେହିଭଳି ସିରିଆର ଚାରିଟି ପ୍ରଦେଶ ଆଲେପୋ, ଲଟାକିଆ, ହାମା ଏବଂ ତତୁର୍ସ ମଧ୍ୟ ଭୀଷଣ କ୍ଷତିଗ୍ରସ୍ତ ‌ହୋଇଛି।
ଆଜି ଭୋର ସମୟରେ ପ୍ରଥମ କମ୍ପନ ଅନୁଭୂତ ହୋଇଥିଲା। ରିଚର ସ୍କେଲରେ ଏହାର ତୀବ୍ରତା ଥିଲା ୭.୮। ସନ୍ଧ୍ୟା ବେଳେ ପୁଣି ଦୁଇଟି ଭୂକମ୍ପ। ‌ଥରି ଉଠିଥିଲା ସମଗ୍ର ଅଞ୍ଚଳ। ତୀବ୍ରତା ଥିଲା ୭.୫ ଏବଂ ୬। ପ୍ରଥମ ଭୂମିକମ୍ପର କେନ୍ଦ୍ରସ୍ଥଳ ତୁର୍କୀର ଗାଜିଆନ୍ତିପ ପ୍ରଦେଶର ନୁରଡାଗିର ପୂର୍ବରେ ୨୩ କିମି ଦୂର ଏବଂ ୨୪.୧ କିମି ଗଭୀରରେ ଥିଲା ବୋଲି ଆମେରିକା ଭୂତତ୍ତ୍ବ ବିଜ୍ଞାନ ସର୍ଭେ (ୟୁଏସଜିଏସ) ପକ୍ଷରୁ କୁହାଯାଇଛି। ପ୍ରଥମ ଭୂମିକମ୍ପର ପ୍ରାୟ ୯ ଘଣ୍ଟା ପରେ ୭.୫ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂମିକମ୍ପ ସନ୍ଧ୍ୟା ବେଳେ ଅନୁଭୂତ ହୋଇଛି।

ପ୍ରଥମ ଭୂମିକମ୍ପର କେନ୍ଦ୍ରସ୍ଥଳଠାରୁ ୯୫ କିମି ଦୂରରେ ଏହି ଭୂମିକମ୍ପ ହୋଇଛି। ଏହାର କିଛି ସମୟ ପରେ ୬ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା। ଭୂମିକମ୍ପର ମାତ୍ରା ଏତେ ଅଧିକ ଥିଲା ଯେ ଲେବାନନ ଏବଂ ଇସ୍ରାଏଲ ଏବଂ ଏପରିକି ଗ୍ରୀନଲାଣ୍ଡରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି। କମ୍ ସମୟ ବ୍ୟବଧାନରେ ତିନିଟି ଭୟଙ୍କର ଭୂମିକମ୍ପ ହେବାରୁ ତୁର୍କୀ ଏବଂ ସିରିୟାବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। କେବଳ ଏତିକି ନୁହେଁ, ପ୍ରଥମ ଭୂକମ୍ପ ପରେ ୭୮ ଥର ଛୋଟ ବଡ଼ ଝଟକା ମଧ୍ୟ ଅନୁଭୂତ ହୋଇଛି।

ଗତ ପ୍ରାୟ ୮୦ ବର୍ଷ ମଧ୍ୟରେ ଏତେ ଶକ୍ତିଶାଳୀ ଭୂମିକମ୍ପ ତୁର୍କୀରେ କେବେ ଦେଖିବାକୁ ମିଳି ନଥିଲା। ୧୯୩୯ ମସିହାରେ ଏହି ସମାନ ମାତ୍ରାର ଶକ୍ତିଶାଳୀ ଭୂମିକମ୍ପ ହେବା ଯାଗୁଁ ୩୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଭଳି ତୀବ୍ରତାର ଭୂମିକମ୍ପ ପ୍ରାୟ ବିରଳ। ଗତ ୨୫ ବର୍ଷ ମଧ୍ୟରେ ତୁର୍କୀରେ ୭.୦ ତୀବ୍ରତା କିମ୍ବା ତାହାଠାରୁ ଅଧିକ ମାତ୍ରାର ଭୂମିକମ୍ପ ହୋଇଛି। କିନ୍ତୁ ସୋମବାରର ଭୂମିକମ୍ପ ହେଉଛି ସବୁଠୁ ଶକ୍ତିଶାଳୀ। ଭୂଗର୍ଭ ଶିଳାରେ ପରିବର୍ତ୍ତନ ଯୋଗୁ ଏଭଳି ଭୂମିକମ୍ପ ହୋଇଛି।

ତୁର୍କୀ ଓ ସିରିୟା‌ରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏଥିସହ ବର୍ଷା ଓ ବରଫପାତ ମଧ୍ୟ ହେଉଛି। ଭୂମିକମ୍ପ ଲୋକଙ୍କ ଦୁର୍ଦ୍ଦଶାକୁ ଏହା ଆହୁରି ବଢ଼ାଇ ଦେଇଛି। ବରଫପାତ ସହିତ ଏକାଧିକ ଭୂମିକମ୍ପ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଛି। ଭାରତ ସମେତ ଅନେକ ଦେଶ ତୁର୍କୀ ଏବଂ ସିରିଆକୁ ସହାୟତା ପଠାଇବା ଆରମ୍ଭ କରିଛନ୍ତି।

ଲୋକମାନେ ଶୋଇଥିବା ବେଳେ ସ୍ଥାନୀୟ ସମୟ ସୋମବାର ଭୋର ୪ଟାରେ ପ୍ରଳୟଙ୍କାରୀ ପ୍ରଥମ ଭୂମିକମ୍ପ ହୋଇଥିଲା। ଏଥିରେ ବ୍ୟାପକ କ୍ଷତି ଘଟିଥିଲା। ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଏହାର ୯ ଘଣ୍ଟା ପରେ ଦ୍ବିତୀୟ ଏବଂ ତୃତୀୟ ଭୂମିକଂପ ହୋଇଥିଲା। ଭୂମିକଂପରେ ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଥିଲା। ଅନେକ ଫ୍ଲାଇଓଭର ଖଣ୍ଡ ଖଣ୍ଡ ହୋଇ ଧ୍ବଂସସ୍ତୂପ ପାଲଟିଯାଇଥିଲା। କ୍ଷତିଗ୍ରସ୍ତ ଅଞ୍ଚଳରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି। ବର୍ତ୍ତି ଯାଇଥିବା ଲୋକମାନେ ପ୍ରତିକୂଳ ପାଗ ଯୋଗୁଁ ଆଶ୍ରୟ ନେବାଲାଗି ଜାଗା ଖୋଜି ହେଉଥିବା ବେଳେ ଧ୍ବଂସସ୍ତୂପ ତଳେ ଦବି ରହିଯାଇଥିବା ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ଧ‌ାରକାରୀ ଦଳ ଉଦ୍ୟମ ଚଳାଇଛନ୍ତି। ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ତୁର୍କୀ ରାଷ୍ଟ୍ରପତି ରିସେପ ତେଇପ ‌ଏର୍ଡୋଗାନ ଟିଭି ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଭୂମିକମ୍ପ ପ୍ରଭାବରେ ଦେଶରେ ଅତିକମରେ ୯୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୩୮୫ ଜଣ ଆହତ ହୋଇଛନ୍ତି ବୋଲି ସେ କହିଛନ୍ତି। ପଡ଼ୋଶୀ ସିରିୟାରେ ୫୯୨ ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୩୭୧ ଜଣଙ୍କର ମୃତ୍ୟୁ ତୁର୍କୀର ପଡ଼ୋଶୀ ପ୍ରଦେଶ ଆଲିପୋ, ହାମା, ଲାଟାକିଆ ଏବଂ ଟରଟସରେ ହୋଇଛି ବୋଲି ସିରିଆର ସରକାରୀ ଖବର ସରବରାହ ସଂସ୍ଥା ସାନା ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବର୍ତ୍ତମାନ ସୁଦ୍ଧା ସିରିୟାରେ ଆହତଙ୍କ ସଂଖ୍ୟା ୧୦୮୯ ବୋଲି ରିପୋର୍ଟ କରାଯାଇଛି। ସିରିୟା ସରକାର ବିରୋଧୀଙ୍କ ନିୟନ୍ତ୍ରଣରେ ଥିବା ଉତ୍ତର ପଶ୍ଚିମ ସିରିୟାରେ ଅତିକମରେ ୨୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥସହିତ ୪୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଦେଶର ବିଭିନ୍ନ ଭାଗରୁ ସ୍ବେଚ୍ଛାସେବୀମାନଙ୍କୁ ପଠାଯାଇଛି ବୋଲି ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଲେମାନ ସୋୟଲୁ କହିଛନ୍ତି। ୟୁରୋପୀୟ ସଂଘର ଏମର୍ଜେନ୍ସି ରେସପନ୍ସ କୋର୍ଡିନେସନ ସେଣ୍ଟର (ଇଆରସିସି) ଜରିଆରେ ଅନ୍ତର୍ଜାତୀୟ ସହାୟତା ଲୋଡ଼ାଯାଇଛି। ତୁର୍କୀର ସବୁଠୁ ବଡ଼ ସହର ଇସ୍ତାନବୁଲରୁ ପାଖାପାଖି ୧୦୦୦ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ଗାଜିଆନ୍ତିପର ରାଜ୍ୟପାଳ ତାଙ୍କ ଟ୍ବିଟ ବାର୍ତ୍ତାରେ ଲୋକମାନଙ୍କୁ ଘର ବାହାରେ ଶାନ୍ତ ଭାବେ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରଭାବିତ ଅଞ୍ଚଳ ପାଇଁ ଏୟାର ‌ଏଡ୍‌ କରିଡର ସ୍ଥାପନ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ରୁଷ୍‌ ରାଷ୍ଟ୍ରପତି ‌ଭ୍ଲାଦିମିର ପୁଟିନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ବର ଅନ୍ୟ ନେତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବିଶ୍ବର ପ୍ରାୟ ୪୫ଟି ଦେଶ ସହାୟତାର ହାତ ବଢ଼ାଇଛନ୍ତି।

ଦୁଇ ଏନଡିଆରଏଫ ଟିମ୍ ପଠାଇଲା ଭାରତ
ଭାରତ ସରକାରଙ୍କ ପକ୍ଷରୁ ଭୂମିକମ୍ପ ପ୍ରଭାବିତ ଅଞ୍ଚଳକୁ ୧୦୦ ସଦସ୍ୟ ବିଶିଷ୍ଟ ଦୁଇଟି ଏନଡିଆର୍‌ଏଫ୍‌ ଟିମ୍ ପଠାଯାଇଛି। ଏମାନଙ୍କ ସହିତ ସ୍ବତନ୍ତ୍ର ଭାବେ ତାଲିମପ୍ରାପ୍ତ କୁକର ଏବଂ ଆବଶ୍ୟକ ଯନ୍ତ୍ରପାତି ରହିଛି। ଏମାନେ ଉଦ୍ଧାର ଏବଂ ଅନୁସନ୍ଧାନ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତାଲିମପ୍ରାପ୍ତ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ, ଔଷଧ ଏବଂ ରିଲିଫ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି। ତୁର୍କୀ ସରକାର, ଅଙ୍କାରାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଏବଂ ଇସ୍ତାନବୁଲସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସଙ୍କ କାର୍ଯ୍ୟାଳୟର ସମନ୍ବୟରେ ଏମାନଙ୍କୁ ପଠାଯିବ।

India TV News

ଦୁଃଖ ପ୍ରକାଶ କଲେ ମୋଦୀ
ତୁର୍କୀ ଭୂକମ୍ପ ପ୍ରଭାବରେ ଧନଜୀବନ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ଓ ସମବେଦନା ପ୍ରକାଶ କରିଛନ୍ତି। ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ତୁର୍କୀ ସହିତ ଭାରତ ଏଭଳି ସମୟରେ ଦୁଢ଼ଭାବେ ଠିଆ ହୋଇଛି ଏବଂ ଉକ୍ତ ବିପର୍ଯ୍ୟୟର ସାମ୍ନା କରିବା ପାଇଁ ଭାରତ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର