ମିଶରକୁ ନୀଳ ନଦୀର ଅବଦାନ ଯଥେଷ୍ଟ ରହିଥିବା କୁହାଯାଏ। ତେବେ ହୋୟାଂହୋକୁ ଚୀନ୍‌ର ଦୁଃଖ ବୋଲି କୁହାଯାଏ। କେଉଁଠି ନଦୀ ମା’ ପରି ସେବା ଦିଏ ତ ପୁଣି କେଉଁଠି ପ୍ରଳୟ ରଚେ। କିଛି ନଦୀ ଭୟଙ୍କର ମନେହୁଅନ୍ତି ବିଭିନ୍ନ କାରଣରୁ; କେହି ପ୍ରଖର ସ୍ରୋତ ପାଇଁ ତ କେହି ବିଭିନ୍ନ ଜଳଜ ଜୀବମାନଙ୍କ ପାଇଁ, କେହି ପୁଣି ପ୍ରଦୂଷଣ ପାଇଁ। ଆସନ୍ତୁ ଜାଣିବା, ଏମିତି କିଛି ଭୟଙ୍କର ନଦୀର କଥା।

Advertisment

publive-image Daily Mirror

ଆମାଜନ ନଦୀ
ଆମାଜନ ଜଙ୍ଗଲ ଦେଇ ପ୍ରବାହିତ ଆମାଜନ ନଦୀ ହେଉଛି ନୀଳ ପରେ ପୃଥିବୀର ଦ୍ୱିତୀୟ ଲମ୍ବା ନଦୀ। ଜଳ ପରିମାଣ ଦ୍ୱାରା ଏହା ବିଶ୍ୱର ସର୍ବବୃହତ୍‌ ଅଟେ। ଆମାଜନ ନଦୀରେ ଶହ ଶହ ଜଳପଥ ଅଛି ଯାହାକି ୬୮୪୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଏହାର ୧୭ଟି ଉପନଦୀ ଅଛି ଯାହା ଆଟଲାଣ୍ଟିକ୍ ମହାସାଗରରେ ପ୍ରତି ସେକେଣ୍ଡରେ ୫୫ ନିୟୁତ ଗ୍ୟାଲନ୍ ଜଳ ନିଷ୍କାସନ କରିଥାଏ। ଏହା ଜୈବ ବିବିଧତାରେ ପରିପୂର୍ଣ୍ଣ। ଏହି ନଦୀରେ ଥିବା ଅନେକ ପ୍ରକାରର ମାଛ ବେଶ୍‌ ଭୟଙ୍କର। ଆନାକୋଣ୍ଡା ପରି ଭୟଙ୍କର ସାପ ମଧ୍ୟ ଏଠାରେ ଦେଖାଯାଏ।

ମେକଂ ନଦୀ
ସୁଦୀର୍ଘ ନଦୀ ମଧ୍ୟରେ ମେକଂ ନଦୀ ଅନ୍ୟତମ। ସବୁଠାରୁ ଲମ୍ବା ନଦୀ ମଧ୍ୟରେ ଏସିଆରେ ଏହାର ସ୍ଥାନ ସପ୍ତମରେ ଥିବା ବେଳେ ବିଶ୍ବରେ ଏହାର ସ୍ଥାନ ଦଶମରେ ରହିଛିି। ଏହା ଚୀନ୍‌, ଲ‌ାଓସ, କାମ୍ବୋଡିଆ, ଭିଏତ୍‌ନାମ, ବର୍ମା ଏବଂ ଥାଇଲାଣ୍ଡ ଦେଇ ପ୍ରବାହିିତ। ୨୭୦୩ ମାଇଲ୍‌ ଦୂର ପ୍ରବାହିତ ଏହି ନଦୀ ସହ ବିବିଧତା ଯୋଡ଼ି ହେଇ ରହିଛି। ଯେମିତିକି, ବିଭିନ୍ନ ଦୁର୍ଲଭ ପ୍ରଜାତି ଡଲ୍‌ଫିନ୍‌ ଏବଂ କୁମ୍ଭୀର ଆଦି ଦେଖିବାକୁ ମଳିଥାଏ ଏ ନଦୀ‌େର। ତେବେ ଖରସ୍ରୋତା ଏହି ନଦୀରେ ନୌଚାଳନା କରିବା ସମ୍ଭବ ନୁହେଁ। ଅନେକ ସମୟରେ ମେକଂ ତା’ର ଭୟଙ୍କର ରୂପ ଦେଖାଇଛି। ୨୦୦୦ ମସିହାରେ ଏହି ନଦୀରେ ଭୟଙ୍କର ବନ୍ୟା ଆସି ଶତାଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨୦୦୮ ମସିହାରେ ଏହି ନଦୀରେ ଆସିଥିବା ବନ୍ୟାରେ ୬୬ ନିୟୁତ ଡଲାରର କ୍ଷତି ଘଟିଥିଲା।

publive-image ultima0thule.blogspot.com

ଲେନା ନଦୀ
ଦୀର୍ଘ ନଦୀ ମଧ୍ୟରେ ଲେନା ନଦୀ ବିଶ୍ବରେ ନବମ ସ୍ଥାନରେ ରହିଛି। ପ୍ରାୟ ୨୭୩୪ ମାଇଲ୍‌ ପର୍ଯ୍ୟନ୍ତ ଏହାର ବ୍ୟାପ୍ତି। ଏହା ପୂର୍ବ ସାଇବେରିଆ ଦେଇ ପ୍ରବାହିତ ଏବଂ ଦୁଇଟି ଅନ୍ୟ ନଦୀ ସହ ଜଡ଼ିତ। ଶୀତ ସମୟରେ ନଦୀରେ ବରଫ ଜମି ରହିଥାଏ। ବସନ୍ତ ଋତୁ ଆସିଲେ ତାହା ତରଳିବା ଆରମ୍ଭ କରିଥାଏ। ଏହା ବନ୍ୟାର କାରଣ ମଧ୍ୟ ହୋଇଥାଏ। କାରଣ ନଦୀର ଜଳକୁ ଜମି ରହିଥିବା ବରଫ ବହିଯିବାକୁ ଦିଏ ନାହିଁ। ୨୦୦୭ରେ ଏହି ନଦୀରେ ଏକ ଭୟଙ୍କର ବନ୍ୟା ଆସିଥିଲା। ହଜାରେରୁ ଊର୍ଦ୍ଧ୍ବ ଘର ପାଣି ତଳେ ଡୁବି ଯାଇଥିଲା।

ୟେନେସି ନଦୀ
ୟେନେସି ନଦୀ ପୃଥିବୀର ବଡ଼ ନଦୀ ମଧ୍ୟରେ ଅନ୍ୟତମ। ଏହା ମଙ୍ଗୋଲିଆ ଏବଂ ଚୀନ୍‌ ଦେଇ ପ୍ରବାହିତ। ନଦୀଟି ଖରସ୍ରୋତା। ଏଥିରେ ଭୟଙ୍କର ବନ୍ୟା ଆସିଥାଏ। ଏହାର ଯେଉଁ ଅଂଶ ଅନ୍ଧେରାହ ଘାଟୀ ଦେଇ ଯାଇଛି ତାହା ପ୍ରାୟତଃ ବରଫରେ ବନ୍ଦ ରହିଥାଏ ଏବଂ ଗ୍ଳାସିୟର ରିଟ୍ରିଟ ଉତ୍ପାଦନ କରିଥାଏ। ଯାହା ନଦୀକୁ ବହିଯାଇ ବିପଦର କାରଣ ହୋଇଥାଏ। ଏହାବାଦ ପ୍ଲୁଟୋନିୟମ ତିଆରୁଥିବା କାରଖାନା ଦ୍ବାରା ଏହା ପାଣି ଦୂଷିତ ଏବଂ ବିଷାକ୍ତ ହୋଇଥାଏ। ତେଣୁ ଏହା ଲୋକମାନଙ୍କର ସ୍ବାସ୍ଥ୍ୟ ସଙ୍କଟର କାରଣ ମଧ୍ୟ ପାଲଟିଥାଏ।

publive-image Journeys International

ୟାଙ୍ଗ୍‌ଜି ନଦୀ
ୟାଙ୍ଗ୍‌ଜି ନଦୀ ଯେତିକି ସୁବିଧା ଦେଇଛି ସେତିକି ଦୁଃଖର କାରଣ ମଧ୍ୟ ହେଇଛି। ଏହା ଆଖପାଖ ଲୋକମାନଙ୍କୁ ରୋଜଗାର ଦେଇଛି। ଏହା ଚୀନ୍‌କୁ ଜଳବିଦ୍ୟୁତ୍‌ ଯୋଗାଇବା ସହ ଆହୁରି ଅନେକ ଉପକାର ମଧ୍ୟ କରିଛି। ତେବେ‌ ୟାଙ୍ଗ୍‌ଜି ଶିଳ୍ପଜାତ ବର୍ଜ୍ୟରେ ପ୍ରଦୂଷିତ। ଯେଉଁ ସ୍ଥାନରେ କୂଳରେ ସୁଦୃଢ଼ ବନ୍ଧ ନାହିଁ କିମ୍ବା ଆଦୌ ବନ୍ଧ ନାହିଁ ସେଠାରେ ଏହି ନଦୀ ଅନେକ କ୍ଷତି ଘଟାଇଛି। ୧୯୫୪ ମସିହାରେ ଏଥିରେ ଆସିଥିବା ବନ୍ୟାରେ ତିରିଶ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ତେ‌େବ ଚୋଙ୍ଗ୍‌କ୍ବିଂ ଦେଇ ଏହି ନଦୀ ପ୍ରବାହିତ ହେବା ବେଳେ ଖୁବ୍‌ ଭୟଙ୍କର ମନେହୁଏ। ଏଠାରେ ଏହାର ଜଳ ଲାଲ୍‌ ପାଲଟିଯାଏ। ତେବେ ଅଚାନକ ଏଠାରେ ଏଭଳି ରଙ୍ଗ ପରିବର୍ତ୍ତନର କାରଣ କ’ଣ ଏଯାବତ୍‌ ଜଣା ପଡ଼ିନାହିଁ।

କଙ୍ଗୋ ନଦୀ
ଆଫ୍ରିକାରେ ପ୍ରବାହିତ କଙ୍ଗୋ ନଦୀ ଏକ ଗଭୀରତମ ନଦୀ। ଏହି ନଦୀର ପାର୍ଶ୍ବରେ ରହିଛି ପଞ୍ଚସ୍ତରି ମାଇଲ୍‌ ଲମ୍ବା ଘାଟୀ। ଏହାକୁ ‘ଗେଟ୍‌ସ ଅଫ୍‌ ନର୍କ’ ମଧ୍ୟ କୁହାଯାଇଥାଏ। ଏଠାରେ ନୌଚାଳନା କରିବା ସମ୍ଭବ ନୁହେଁ। ଏଠାରୁ ଏହି ନଦୀ ଆଉ ଷାଠିଏ କିଲୋମିଟର ଆଗକୁ ଯାଇ ହଠାତ୍‌ ବିଲୁପ୍ତ ହୋଇଛି। ଏହା ‘ଷ୍ଟେନ୍‌ଲି ଫଲ୍‌ସ’ ଭାବେ ଜଣାଶୁଣା। ଜୋସେଫ୍‌ କନରାଡ ଏହି ନଦୀକୁ ଅନ୍ଧାରର ହୃଦୟ ବୋଲି କହିଛନ୍ତି।

ମିସିସିପି
ଉତ୍ତର ଆମେରିକାର ସବୁଠୁ ବଡ଼ ନଦୀ ମିସିସିପି ଯାହାକି ଲୁଇସିୟାନା, ମିନେସୋଟା, ଅୟୋବା ସହିତ ବିଭିନ୍ନ ରାଜ୍ୟ ମଧ୍ୟ ଦେଇ ପ୍ରବାହିତ। ଏହା ଏକ ଖରସ୍ରୋତା ନଦୀ। ଭୟଙ୍କର ଘାଟୀ ଦେଇ ଏହା ପ୍ରବହମାନ। ବିଭିନ୍ନ ଜଳଜୀବ ଯେମିତିକି ବୁଲ୍‌ ସାର୍କ, ବଡ଼ ବଡ଼ ପାଇକ ମାଛ ଆଦି ଏଠାରେ ଦେଖିବାକୁ ମିଳେ। ସେହିପରି ନଦୀ ସଂଲଗ୍ନ ଅଞ୍ଚଳରେ ବନ୍ୟ ଜୀବଜନ୍ତୁମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ।

publive-image China.org

ୟେଲୋ ନଦୀ
ଭୟଙ୍କର ନଦୀ ଭିତରେ ଚୀନ୍‌ର ୟେଲୋ ନଦୀ ଅନ୍ୟତମ। ନିଜର ଗନ୍ତବ୍ୟ ପଥରେ ଏହି ନଦୀ ଚବିଶ ଥର ତା’ର ଗତିପଥ ବଦଳାଇଛି। ପ୍ରତିବର୍ଷ ଏଥିରେ ବନ୍ୟା ଆସି ଅନେକ ଧନଜୀବନ ନଷ୍ଟ କରିଥାଏ। ଏହି ନଦୀ ଥରେ ତା’ର ରୌଦ୍ର ରୂପ ଧାରଣ କଲେ ତା’ ଗତିପଥରେ ଯାହା ପଡ଼େ ସବୁକୁ ଭାଙ୍ଗିରୁଜି ଦିଏ। ହଜାର ହଜାର ଲୋକ ଏଥିରେ ମୃତ୍ୟୁବରଣ କରନ୍ତି। ଏହି ନଦୀ ଏତେ‌ ଭୟଙ୍କର ଯେ ହୋୟାଂହୋ ପରି ଏହାକୁ ମଧ୍ୟ ଚୀନ୍‌ର ଦୁଃଖ ବୋଲି କୁହାଯାଏ।

ଓରିନୋକୋ ନଦୀ
ଦକ୍ଷିଣ ଆମେରିକାରେ ପ୍ରବ‌ାହିତ ଏହି ନଦୀ। ଏହି ନଦୀର ଦୁଇଶହରୁ ଅଧିକ ଶାଖା ନଦୀ ଏବଂ ଝରଣା ରହିଛି। ସ୍ରୋତର ପ୍ରଖରତା ହେତୁ ଏହି ନଦୀରେ ନୌଚାଳନା ସମ୍ଭବ ନୁହେଁ। ବର୍ଷାଦିନେ ନଦୀ କୂଳ ଖାଉଥାଏ, ବିଶେଷକରି କଲମ୍ବିଆ ଏବଂ ଭେନେଜୁଏଲା ଦେଇ ପ୍ରବାହିତ ହେଉଥିବା ବେଳେ। ନଦୀର ଆଖପାଖ ଲୋ‌େକ ବନ୍ୟା ସମୟରେ କେବଳ ବିପଦରେ ନ ଥାନ୍ତି, ଅନ୍ୟସମୟରେ ମଧ୍ୟ ଏହି ନଦୀ ପାଇଁ ସ୍ବାସ୍ଥ୍ୟଗତ ସମସ୍ୟା ଭୋଗିଥା’ନ୍ତି।

publive-image Marine Link

ପରାନା ନଦୀ
ପରାନା ଏକ ବୃହତ୍ତମ ନଦୀ। ଆର୍ଜେଣ୍ଟିନା ଏବଂ ପାରାଗୁଏ ଦେଇ ଏହା ପ୍ରବାହିତ। ପରାନା ନଦୀ ସ୍ରୋତସ୍ବିନୀ। ଏହା ବାରମ୍ବାର ବନ୍ୟା ସୃଷ୍ଟି କରିଥାଏ। ଏହାର ନିକଟବର୍ତ୍ତୀ ସହର ମାନଙ୍କର ଅନେକ କ୍ଷତି ସାଧନ କରିଥାଏ। ଏହାବାଦ୍‌ ନଦୀ ତଟ, ବଡ଼ ବଡ଼ ଅଟ୍ଟାଳିକା ତଥା ଘରର ଏହା କ୍ଷତି ଘଟାଇଆସୁଛି।

ବ୍ରହ୍ମପୁତ୍ର
ପ୍ରାୟ ୩୮୪୮ କି.ମି. ଦୀର୍ଘ ବ୍ରହ୍ମପୁତ୍ର ନଦୀ ଜଳସେଚନ ଓ ପରିବହନ ଦୃଷ୍ଟିରୁ ଅତି ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ନଦୀର ହାରାହାରି ଗଭୀରତା ପ୍ରାୟ ୩୮୦ ଫୁଟ୍। ବସନ୍ତ ଋତୁରେ ହିମାଳୟର ବରଫ ତରଳିଲେ ଏହି ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ। ବର୍ଷରେ ହାରାହାରି ୭୦୦,୦୦୦ ଘନ ଫୁଟ୍ ପ୍ରତି ସେକେଣ୍ଡ୍ ଜଳ ନିଷ୍କାସିତ କରୁଥିବା ବ୍ରହ୍ମପୁତ୍ର ବନ୍ୟା ସମୟରେ ପ୍ରାୟ ୩୫,୦୦,୦୦୦ ଘନ ଫୁଟ୍ ପ୍ରତି ସେକେଣ୍ଡ୍ ଜଳ ନିଷ୍କାସିତ କରିଥାଏ। ବ୍ରହ୍ମପୁତ୍ର ବାରମ୍ବାର ନିଜ ଶଯ୍ୟା ପରିବର୍ତ୍ତନ କରେ।