କୁଆଖାଇ ନଦୀପଠାରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ, ହତ୍ୟା କରି ବାଲିରେ ପୋତିଥିଲେ!

ପରିଚୟ ଖୋଜୁଛି ପୁଲିସ, ସାଇଣ୍ଟଫିକ୍ ଟିମ୍ ସହ ତଦନ୍ତ ଆରମ୍ଭ

ଭୁବନେଶ୍ବର/ବାରଙ୍ଗ : ଭୁବନେଶ୍ବର ବାଲିଯାତ୍ରା ପଡ଼ିଆ କୁଆଖାଇ ନଦୀପଠାରେ ବାଲିରେ ପୋତି ହୋଇ ରହିଥିବା ଏକ ଅଚିହ୍ନା ମୃତଦେହକୁ ଆଜି ପୁଲିସ ଖୋଳି ବାହାର କରିଛି। କମିସନରେଟ୍‌ ପୁଲିସର ଡିସିପି ଉମାଶଙ୍କର ଦାଶ ଓ ମଞ୍ଚେଶ୍ବର ଥାନା ଅଧିକାରୀଙ୍କ ସହ ସାଇଣ୍ଟଫିକ୍ ଟିମ୍ ଏବଂ ସ୍ପେସା‌ଲ ସ୍କ୍ବାଡ୍‌ ଏସିପି ସଞ୍ଜୀବ କୁମାର ଶତପଥୀ ପ୍ରମୁଖଙ୍କ ଉପସ୍ଥିତିରେ ଉଦ୍ଧାର ହୋଇଥିବା ଏହି ମୃତଦେହ ଜଣେ ଯୁବକଙ୍କର ହୋଇଥିବାବେଳେ ତାଙ୍କ ବୟସ ୧୮ ରୁ ୨୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତାଙ୍କ ଶରୀର ସଂପୂର୍ଣ୍ଣ ପଚି ପୋକ ହୋଇ ଯାଇଥିବାବୋଳେ ମୁହଁ ଅସ୍ପଷ୍ଟ ଦେଖାଯାଉଛି। ଏଯାଏ ପରିଚୟ ମିଳି ନ ଥିବାବେଳେ ମୃତଦେହକୁ ଏମ୍ସ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ପୁଲିସ ସନ୍ଦେହ କରୁଛି ଏହି ଯୁବକଙ୍କୁ କେହି ହତ୍ୟା କଲା ପରେ ବାଲିରେ ପୋତି ଦେଇଛି। ହତ୍ୟ‌ାର କାରଣ ଜାଣିବା ଲାଗି ଏବଂ ହତ୍ୟାକାରୀଙ୍କ ନିକଟରେ ପହଞ୍ଚିବା ଲାଗି ପୁଲିସ ତଦନ୍ତ ଆରମ୍ଭ କରିଛି। ଏଥିପାଇଁ ସାଇଣ୍ଟଫିକ୍ ଟିମ୍‌ର ସହଯୋଗ ନିଆଯାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲେ ମଧ୍ୟ ପାରିପାର୍ଶ୍ବକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ମଞ୍ଚେଶ୍ବର ଥାନା ଅଧିକାରୀ କହିଛନ୍ତି। ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିବ। ଏହାଛଡ଼ା ମୃତକଙ୍କ ପରିଚୟ ଜାଣିବା ପାଇଁ କମିସନରେଟ ପୁଲିସର ବିଭିନ୍ନ ଥାନାରେ ନିଖୋଜ ବ୍ୟକ୍ତିଙ୍କ ବିଷୟରେ ଯାଞ୍ଚ ମଧ୍ୟ ଆରମ୍ଭ କରାଯାଇଛି।

ବୁଧବାର ସନ୍ଧ୍ୟା ସମୟରେ ବରିମୁଣ୍ଡ ବାଲିଯାତ୍ରା ପଡ଼ିଆରେ କିଛି ସ୍ଥାନୀୟ ଯୁବକ ବୁଲାବୁଲି କରୁଥିବାବେଳେ ବାଲି ଭିତରେ ପୋତି ହୋଇ ରହିଥିବା ଏକ ଶବର ହାତ ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଯାଞ୍ଚ କରିଥିଲା। ତେବେ ରାତି ହୋଇଯାଇଥିବାରୁ ମୃତଦେହକୁ ଉଦ୍ଧାର କରାଯାଇ ପାରି ନ ଥିଲା। ରାତିସାରା ପୁଲିସ ସେଠାରେ ଜଗି ରହିଥିବାବେଳେ ଆଜି ସକାଳୁ ପୁଲିସ ବାଲି ଭିତରୁ ପୂରା ମୃତଦେହକୁ ବାହାର କରିଥିଲା। ମୃତ ଯୁବକ ଜଣଙ୍କ ଧଳା ରଙ୍ଗର ସାର୍ଟ ଓ କଳା ରଙ୍ଗର ଟ୍ରାକ୍‌ସୁଟ୍ ଏବଂ ଭିତରେ ମଧ୍ୟ ଏକ ହାପ୍ ପ୍ୟାଣ୍ଟ ପିନ୍ଧିଥିଲା। ଡାହାଣ କାନରେ ଏକ ନୋଳି ଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ଉଚ୍ଚତା ୫ଫୁଟ୍ ୮ଇଞ୍ଚ ହେବ। ମୁଣ୍ଡ ପାଖରେ ଗୋଟିଏ ୯ନମ୍ବରର ଚପଲ ବାଲିରେ ପୋତା ହୋଇଥିବା ବେଳେ ଆଉ ଗୋଟିଏ ଉପରେ ପଡ଼ିଥିଲା। ଯୁବକଙ୍କ ଶରୀରରେ କୌଣସି ସ୍ଥାନରେ କ୍ଷତି ଚିହ୍ନ ନଥିବାରୁ ତାଙ୍କୁ ବିଷଦେଇ କିମ୍ବା ଶ୍ବାସରୁଦ୍ଧ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଏହାଛଡ଼ା ପୁଲିସ ସନ୍ଦେହ କରୁଛି ଯେ ୩ରୁ ୪ ଦିନ ତଳୁ ଯୁବକଙ୍କୁ ହତ୍ୟା କରାଯାଇ ପ୍ରମାଣ ନଷ୍ଟ ଲାଗି ନଦୀ ପଠାରେ ପୋତି ଦିଆଯାଇଛି।

ଇତିମଧ୍ୟରେ ପୁଲିସ ମୃତଦେହ ଚିହ୍ନଟ ପାଇଁ ଅନ୍ୟ ଜିଲ୍ଲା ଏବଂ ରାଜ୍ୟ ବାହାର ଥାନାକୁ ଖବର ଦେଇଛି। କୌଣସି ଥାନାରେ କୌଣସି ଯୁବକଙ୍କ ନିଖୋଜ ନେଇ ପୁଲିସ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି।

ଜରିପାଟଣା ସରପଂଚ ବିରେନ୍ଦ୍ର କୁମାର ଜେନାଙ୍କ କହିବାନୁସାରେ, ଶନିବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୧ଟା ସମୟରେ ସେହି ସ୍ଥାନରୁ ପାଟିତୁଣ୍ଡ ଶୁଣାଯିବା କଥା ତାଙ୍କୁ ସ୍ଥାନୀୟ ଗ୍ରାମବାସୀମାନେ ସୂଚନା ଦେଇଥିଲେ। ଶବ ପୋତା ହୋଇଥିବା ସ୍ଥାନଟି ରାସ୍ତାରୁ ପ୍ରାୟ ୭୦୦ମିଟର ଭିତରକୁ ହୋଇଥିଲେ ମଧ୍ୟ ରାତି ସମୟରେ ଶୂନଶାନ୍‌ ଥିବାରୁ ଦୁର୍ବୃତ୍ତମାନଙ୍କ ପାଟିତୁଣ୍ଡ ଗ୍ରାମବାସୀଙ୍କ କାନରେ ପଡ଼ିଥିଲା। ହେଲେ ଅସାମାଜିକ ଯୁବକମାନେ ପଦୀପଠାରେ ଆଡ଼ା ଜମାଉଥିବାରୁ ସେମାନେ ଏଭଳି ପାଟିତୁଣ୍ଡକୁ ସେତେ ଗୁରୁତ୍ବ ଦେଇନଥିଲେ।

ଅପରାଧସ୍ଥଳର ଦୃଶ୍ୟ ଥ୍ରିଡି କ୍ୟାମେରାରେ କଏଦ
ସାଇଣ୍ଟଫିକ୍ ଟିମ୍ ପକ୍ଷରୁ ଏକ ଅତ୍ୟାଧୁନିକ ଥ୍ରିଡି କ୍ୟାମେରା ଅଣାଯାଇଛି; ଯେଉଁଥିରେ ଅପରାଧ ଘଟିଥିବା ସ୍ଥାନର ଦୃଶ୍ୟ ସମ୍ପୂର୍ଣ୍ଣ କଏଦ ହୋଇ ରହିବ। ଏଥିରେ ହାଇ ଡେଫିନେସନର କ୍ୟାମେରା ଥିବାରୁ ଅପରାଧ ଘଟିଥିବା ସ୍ଥାନରୁ ୪୦ ମିଟର ଭିତରେ ଥିବା ସ୍ଥାନକୁ ସ୍ପଷ୍ଟ ଭାବେ ରେକର୍ଡ଼ କରିବା ସହ ଉନ୍ନତମାନର ଫଟୋଗ୍ରାଫ ସଂଗ୍ରହ କରିବ। ଭବିଷ୍ୟତରେ ଅପରାଧ ସମ୍ପର୍କରେ ଅନୁସନ୍ଧାନ ବେଳେ ଏହା ସହାୟକ ହେବ ବୋଲି ସାଇଣ୍ଟିଫିକ୍ ଟିମ୍ ପକ୍ଷରୁ କୁହାଯାଇଛି। ଅପରାଧ ଘଟୁଥିବା ସ୍ଥାନରେ ଅନ୍ୟ ରାଜ୍ୟରେ ପୂର୍ବରୁ ଏଭଳି କ୍ୟାମେରା ବ୍ୟବହାର କରାଯାଉଥିଲା। ପ୍ରଥମ ଥର ପାଇଁ ଓଡ଼ିଶାକୁ ଏହା ଆସିଛି।

ଦେଖଣାହାରୀଙ୍କ ଭିଡ଼ ଯୋଗୁଁ ପୁଲିସ ନାକେଦମ୍
ବୁଧବାର ରାତିରୁ ନଦୀପଠାରେ ଶବ ପୋତି ହୋଇ ରହିଥିବା କଥା ପ୍ରଚାର ହୋଇଯିବାରୁ ଆଜି ସକାଳେ ସେଠାରେ ଶତାଧିକ ଦେଖଣାହାରୀଙ୍କ ଭିଡ଼ ଜମିଥିଲା। ମୃତଦେହ ଉଦ୍ଧାର ସମୟରେ ଲୋକମାନେ କରୋନା କଟକଣା ଉଲ୍ଲଂଘନ କରି ଘଟଣାସ୍ଥଳକୁ ଏକପ୍ରକାର ଘେରି ଯାଇଥିଲେ। କାହା ମୁହଁରେ ମାସ୍କ ନ ଥିଲା କି କେହି ସାମାଜିକ ଦୂରତା ମାନି ନ ଥିଲେ। ଫଳରେ ଶବ ଉଦ୍ଧାର ଓ ଥ୍ରିଡି କ୍ୟାମେରା ରେକଡ଼ିଂ କରିବାରେ ପୁଲିସକୁ ଅସୁବିଧା ହୋଇଥିଲା। ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ଏଥିସହିତ ନଦୀର ଅପରପାର୍ଶ୍ବରେ ନହରକଣ୍ଟା ଗ୍ରାମର ଶତାଧିକ ମହିଳା ପୁରୁଷ ମଧ୍ୟ ଧାଡ଼ିବାନ୍ଧି ଛିଡ଼ା ହୋଇ ଦୂରରୁ ଘଟଣାକୁ ଦେଖୁଥିଲେ। ନଦୀରେ କମ୍ ପାଣି ଥିବାରୁ ଅପରପାର୍ଶ୍ବରୁ କିଛି ଲୋକ ପାଣିରେ ପହଁରି ପହଁରି ଘଟଣାସ୍ଥଳକୁ ଆସୁଥିବା ଦେଖାଯାଇଥିଲା।

ଜାରି ହେଲା ଯୋଗାଯୋଗ ନମ୍ବର
ମୃତ ବ୍ୟକ୍ତି ସଂପର୍କରେ ସୂଚନା ଦେବା ସହ ତଦନ୍ତରେ ପୁଲିସକୁ ସାହାଯ୍ୟ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଏକ ନମ୍ବର ଜାରି କରାଯାଇଛି। ତଦନ୍ତ ସହଜ ଏବଂ ଜଲଦି ହେବା ଜନସାଧାରଣ ଯଦି କିଛି ସନ୍ଧାନ ପାଆନ୍ତି ତେବେ, ମଞ୍ଚେଶ୍ବର ଥାନା ଅଧିକାରୀ ମୋ- ୮୨୮୦୩୩୮୩୨୧ ଏବଂ କମିସନରେଟ ପୁଲିସର ଲ୍ୟାଣ୍ଡ ଫୋନ୍ ୦୬୭୪- ୨୫୪୦୫୫୫ରେ ଯୋଗାଯୋଗ କରି ସୂଚନା ଦେବା ପାଇଁ ପୁଲିସ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର