ସାକାର ପୋର୍ଟାଲ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ନିର୍ଯାତିତ ପୀଡ଼ିତାଙ୍କ ପାଇଁ ଖୁସି ଖବର, ୨୧ ଦିନରେ ମିଳିବ କ୍ଷତିପୂରଣ

ଭୁବନେଶ୍ବର : ଆଉ ନିର୍ଯାତନା ମାମଲାରେ ପୀଡ଼ିତାଙ୍କୁ କ୍ଷତିପୂରଣ ରାଶି ମିଳିବାରେ ବିଳମ୍ବ ହେବ ନାହିଁ କି ପୀଡ଼ିତାଙ୍କୁ ଏ ଅଫିସ୍‌ରୁ ସେ ଅଫିସ୍‌ ଦୌଡ଼ିବାକୁ ପଡ଼ିବ ନାହିଁ। ଅଭିଯୋଗର ୨୧ ଦିନ ମଧ୍ୟରେ କ୍ଷତିପୂରଣ ରାଶି ସିଧା ପୀଡ଼ିତାଙ୍କ ଆକାଉଣ୍ଟକୁ ଯିବ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର(ଏସ୍‌ଏଏସିଏଆର୍‌) ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଭର୍ଚୁଆଲ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି (ସିଙ୍ଗଲ ୱିଣ୍ଡୋ ଆପ୍ଲିକେସନ୍‌ ଆଟ୍ରୋସିଟି କମ୍ପେନ୍‌ସେସନ୍‌ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍) ପୋର୍ଟାଲକୁ ଉନ୍ମୋଚନ କରି କହିଥିଲେ ଯେ, ମୋ ସରକାର ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ତେଣୁ ଯଦି କେହି ସମସ୍ୟାରେ ପଡ଼ନ୍ତି; ପୀଡ଼ିତ ବା ପୀଡ଼ିତା ଘରେ ବସି ଅନ୍‌ଲାଇନ୍‌ ମାଧ୍ୟମରେ ସିଧାସଳଖ ପୋର୍ଟାଲ୍‌ରେ ନିଜର ଅଭିଯୋଗ କରିବେ। ଫଳରେ ମାମଲାର ଶୀଘ୍ର ତଦନ୍ତ କରାଯାଇ ପାରିବ। ଆଉ ପୀଡ଼ିତାଙ୍କ ଆକାଉଣ୍ଟକୁ ଶୀଘ୍ର ଏବଂ ସହଜରେ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୋର୍ଟାଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ, ଏସଟି ଓ ଏସସି ବିକାଶ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ଏହାଛଡ଼ା ଅଧିକ ଯତ୍ନବାନ ପାଇଁ ପୋର୍ଟାଲ୍‌କୁ ୫-ଟି ଅର୍ନ୍ତଭୁକ୍ତ କରାଯାଇଛି।

ଉନ୍ମୋଚନ ଉତ୍ସବରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଏସଟି ଓ ଏସସି ବିକାଶ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇଥିଲେ। ସେହିପରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡିଜିପି ସୁନୀଲ ବଂଶଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ୫-ଟି ସଚିବ ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ବିନୟତୋଷ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର