ଔରଙ୍ଗାବାଦ: ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭପାତ ପାଇଁ ଅନୁମତି ଲୋଡ଼ିଥିବା ବେଳେ ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ ଅନୁମତି ଦେବାକୁ ମନା କରିଦେଇଛନ୍ତି। କାରଣ ସହମତିଭିତ୍ତିକ ଯୌନ ସମ୍ପର୍କ କାରଣରୁ ସେ ଗର୍ଭବତୀ ହୋଇଥିଲେ। ତେବେ ସନ୍ତାନ ଜନ୍ମ ହେବା ପରେ ନାବାଳିକା ତାକୁ ଯଦି ରଖିବାକୁ ନ ଚାହାନ୍ତି, ତେବେ ତାକୁ କୌଣସି ଅନାଥାଶ୍ରମକୁ ଦେଇପାରିବେ ବୋଲି କୋର୍ଟ କହିଛନ୍ତି।

Advertisment

ଜଷ୍ଟିସ୍ ରବୀନ୍ଦ୍ର ଘୁଗେ ଓ ୱାଇଜି ଖୋବ୍ରଗଡ଼େଙ୍କ ଖଣ୍ଡପୀଠ ୧୭ ବର୍ଷୀୟା ନାବାଳିକାର ଆବେଦନ ଉପରେ ଶୁଣାଣି କରିଥିଲେ, ଯିଏ ଜୁଲାଇ ୨୯ ତାରିଖରେ ୧୮ ବର୍ଷରେ ପଦାର୍ପଣ କରିଛି। ବାଳିକାର ମାଆ ଏହି ପିଟିସନ ଦାଏର କରିଥିଲେ ଏବଂ ତାଙ୍କ ଝିଅ ନାବାଳିକା ଥିବା ବେଳେ ଯୌନ ଅପରାଧର ଶିକାର ହୋଇଥିବା କହିଥିଲେ।

ଶୁଣାଣି ସମୟରେ କୋର୍ଟ ଜାଣିବାକୁ ପାଇଲେ ଯେ, ୨୦୨୨ ଡିସେମ୍ବର ମାସରୁ ବାଳିକାର ଗୋଟିଏ ପୁଅ ସହ ସହମତିଭିତ୍ତିକ ଯୌନ ସମ୍ପର୍କ ଥିଲା। ଗତ ଫେବ୍ରୁଆରି ମାସରେ ଝିଅଟି ଏକ ପ୍ରେଗ୍ନାନ୍ସି କିଟ୍ ଆଣି ନିଜେ ନିଜେ ପରୀକ୍ଷା କରି ଗର୍ଭବତୀ ଥିବା ଜାଣିପାରିଥିଲା। ଏଣୁ ବାଳିକାଟି ଆଦୌ ନିରୀହ ନୁହେଁ ଏବଂ ତା’ର ବୁଝିବା ବୟସ ହୋଇଯାଇଛି। ଗର୍ଭ ରହିଛି ବୋଲି ଜାଣିବା ପରେପରେ ସେ ଗର୍ଭପାତ ପାଇଁ ଅନୁମତି ଲୋଡ଼ିବା ଦରକାର ଥିଲା ବୋଲି କୋର୍ଟ କହିଥିଲେ। ମେଡ଼ିକାଲ ଆଇନ ଅନୁସାରେ ୨୦ ସପ୍ତାହ ପରେ ଯଦି ଏହା ମାଆ ବା ଶିଶୁ ବା ଉଭୟଙ୍କ ଜୀବନ ବା ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥାଏ ତେବେ ଗର୍ଭପାତ ପାଇଁ କୋର୍ଟଙ୍କ ଅନୁମତି ଦରକାର। ଆବେଦନରେ ଦର୍ଶାଯାଇଥିଲା ଯେ ଝିଅଟି ପାଠପଢ଼ି ଡାକ୍ତର ହେବାକୁ ଚାହୁଥିବାରୁ ଉକ୍ତ ଅବାଞ୍ଛିତ ଗର୍ଭଧାରଣ ତା’ର ମାନସିକ ସ୍ବାସ୍ଥ୍ୟକୁ ନଷ୍ଟ କରିପାରେ।

ରାୟ ଦେବା ପୂର୍ବରୁ କୋର୍ଟ ଏକ ମେଡିକାଲ ବୋର୍ଡ ଦ୍ବାରା ଝିଅର ଡାକ୍ତରୀ ପରୀକ୍ଷା କରାଇବା ପାଇଁ ଆଦେଶ ଦେଇଥିଲେ। ମେଡିକାଲ ଟିମ୍ କହିଥିଲେ, ଯଦି ଏ ଅବସ୍ଥାରେ ବଳପୂର୍ବକ ପ୍ରସବ କରାଯାଏ, ତେବେ ଅବିକଶିତ ଶିଶୁଟି ବଞ୍ଚିରହିପାରେ ମାତ୍ର ତା’ଠାରେ କିଛି ବିକୃତି ଦେଖାଯିବାର ଆଶଙ୍କା ଅଛି। ଯଦି ପିଲାଟି ସମ୍ପୂର୍ଣ୍ଣ ବିକଶିତ ହେଲା ପରେ ପ୍ରସବ କରାଯାଏ, ତେବେ ସେ ସୁସ୍ଥ ରହିବ ଏବଂ ତାକୁ ପୋଷ୍ୟ କରିନେବାର ସମ୍ଭାବନା ଉଜ୍ଜ୍ବଳ ରହିବ।