ଭୁବନେଶ୍ୱର: ଏବେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହି। ଆସନ୍ତାକାଲି ସକାଳ ଯାଏ ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ନୟାଗଡ଼ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରି ଲାଗି ରହିବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏଣେ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ପରିଲକ୍ଷିତ ହୋଇପାରେ। ଏହାଛଡ଼ା ଗଜପତି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାଧାରଣ କୁହୁଡ଼ି ପରିଲକ୍ଷିତ ହୋଇପାରେ। ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ସର୍ବାଧିକ ତାପମାତ୍ରା ଗୋପାଳପୁର ଓ ଭବାନୀପାଟଣାରେ ୨୭.୫ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଛି। ଅପରପକ୍ଷରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୫ ଡିଗ୍ରି ସେଲସିଅସ୍ ଥିବା ଜଣାଯାଇଛି।
ତେବେ ଓଡ଼ିଶାରେ ରାତିର ସ୍ବାଭାବିକ ତାପମାତ୍ରା ୪ରୁ ୫ ଡିଗ୍ରି ଓ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରି କମ୍ ରହିବ। ପୂର୍ବଭଳି ଥଣ୍ତା ଅନୁଭୂତ ହେବ ନାହିଁ। ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ବର୍ଷ ଶେଷ ଆଡ଼କୁ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ଶୀତ ଲହରି ହେବାକୁ ଥିବାରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଯଦିଓ ଶୀତ ସହନୀୟ ରହିବ ତଥାପି ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କଠାରେ ଥଣ୍ଡା-ଜ୍ବର, କାଶ, ନାକରୁ ପାଣି ବାହାରିବା, ଛିଙ୍କ ହେବାର ସମ୍ଭାବନା ରହିଛି। ରାତି ତଥା ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରୁହନ୍ତୁ। ଶୀତରୁ ରକ୍ଷା ପାଇଁ ଶୀତ ବସ୍ତ୍ର ସହ ଏକାଧିକ ପୋଷାକ ପରିଧାନ କରନ୍ତୁ। ଗୃହ-ପାଳିତ ପଶୁମାନେ ବହୁ ସମୟ ଧରି ଶୀତ ସଂସ୍ପର୍ଶରେ ଆସିଲେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ସେମାନଙ୍କର ରହିବା ପାଇଁ ଖୋଲା ସ୍ଥାନ ପରିବର୍ତେ ଆବଶ୍ୟକୀୟ ଘରର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।