ଡ୍ରେନ୍‌ ତାଡ଼ିଦେଲା ଠିକାସଂସ୍ଥା, ୬୦ ପରିବାର ନୟାନ୍ତ

ଭୁବନେଶ୍ବର: ବିକଳ୍ପ ବ୍ୟବସ୍ଥା ନ କରି ଡ୍ରେନ୍‌ ଭାଙ୍ଗିଦେଲା ଠିକାଦାର। ଫଳରେ ଆପାର୍ଟମେଣ୍ଟର ସବୁତକ ମଇଳା ଏବେ ବେସମେଣ୍ଟରେ ଜମି ରହୁଛି। ଅସରାଏ ବର୍ଷା ହୋଇଗଲେ, ପରିସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ମଇଳା ପାଣି ସହ ବର୍ଷାଜଳ ମିଶି ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଆପାର୍ଟମେଣ୍ଟ ଅଧଫୁଟ୍‌ର ପାଣି ଲହଡ଼ି ମାରୁଛି। ବାହାରକୁ ବାହାରିବା ବଡ଼ ମୁସ୍କିଲ ହୋଇଯାଉଛି। ଠିକାଦାରର ଭୁଲ୍‌ ଯୋଗୁଁ ୮ ମାସ ହେଲା ଏମିତି ଯନ୍ତ୍ରଣା ଭୋଗୁଛନ୍ତି ପୁରୀ କେନାଲ କଡ଼ରେ ଥିବା ସିଦ୍ଧିସାଇ ଇମ୍ପେରିଆ ଆପାର୍ଟମେଣ୍ଟର ୬୦ରୁ ଊର୍ଦ୍ଧ୍ବ ପରିବାର ଏବଂ ସେଠାକାର ସ୍ଥାନୀୟ ବାସିନ୍ଦା।

ସୂଚନାଯୋଗ୍ୟ, ଜାତୀୟ ରାଜପଥରୁ ବାଲିଅନ୍ତା ଯାଇଥିବା ପୁରୀ କେନାଲ ରାସ୍ତାର ପ୍ରଶସ୍ତୀକରଣ କାମ କରାଯାଉଛି। ବାଟରେ ସିଦ୍ଧିସାଇ ଇମ୍ପେରିଆ ଆପାର୍ଟମେଣ୍ଟର ଡ୍ରେନ୍‌ ଥିବା ବେଳେ କୌଣସି ବିକଳ୍ପ ବ୍ୟବସ୍ଥା ନ କରି ଠିକା ସଂସ୍ଥା ତାହାକୁ ଭାଙ୍ଗିଦେଲା। ଫଳରେ ଆପାର୍ଟମେଣ୍ଟ ବାସିନ୍ଦା ଓ ସ୍ଥାନୀୟ ଲୋକ‌ ଏବେ ନାକରେ କାନ୍ଦୁଛନ୍ତି। ଡ୍ରେନ୍‌ ପାଣି ନିଷ୍କାସନ ହୋଇନପାରି ବେସମେଣ୍ଟରେ ଜମି ରହୁଛି। ବର୍ଷା ହେଲେ ବଡ଼ କଦର୍ଯ୍ୟ ସ୍ଥିତି ହୋଇଯାଉଛି। ଅପରପକ୍ଷେ ଏହି କାମ ଅତି ମନ୍ଥର ଗତିରେ ଚାଲୁଥିବାରୁ ଆପାର୍ଟମେଣ୍ଟବାସୀଙ୍କ ଧୈର୍ଯ୍ୟଚ୍ୟୁତି ହେବାରେ ଲାଗିଲାଣି।

ଏ ସଂପର୍କରେ ସେମାନେ ସ୍ଥାନୀୟ ବିଧାୟକଙ୍କୁ ଗୁହାରି କରିଥିଲେ। ବିଧାୟକ ଠିକାସଂସ୍ଥାକୁ ତାଗିଦ୍‌ କରି ସମସ୍ୟାର ସମାଧାନ କରିବାକୁ କହିଥିଲେ। କିନ୍ତୁ ଏହା ପରେ ବି ସମସ୍ୟାର ସମାଧାନ ହେଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଲାଣି। ଶୀଘ୍ର ସମାଧାନ ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ଆପାର୍ଟମେଣ୍ଟ ବାସିନ୍ଦା ରାସ୍ତାକୁ ଓହ୍ଲାଇବେ ବୋଲି ଆପାର୍ଟମେଣ୍ଟର କମିଟି ଚେତାବନୀ ଦେଇଛି। ଆପାର୍ଟମେଣ୍ଟର ବିଭୂତି ବେହେରା, ଜଗତ ପ୍ରକାଶ ବାସା, ସୁଧୀର ଦାସ, ସୁଧାଂଶୁ ମିଶ୍ର, ସରୋଜ ଦାଶ, ଦେବଜ୍ୟୋତି ବାସା, ‌ଜେକେ ପାଣି, ଚିତ୍ତରଂଜନ କର, ପ୍ରଦୀପ୍ତ ଶତପଥୀ ପ୍ରମୁଖ ସ୍ଥାନୀୟ ପ୍ରଶାସନକୁ ଦାବିପତ୍ର ଦେବା ସହ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର