ଲଣ୍ଡନ: ଇଂଲିସ୍ କାଉଣ୍ଟିର ଏକ ଗୋଷ୍ଠୀ ସ୍ଥଗିତ ରହିଥିବା ଚଳିତ ବର୍ଷର ଅବଶିଷ୍ଟ ଆଇପିଏଲ୍କୁ ଆୟୋଜନ କରିବାକୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି)କୁ ପ୍ରସ୍ତାବ ଦେଇଛନ୍ତି। କାଉଣ୍ଟି ଗୋଷ୍ଠୀର ଏମ୍ସିସି, ସରେ, ୱାରୱିକ୍ସାୟାର ଏବଂ ଲାଙ୍କାସାୟାର ଚଳିତ ବର୍ଷ ସେପ୍ଟେମ୍ବରରେ ଆଇପିଏଲ୍କୁ ଆୟୋଜନ କରିପାରିବେ ବୋଲି କହିଛନ୍ତି। ଏହି ୪ କାଉଣ୍ଟି ଯଥାକ୍ରମେ ଲର୍ଡସ ଓ ଦ କିଆ ଓଭାଲ (ଉଭୟ ଲଣ୍ଡନ), ଏଜ୍ବାଷ୍ଟନ (ବର୍ମିଙ୍ଗ୍ହାମ୍) ଏବଂ ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡ (ମାଞ୍ଚେଷ୍ଟର)ରେ ଆଇପିଏଲ୍ ମ୍ୟାଚ୍ଗୁଡ଼ିକ ଆୟୋଜନ କରିବା ନେଇ ଇସିବିକୁ ଚିଠି ଲେଖିଛନ୍ତି। ଏଥିସହିତ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ)କୁ ସହାୟତାର ସୁଯୋଗ ଦେବାକୁ ଇସିବିକୁ କହିଛନ୍ତି।
ଅବଶିଷ୍ଟ ଆଇପିଏଲ୍କୁ ସେପ୍ଟେମ୍ବର ଅଧାରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଶେଷ କରିବାକୁ ଯୋଜନା ମଧ୍ୟ କରିଛନ୍ତି। ଯଦି କାଉଣ୍ଟିଙ୍କ ପ୍ରସ୍ତାବରେ ବିସିସିଆଇ ରାଜି ହୁଏ, ତେବେ ମ୍ୟାଚ୍ଗୁଡ଼ିକ ଖଚାଖଚ ଦର୍ଶକଙ୍କ ଗହଣରେ ଖେଳାଯାଇପାରିବ। ଦୈନିକ ୨ କିମ୍ବା ଆବଶ୍ୟକ ପଡ଼ିଲେ ଦୈନିକ ୩ ମ୍ୟାଚ୍ ଖେଳାଯାଇ ଦୁଇ ସପ୍ତାହ ମଧ୍ୟରେ ପ୍ରତିଯୋଗିତା ଶେଷ କରାଯାଇପାରିବ। ଏପରିକି ଗ୍ରୁପ୍ ପର୍ଯ୍ୟାୟ ଏବଂ ନକ୍ଆଉଟ୍ ମ୍ୟାଚ୍ଗୁଡ଼ିକ ମଧ୍ୟରେ କୌଣସି ବିରତି ଦିବସ ରଖାଯିବନି ବୋଲି ପ୍ରସ୍ତାବରେ ଦର୍ଶାଯାଇଛି। ତେବେ କାଉଣ୍ଟିମାନଙ୍କ ପ୍ରସ୍ତାବ ଏକ ଭର୍ଚୁଆଲ ଆଇସିସି ବୈଠକର ନିଷ୍ପତ୍ତି ଉପରେ ନିର୍ଭର କରିବ ବୋଲି ଜଣାପଡ଼ିଛି।