ବଦଳୁଛି ଶାସନ ବ୍ୟବସ୍ଥା; ଗଣତନ୍ତ୍ର ଏବେ ଅମଲାତନ୍ତ୍ର

ସ୍ମୃତି ସଭାରେ ରବି ନାରାୟଣ ଦାସ ଓ ବିଷ୍ଣୁଚରଣ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଶାସନ ବ୍ୟବସ୍ଥା ବଦଳିବାରେ ଲାଗିଛି। ରାଜତନ୍ତ୍ର ପରେ ଆସିଲା ଗଣତନ୍ତ୍ର। ଗଣତନ୍ତ୍ରର ମୁଖ୍ୟ ଥିଲା ରାଜନୈତିକ ଦଳ। ଦଳତନ୍ତ୍ର ପରେ ଏବେ ଆସିଛି ଅମଲାତନ୍ତ୍ର। ସମୟ ଅନୁସାରେ ଏଭଳି ବିବର୍ତ୍ତନ ଚାଲିଛି। ଆଗକୁ କ’ଣ ହେବ, ସେ ସମ୍ପର୍କରେ ଚିନ୍ତା କରିବାର ସମୟ ଉପନୀତ ହୋଇଛି। ଆଗାମୀ ପିଢ଼ି ଏଥିପାଇଁ କିଭଳି ପ୍ରସ୍ତୁତ ହୋଇରହିବେ, ସେ ସମ୍ପର୍କରେ ତର୍ଜମା କରିବା ବେଳ ଆସିଛି।

ଏଥିପାଇଁ ପୂର୍ବତନ ମୁଖ୍ୟ ଶାସନ ସଚିବ ସ୍ବର୍ଗତ ରବି ନାରାୟଣ ଦାସ ଓ ବିଶିଷ୍ଟ ଲେଖକ ସ୍ବର୍ଗତ ପ୍ରଫେସର ବିଷ୍ଣୁ ଚରଣ ରାଉତଙ୍କ ଜୀବନୀ ପଢ଼ିବା ଉଚିତ। ଯୁବପିଢ଼ି ଏହି ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀରୁ କିଛି ଆହରଣ କରିପାରିଲେ, ତାହା ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଆଜି ଓଡ଼ିଶା ନାଗରିକ ସମାଜ ପକ୍ଷରୁ ସ୍ବର୍ଗତ ରବି ନାରାୟଣ ଦାସ ଓ ବିଷ୍ଣୁ ଚରଣ ରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ମତ ଦେଇଛନ୍ତି।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ପୁଣି କହିଥିଲେ ଯେ ମୁଖ୍ୟ ଶାସନ ସଚିବ ଥିବା ସମୟରେ ସ୍ବର୍ଗତ ଦାସ ନିର୍ବାଚନ ପରିଚାଳନାକୁ ଯେମିତି ଦେଖୁଥିଲେ, ଏବେ ତାହା ନାହିଁ। ଆଜିକାଲି ବିଡିଓମାନଙ୍କର ଦାୟିତ୍ବ ହେଲା କ୍ଷମତାସୀନ ଦଳର ନେତାଙ୍କୁ ଜିତାଇବା। ନଚେତ୍‌ ସେମାନଙ୍କୁ ବଦଳି ହେବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ସେହିଭଳି ଲୋକସେବା ଭବନରେ ଭଲ ପୋଷ୍ଟିଂ ପାଇଁ ଇଛୁକ ଜିଲ୍ଲାପାଳମାନେ କାମ କରୁଥିବା ଜିଲ୍ଲାରେ ଶାସକ ଦଳର ବିଜୟ ପାଇଁ ଅଧିକରୁ ଅଧିକ ଜନ ସମର୍ଥନ ଯୋଗାଡ଼ କରିବା କାମ କରୁଛନ୍ତି।

ପୁସ୍ତକ ‘ପାର୍ଟି ଇଜ୍‌ ଦି କିଙ୍ଗ’ର ମର୍ମକୁ ବୁଝାଇବାକୁ ଯାଇ ସେ କହିଲେ ଯେ ରାଜତନ୍ତ୍ର ପରେ ନୂଆ ରାଜା ଭାବେ ଗଣତନ୍ତ୍ର ଆସିଲା। ଗଣତନ୍ତ୍ରରେ ନୂଆର ରାଜା ହେଲା ରାଜନୈତିକ ଦଳ। ଦଳ ନ ଚାହିଲେ ଟିକଟ ମିଳିବ ନାହିଁ, ଚିହ୍ନ ନଥିବ, ଅର୍ଥ ମିଳିବ ନାହିଁ ଓ ସ୍ବାଧୀନ ଭାବେ ଜିତିବାର ସମ୍ଭାବନା ଅପେକ୍ଷାକୃତ କମ୍‌ ରହିବ। ବିଭିନ୍ନ ଦଳରେ ଗଣତନ୍ତ୍ରର ଅଭାବ ବୋଲି ସେତେବେଳେ ରାଜନୀତି ଅଧ୍ୟାପକମାନେ କହୁଥିଲେ। ୨୦/୩୦ ବର୍ଷ ପୂର୍ବେ ପ୍ରଫେସରମାନେ କିଛି ଭୁଲ୍‌ କହିନଥିଲେ। ବର୍ତ୍ତମାନ ଦଳର ରାଜୁତି ସରିବାକୁ ବସିଲାଣି।

ଏବେ ଅମଲାତନ୍ତ୍ର ରାଜୁତି କରୁଛି।‌ ରାଜତନ୍ତ୍ରକୁ ଦୂରେଇ ଗଣତନ୍ତ୍ରର ମଜା ମିଳିଲା, ଗଣତନ୍ତ୍ରର ମଜା କିଛି ପରିମାଣରେ ଦଳତନ୍ତ୍ରରେ ମିଳିଲା, ଏବେ ଦଳତନ୍ତ୍ର ବଦଳରେ ଅମଲାତନ୍ତ୍ର। ଏହାକୁ ଯେଉଁମାନେ ଗ୍ରହଣ କରି ନେଉଛନ୍ତି, ସେମାନେ ସମସ୍ତ ସୁବିଧା ସୁଯୋଗ ପାଉଛନ୍ତି। ହେଲେ ଗଣତନ୍ତ୍ର ଗଲା କୁଆଡ଼େ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଆଜିକାଲି ସ୍କୁଲ୍‌ ଗୁଡ଼ିକ ସ୍ମାର୍ଟ ସ୍କୁଲ୍‌ରେ ରୂପାନ୍ତରିତ ହେଉଛି। ସେହିଭଳି ଆମ ଗଣତନ୍ତ୍ର ନୂଆ ଅମଲାତନ୍ତ୍ର କୈନ୍ଦ୍ରିକ ଶାସନରେ ପରିଣତ ହେଲାଣି ବୋଲି ସେ କହିଥିଲେ।

ଅନୁଷ୍ଠାନର ସଭାପତି ତଥା ପୂର୍ବତନ ପୁଲିସ ମହାନିର୍ଦେଶକ ଶରତ ଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। କଲେଜ ପାଠପଢ଼ା ବେଳରୁ ଚାକିରି ଜୀବନ ଭିତରେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଶ୍ରୀ ମିଶ୍ର ଆଲୋକପାତ କରିଥିଲେ। ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର ସ୍ବର୍ଗତ ଦାସଙ୍କ ନିଷ୍ଠାପରତା ଉପରେ ଆଲୋଚନା କରିଥିଲେ। ତାଙ୍କ ଟେବୁ‌ଲ୍‌ରେ ଫାଇଲ୍‌ ରହୁନଥିଲା ବୋଲି ସେ କହିଥିଲେ। ପୂର୍ବତନ କେନ୍ଦ୍ର ଶିକ୍ଷା ସଚିବ ଅରୁଣ ରଥ କେନ୍ଦ୍ର ଓ ରାଜ୍ୟର ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସମ୍ପାଦକ ତଥା ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମନ୍ତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ‌ବେଳେ ସୁଚେତା ପ୍ରିୟଦର୍ଶିନୀ, ଅର୍ନ୍ତଜାତୀୟ କଣ୍ଠଶିଳ୍ପୀ ଅନନ୍ଦିତା ଦାସ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର