‘ଦି ଲାଇଫ୍ ଆଣ୍ଡ ଟାଇମ୍ସ ଅଫ୍ ବିମଳ କିଶୋର ମିଶ୍ର’ ଉନ୍ମୋଚିତ

ଭୁବନେଶ୍ବର: ପୂର୍ବତନ ପ୍ରଶାସକ ବିମଳ କିଶୋର ମିଶ୍ରଙ୍କ କର୍ମମୟ ଜୀବନ ତଥା ସମକାଳୀନ ରାଜ୍ୟ ପ୍ରଶାସନ ଓ ସମାଜର ଅନନ୍ୟ ଦସ୍ତାବିଜ୍‌ ‘ଅବିଚଳ ବିମଳ’ର ଇଂରାଜୀ ଅନୁବାଦ ‘ଦି ଲାଇଫ୍ ଆଣ୍ଡ ଟାଇମ୍ସ ଅଫ୍ ବିମଳ କିଶୋର ମିଶ୍ର’ ଉନ୍ମୋଚିତ ହୋଇଯାଇଛି। ରୋଟାରି ଭବନ ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ମିଶ୍ର ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ସାହିତ୍ୟ ସଂଗଠନ ‘ଅନୁବାଦ ସାହିତ୍ୟ ପରିଷଦ’ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ପରିଷଦର ଟ୍ରଷ୍ଟି ତଥା ସାହିତ୍ୟିକ ଗବେଷକ ଅସିତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ମୂଳ ଓଡ଼ିଆ ପୁସ୍ତକର ଲେଖକ ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ର ଓ ପରିଷଦର ଉପସଭାପତି ସୋମେଶ ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ।

ସଂଗଠନର ସମ୍ପାଦକ ତାପସ ରଞ୍ଜନ ତ୍ରିପାଠୀ ସ୍ବାଗତ ଭାଷଣ ଓ ଆରତୀ କର ଅତିଥି ପରିଚୟ ଦେଇଥିଲେ। ପୁସ୍ତକର ଇଂରାଜୀ ଅନୁବାଦକ ରବିନାରାୟଣ ପଟ୍ଟନାୟକ ଓ ସମ୍ପାଦକ ମନୋରଞ୍ଜନ ହୋତା ସେମାନଙ୍କ ମତ ଉପସ୍ଥାପନ କରିଥିଲେ। ଗାଳ୍ପିକ ପ୍ରଦୋଷ ମିଶ୍ର ପୁସ୍ତକର ସାରାଂଶ ଆଧାରରେ ବକ୍ତବ୍ୟ ରଖିଥିଲେ। ଅନେକ ପ୍ରଶାସକ, ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କ ସହାୟତା ଯୋଗୁଁ କିପରି ପୁସ୍ତକର ସଂକଳନ ସମ୍ଭବ ହୋଇପାରିଥିଲା, ଜଷ୍ଟିସ୍ ଶଶିକାନ୍ତ ମିଶ୍ର ତାହା ବର୍ଣ୍ଣନା କରିଥିଲେ। ମୁଖ୍ୟବକ୍ତା ଶ୍ରୀ ହୋତା ରାଜ୍ୟରେ ରେଳପଥର ବିକାଶ ଦିଗରେ ବିମଳ ମିଶ୍ରଙ୍କ ଅବଦାନକୁ ସ୍ମରଣ କରିଥିଲେ। ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଶାସକ ତଥା ତତ୍କାଳୀନ ସହକର୍ମୀ ପ୍ରସନ୍ନ କୁମାର ମିଶ୍ର ବିମଳ ମିଶ୍ରଙ୍କ ପ୍ରାଶାସନିକ ବିଚକ୍ଷଣତା ଓ ସାଧୁତା ସମ୍ପର୍କରେ ବିଭିନ୍ନ ଦୃଷ୍ଟାନ୍ତ ଦେଇଥିଲେ।

ସମ୍ବନ୍ଧିତ ଖବର