କୋରବା: ଛତିଶଗଡ଼ର କୋରବା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଫେସ୍‌ବୁକରେ ବନ୍ଧୁତା କରିବା ପରେ ସାଉଦି ଆରବରୁ ଜଣେ ଯୁବକଙ୍କୁ ଭାରତ ଡକାଇ ନାବାଳିକା ପ୍ରେମିକା ଓ ତା’ର ଲିଭ୍‌-ଇନ୍‌ ପାର୍ଟନର ତାଙ୍କୁ ଗଳା କାଟି ହତ୍ୟା କରିଛନ୍ତି ଏବଂ ମୃତଦେହକୁ ୧୭ ଖଣ୍ଡ କରି ବ୍ୟାଗ୍ ଓ ବସ୍ତାରେ ଭର୍ତ୍ତି କରି ଡ୍ୟାମ୍‌ରେ ଫିଙ୍ଗି ଦେଇଛନ୍ତି। ପାଲି ଥାନା ଅଞ୍ଚଳର ଚୌତମା ଫାଣ୍ଡି ଅଧୀନରେ ଏହି ବୀଭତ୍ସ ହତ୍ୟା ଘଟିଥିବା ବେଳେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡ ପରେ ନାବାଳିକା ଓ ତା’ର ପାର୍ଟନର୍‌ ଓଡ଼ିଶାକୁ ଫେରାର ହୋଇଯାଇଥିଲେ। ଜୁଲାଇ ୯ ତାରିଖ ରାତିରେ ଏହି ଘଟଣା ଘଟିଥିବା ବେଳେ ୧୧ ତାରିଖରେ ପୁଲିସ ମୃତଦେହ ଜବତ କରିଥିଲା।

Advertisment

ଝାଡ଼ଖଣ୍ଡର ରାଞ୍ଚିରେ ରହୁଥିବା ୨୬ ବର୍ଷୀୟ ମହମ୍ମଦ ୱାସିମ ଗତ ଦୁଇ ବର୍ଷ ହେବ ସାଉଦି ଆରବର ଏକ ଘରୋଇ କମ୍ପାନିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ଗତ ୧ ତାରିଖରେ ସେ ସାଉଦି ଆରବରୁ ବିମାନ ଯୋଗେ ଦିଲ୍ଲୀ ଓ ପରେ ରାଞ୍ଚିରେ ପହଞ୍ଚିଥିଲେ। କିନ୍ତୁ ଘରକୁ ଯିବା ପରିବର୍ତ୍ତେ ରାତିରେ ଟ୍ରେନ୍ ଧରି ରାଞ୍ଚିରୁ ଛତିଶଗଡ଼ର ବିଳାସପୁରରେ ପହଞ୍ଚିଥିଲେ। ତାଙ୍କ ନାବାଳିକା ପ୍ରେମିକା ତାଙ୍କୁ ବିଳାସପୁର ରେଳ ଷ୍ଟେସନକୁ ନେବାକୁ ଆସିଥିଲେ। ମହମ୍ମଦ ୱାସିମ ବିଳାସପୁରରୁ ଚୈତମା ଅଭିମୁଖେ ଏକ ଟ୍ୟାକ୍ସି ନେଇଥିଲେ, ଯେଉଁଠାରେ ଜୁଲାଇ ୨ ତାରିଖ ରାତିରେ ତାଙ୍କ ନାବାଳିକା ପ୍ରେମିକା ଏବଂ ରାଜା ଖାନ୍ ତାଙ୍କୁ ନିର୍ମମ ଭାବେ ହତ୍ୟା କରି ମୃତଦେହକୁ ଖଣ୍ଡଖଣ୍ଡ କରି ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଗୋପାଳପୁର ଡ୍ୟାମ୍‌ରୁ ଏକ ବସ୍ତାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ପରେ ମାମଲାର ଫର୍ଦାଫାସ ହୋଇଥିଲା । କୋରବା ଏସ୍‌ପି ସିଦ୍ଧାର୍ଥ ତିୱାରୀ କହିଛନ୍ତି ଯେ ଅଭିଯୁକ୍ତମାନେ ଜେରା ବେଳେ ସେମାନଙ୍କ ଅପରାଧ ସ୍ୱୀକାର କରିଛନ୍ତି। ସେମାନଙ୍କ ଠାରୁ ମୋବାଇଲ ଫୋନ୍ ଓ ୩ ଲକ୍ଷ ଟଙ୍କା ଜବତ କରାଯାଇଛି।

ଅଭିଯୁକ୍ତମାନେ କହିଛନ୍ତି ଯେ ସେମାନେ ମହମ୍ମଦ ୱାସିମ ଅନସାରୀଙ୍କୁ ସାଉଦି ଆରବରୁ କୌଶଳକ୍ରମେ ବିଳାସପୁର ଡକାଇଥିଲେ। ନାବାଳିକା ୱାସିମଙ୍କୁ ଏକ ଭଡ଼ା ବୋଲେରୋରେ ଏକ ଘରକୁ ଆଣିଥିଲେ, ଯେଉଁଠାରେ ତାଙ୍କ ପ୍ରେମିକ ରାଜା ଖାନ୍ ପୂର୍ବରୁ ଉପସ୍ଥିତ ଥିଲେ। ଦୁହେଁ ୱାସିମଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଚେନ୍ ଓ ମୋବାଇଲ୍ ଛଡ଼ାଇ ନେଇଥିଲେ ଏବଂ ମୋବାଇଲ ପାସୱାର୍ଡ ଜାଣିବା ପରେ ସେମାନଙ୍କ ଆକାଉଣ୍ଟକୁ ୩ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ଏହାପରେ ସେମାନେ ୱାସିମଙ୍କୁ ହତ୍ୟା କରିବା ସହ ମୃତଦେହକୁ ଖଣ୍ଡ ଖଣ୍ଡ କରି ବସ୍ତାରେ ଭର୍ତ୍ତି କରିଥିଲେ ଏବଂ ଡ୍ୟାମ୍‌ରେ ଫିଙ୍ଗି ଦେଇଥିଲେ।