ନୂଆଦିଲ୍ଲୀ ଗତକାଲି ଘୋଷିତ ତାଲିବାନର ନୂଆ ସରକାରକୁ ପାକିସ୍ତାନ, ଚୀନ ଏବଂ ଉଜ୍ବେକିସ୍ତାନ ସ୍ବୀକୃତି ଦେଇଛନ୍ତି। କାମଚଳା ସରକାର ଗଠନକୁ ଚୀନ ପ୍ରଶଂସା କରିଛି। ଏହା ଏକ ଆବଶ୍ୟକ ପଦକ୍ଷେପ ଥିଲା ବୋଲି ଚୀନ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ୱାଙ୍ଗ ୱେନବିନ୍ ମନ୍ତବ୍ୟ ଦେଇଛନ୍ତି। ଏଥିସହିତ ପଡ଼ୋଶୀ ସମେତ ଅନ୍ୟ ଦେଶ ସହ ସେମାନେ ଭଲ ସଂପର୍କ ରଖିବେ ବୋଲି ୱେନବିନ ଆଶାବ୍ୟକ୍ତ କରିଛନ୍ତି। ଆଫଗାନିସ୍ତାନରେ ମାନବିକ ଓ ଅର୍ଥନୈତିକ ସଂକଟକୁ ଏଡ଼ାଇବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ଆଗେଇ ଆସିବା ଉଚିତ ବୋଲି ପାକିସ୍ତାନର ବିଦେଶ ମନ୍ତ୍ରୀ କହିଛନ୍ତି। ତାଲିବାନ ସରକାର ଘୋଷଣା ପରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଆଫଗାନିସ୍ତାନର ପଡ଼ୋଶୀ ଦେଶମାନଙ୍କର ପ୍ରଥମ ମନ୍ତ୍ରୀସ୍ତରୀୟ ବୈଠକ କରିଛନ୍ତି।
କ୍ୟୁରେସିଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଚୀନ, ଇରାନ, ତାଜିକସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବିଦେଶ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ଜର୍ମାନୀ ପକ୍ଷରୁ କୁହାଯାଇଛି ଅନ୍ୟ ଗୋଷ୍ଠୀମାନଙ୍କୁ ନିଆ ନଯାଇ ନୂଆ ସରକାର ଗଠନ କରିବା ଏବଂ ପ୍ରତିବାଦକାରୀଙ୍କ ବିରୋଧରେ ହିଂସା ଆଚରଣ କରିବା ଆଶାବାଦ ଆଣିବାର ସଂକେତ ନୁହେଁ। ଜର୍ମାନୀର ଅର୍ଥମନ୍ତ୍ରୀ ହିକୋ ମାସ୍ ବୁଧବାର ଏହା କହିଛନ୍ତି। ସରକାରରେ ସବୁ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଯେଉଁ ପ୍ରତିଶ୍ରୁତି ଓ ସୂଚନା ଦିଆଯାଇଥିଲା ତାହା ହୋଇନାହିଁ ବୋଲି ୟୁରୋପୀୟ ସଂଘ କହିଛି। ତେବେ ଭାରତ ଏବଂ ରୁଷିଆ ପକ୍ଷରୁ ଆଫଗାନିସ୍ତାନ ଏବଂ ସଂଖ୍ୟାଲଘୁମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ସ୍ଥିତି ନେଇ ଚିନ୍ତା ପ୍ରକଟ କରାଯାଇଛି।
ଖେଳରେ ଭାଗ ନେଇପାରିବେନି ମହିଳା
କାବୁଲ: ତାଲିବାନ ଶାସନ ଅମଳରେ ମହିଳାମାନେ କ୍ରିକେଟ ସମେତ ଅନ୍ୟ କୌଣସି ଖେଳରେ ଭାଗ ନେଇପାରିବେ ନାହିଁ। ତାଲିବାନର ସାଂସ୍କୃତିକ କମିସନର ଉପମୁଖ୍ୟ ଅହମଦୁଲ୍ଲା ୱାସିକ୍ କହିଛନ୍ତି। ମହିଳାଙ୍କ ପାଇଁ ଖେଳ ଜରୁରୀ ନୁହେିଁ। ମହିଳାମାନେ ଖେଳରେ ଭାଗନେଲେ ସେମାନଙ୍କର ଶରୀର ପ୍ରଦର୍ଶିତ ହୋଇଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ତେବେ ତାଲିବାନମାନେ ଦେଶର ଲୋକଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ଏଥିପାଇଁ ସେମାନଙ୍କୁ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବାକୁ ହେବ ଏବଂ କେଉଁଠି ବିକ୍ଷୋଭ କରିବେ ତାହା ଜଣାଇବାକୁ ପଡ଼ିବ। ବର୍ତ୍ତମାନ ଯେଉଁଭଳି ପ୍ରତିବାଦ କରାଯାଉଛି ତାହା କରିବାକୁ ଦିଆଯିବ ନାହିଁ। ନେତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ତାଲିବାନ ପ୍ରବକ୍ତା ସୁହେଲ ସାହିନ କହିଛନ୍ତି।