ଭଦ୍ରକ: ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ କେନ୍ଦ୍ର ସରକାର ଗ୍ରାମ୍ୟ ଜଳ ଯୋଗାଣ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟରେ ହଜାର ହଜାର କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ହେଲେ ବିଭିନ୍ନ ସ୍ଥାନରେ ଲୋକମାନେ ଏହାର ସୁଫଳ ପାଇବାରୁ ବଂଚିତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତରେ ସେହିପରି ଘଟଣା ଦେଖିବାକୁ ମିଳିଛି। ପଞ୍ଚାୟତର ସରମରା ବରଡ଼ିହ ସାହି ପଡ଼ିଆରେ ୫ ବର୍ଷ ତଳେ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଯାହା ପାଇଁ ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା।
ତେବେ ଏଯାଏ ଲୋକମାନେ ଏହି ପ୍ରକଳ୍ପର ଲାଭ ପାଇଲେ ନାହିଁ। ପ୍ରକଳ୍ପଟି ଅଧାପନ୍ତରିଆ ହୋଇ ପଡ଼ିରହିଛି। କେଉଁ ସାହିକୁ ପାଇପ୍ ସଂଯୋଗ ହୋଇଛି ତ କେଉଁ ସାହିକୁ ପାଇପ୍ ସଂଯୋଗ ହୋଇ ନାହିଁ। ଲୋକଙ୍କ ଘର ପାଖରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଥିଲେ ମଧ୍ୟ ଟେପ୍ ଲାଗିନି। କେଉଁଠି ପାଇପ୍ ଫାଟି ରାସ୍ତା ଉପରେ ପାଣି ବୋହୁଛି। ଏପରି ସମୟରେ ସେଠାରେ ଥିବା ଦୁଇଟି ନଳକୂଅ ଉପରେ ଲୋକମାନେ ନିର୍ଭର କରୁଛନ୍ତି। ଖରାଦିନ ଆସିଲେ ନଳକୂଅରୁ ଭଲ ଭାବେ ପାଣି ବାହାରୁନି। ସେହିପରି ପଞ୍ଚାୟତ ଅଧୀନ ଗୋହିରା ଗ୍ରାମର ଲୋକମାନେ ମଧ୍ୟ ପାଇପ୍ ପାଣି ପାଇ ପାରି ନାହାନ୍ତି। ଏଠାରେ ଗୋଟିଏ ନଳକୂଅ ଥିବା ବେଳେ ଲୋକେ ପାଣି ପାଇଁ ନାନା ହଇରାଣ ହେଉଛନ୍ତି। ପ୍ରକଳ୍ପ ନିର୍ମାଣ କରୁଥିବା ଠିକାଦାର ମନମୁଖି କାମ କରୁଥିବାରୁ ଏପରି ସ୍ଥିତି ଉପୁଜିଛି। ତେବେ ସରମରା ପାନୀୟ ଜଳ ପ୍ରକଳ୍ପ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ପ୍ରକଳ୍ପକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ନିର୍ମାଣର ତଦନ୍ତ କରିବାକୁ ଦାବି ହୋଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଲୋକେ ଚୋତବନୀ ଦେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/38-10.jpg)