ଭୁବନେଶ୍ବର: ନଗଡ଼ା ଅପପୁଷ୍ଟି ଘଟଣାରେ ସାରା ଦେଶରେ ଓଡ଼ିଶା ନିନ୍ଦିତ ହୋଇଥିଲେ ହେଁ ଏଥିରୁ ରାଜ୍ୟ ସରକାର କିଛି ଶିଖିନାହାନ୍ତି। ନିଜ ଅପାରଗତାକୁ ଲୁଚାଇବାକୁ ରାଜ୍ୟ ସରକାର ଅଳ୍ପ କିଛି ବିକାଶ କାର୍ଯ୍ୟ କରିଛନ୍ତି ସତ କିନ୍ତୁ ନଗଡ଼ାର ବାସ୍ତବ ସମସ୍ୟା ଦୂର ହୋଇନି। କେନ୍ଦ୍ର ସରକାର ‘ଅପପୁଷ୍ଟି ମୁକ୍ତ ଭାରତ’ ଯୋଜନାରେ ଅନ୍ୟ ରାଜ୍ୟରେ ସଫଳତା ପାଉଥିଲେ ହେଁ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଓଡ଼ିଶାରୁ ଅପପୁଷ୍ଟି ହଟୁନି। ରାଜ୍ୟରୁ କୁପୋଷଣ ଦୂର କରିବା ବଦଳରେ ଶାସନ ବ୍ୟବସ୍ଥା କୁପୋଷଣର ଶିକାର ହୋଇଯାଇଛି ବୋଲି ବିଜେପି ରାଷ୍ଟ୍ରୀୟ ସମ୍ପାଦିକା ଐଶ୍ବର୍ଯ୍ୟା ବିଶ୍ବାଳ କହିଛନ୍ତି।

Advertisment

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ବିଶ୍ବାଳ କହିଛନ୍ତି ଯେ, ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଧାର୍ଯ୍ୟ ୫ଟି ବିନ୍ଦୁରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ‘ଲୋ ବର୍ଥ’ ଶିଶୁ ଜନ୍ମ କ୍ଷେତ୍ରରେ ଓଡିଶା ଦେଶରେ ଆଗରେ ଥିବାବେଳେ ୧୮.୨୫% ଶିଶୁ ଏହାର ଶିକାର। ରାଜ୍ୟରେ ରକ୍ତହୀନତାର ଶିକାର ମହିଳାଙ୍କ ସଂଖ୍ୟ ୫୦%ରୁ ବଢ଼ି ୬୪% ହେଲାଣି। ଯାହା ଅତ୍ୟନ୍ତ ଚିନ୍ତାଜନକ। ବୟସ ତୁଳନାରେ ଶିଶୁର ଉଚ୍ଚତାର ବିକାଶ ନହେବାକୁ ଷ୍ଟଟିଙ୍ଗ କୁହାଯାଏ।

ଏହି ଶିଶୁଙ୍କ ସଂଖ୍ୟା ୩୧%। ବୟସ ତୁଳନାରେ ୩୦% ଶିଶୁଙ୍କ ଓଜନ କମ୍ ଅଛି । ୧୮% ଶିଶୁମାନେ ‘ୱେଷ୍ଟିଙ୍ଗ’ ତଥା ମାଂସପେଶୀ ଅଭାବର ଶିକାର ହେଉଛନ୍ତି। ଗର୍ଭବତୀ ମହିଳାମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ମିଳୁନଥିବାରୁ ଓଡିଶାରେ ଶିଶୁ ମୃତ୍ୟୁ ହାର ପ୍ରତି ହଜାରରେ ୪୧ ଜଣ । ଏ ସମସ୍ତ ତଥ୍ୟ ରାଜ୍ୟର ପୋଷଣ ଯୋଜନାର ବିଫଳତାକୁ ପଦାରେ ପକାଉଛି।। ନିମ୍ନ ମାନର ଚାଉଳ, ଛତୁଆ ଓ ଅଣ୍ଡା ଖାଇ ରାଜ୍ୟର ଶିଶୁ ଓ ମହିଳା ଅପପୁଷ୍ଟିର ଶିକାର ହେଉଛନ୍ତି। ବିଜେଡି ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ସତ୍ୱେ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ କାହିଁକି ବିଫଳ ବୋଲି ଶ୍ରୀମତୀ ବିଶ୍ବାଳ ପ୍ରଶ୍ନ କରିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କହିଛନ୍ତି।