ଚନ୍ଦ୍ରଶେଖରପୁର: ତିନିଦିନ ଧରି କୌସ୍ତୁଭ ଗ୍ରୁପ୍‌ ଅଫ ଇନଷ୍ଟିଚ୍ୟୁସନ୍ସରେ ଚାଲିଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଜାତୀୟସ୍ତରୀୟ ପ୍ରତିଯୋଗିତା ‘ପ୍ରତିଭା ସଙ୍ଗମ’ର ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଦ୍ୟାର୍ଥୀମାନଙ୍କୁ ପ୍ରଶଂସା କରିଥିଲେ। ପ୍ରଫେସର୍‌ ଲାଲ୍‌ କହିଥିଲେ, ରାଷ୍ଟ୍ରୀୟ କଳାମଞ୍ଚ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣି ପାରିଛି। ବିଦ୍ୟାର୍ଥୀମାନେ ସମାଜର ଆଖି ହୋଇ କାମ କରନ୍ତୁ ବୋଲି ରାଜ୍ୟପାଳ ଆହ୍ବାନ ଦେଇଥିଲେ।

Advertisment

ମୁଖ୍ୟବକ୍ତା ଭାବେ ଅଖିଳ ଭାରତୀୟ ସହ ସଙ୍ଗଠନ ସମ୍ପାଦକ ଶ୍ରୀନିବାସ କହିଥିଲେ, ଭାରତୀୟ କଳାରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏହା ଏକ ଅନନ୍ୟ ମାଧ୍ୟମ। ୨୦୦୬ରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ କେବଳ ପ୍ରତିଯୋଗିତା କରାଏ ନାହିଁ, ବରଂ ଓଡ଼ିଶା ତଥା ଜାତୀୟସ୍ତରର ସ୍ବନାମଧନ୍ୟ କଳାକାରମାନଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରତିଯୋଗିତା ଏବଂ ପ୍ରଦର୍ଶନ ମାଧ୍ୟମରେ ଯୁବ ବିଦ୍ୟାର୍ଥୀ କଳାକାରମାନଙ୍କର ପ୍ରତିଭା ବିକାଶ କରାଇଥାଏ। ଅନ୍ୟ ଅତିଥିଙ୍କ ମଧ୍ୟରେ ଅଭିନେତା ଅଶ୍ରୁମୋଚନ ମହାନ୍ତି, ପ୍ରଯୋଜକ ଅକ୍ଷୟ ପରିଜା, ଅଭିନେତା ସବ୍ୟସାଚୀ ମିଶ୍ର, ସ୍ୱରାଜ ବାରିକ, ଶ୍ରୀତମ ଦାସ, ଶୀତଳ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।