ବ୍ରହ୍ମପୁର: ହାତୀପଲ ଗ୍ରହଣ ନ କରିବାରୁ ମଙ୍ଗବାର ସକାଳେ ବ୍ରହ୍ମପୁର ବନ ମଣ୍ଡଳ ଅନ୍ତର୍ଗତ ସୁରଳ ଉପକୂଳରେ ଥିବା ଏକ ଚିଙ୍ଗୁଡ଼ି ଘେରିରୁ ଉଦ୍ଧାର ହୋଇଥିବା ଛୁଆହାତୀକୁ ବନ ବିଭାଗର ଟମଣା ବିଟ୍‌ ହାଉସ୍‌ରେ ଆଶ୍ରୟ ଦିଆଯାଇଛି।

Advertisment

ଦୁଇଟି ଦନ୍ତା, ୧୨ଟି ମାଈ ଥିବା ଉକ୍ତ ହାତୀପଲଦ୍ୱାରା ଅଗ୍ରାହ୍ୟ ଅସହାୟ ଛୁଆହାତୀଟି ପୁନର୍ବାର ଜନବସତି ଆଡ଼କୁ ଚାଲିଆସିଥିଲା। ଗତ ରାତି ପ୍ରାୟ ୯ଟା ବେଳେ ସମ୍ପୃକ୍ତ ଅଞ୍ଚଳରୁ ହାତୀପଲଙ୍କୁ ଘଉଡ଼ାଇବା ପରେ ବନ ବିଭାଗର କର୍ମଚାରୀମାନେ ଛୁଆହାତୀକୁ ନେଇ ବିଟ୍‌ ହାଉସ୍‌ରେ ରଖିଛନ୍ତି।

ଛୁଆହାତୀର ଡାହାଣ ପାର୍ଶ୍ୱର ଫଡ଼ିଆ ଏବଂ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି। ଆଜି ଦିନ ୧୨ଟାରେ ପ୍ରାଣୀ ଚିକିତ୍ସକ ଆସି ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ଏହା ପରେ ରାଜ୍ୟ ବନ ବିଭାଗ ସହ ଆଲୋଚନା କରି ପଲ ଗ୍ରହଣ କରୁ ନ ଥିବା ଏହି ଅସହାୟ ଛୁଆହାତୀଟିର ସ୍ଥାୟୀ ଥଇଥାନ ବ୍ୟବସ୍ଥା କରାଯିବ। ସମ୍ଭବତଃ ଛୁଆହାତୀଟିକୁ ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଯାଇପାରେ।

publive-image

ଗତକାଲି ଠାରୁ ଛୁଆହାତୀଟି ଫରେଷ୍ଟର୍‌ ସନ୍ତୋଷ ସାହୁଙ୍କ ସହ ଖୁବ୍‌ ଆତ୍ମୀୟତା ବଢ଼ାଇଛି। ଶ୍ରୀ ସାହୁ ମଧ୍ୟ ତାକୁ ଦୁଗ୍ଧ ପିଆଇବା ଓ କଦଳୀ ଆଦି ଫଳ ଖୁଆଇବା ସହ ଆବଶ୍ୟକ ଯତ୍ନ ନେଉଛନ୍ତି। ପଲର ଦନ୍ତାହାତୀମାନେ ଘଉଡ଼ାଇବାରୁ ଅନ୍ୟ ହାତୀମାନେ ସେ ଛୁଆଟିକୁ ଗ୍ରହଣ ନ କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ କି, ଏହି ଛୁଆହାତୀ ସମେତ ଏହି ୧୫ଟିକିଆ ହାତୀପଲ ରଙ୍ଗେଇଲୁଣ୍ଡା ବ୍ଲକ୍‌ ପଞ୍ଚମା ଜଙ୍ଗଲରେ ରହି ଆଖପାଖ ଅଞ୍ଚଳରେ ଉପଦ୍ରବ କରୁଥିଲେ। ପାଖରେ ଟ୍ରେନ୍‌ ଲାଇନ୍‌ ଥିବାରୁ ଦୁର୍ଘଟଣା ଆଶଙ୍କାରେ ବନ ବିଭାଗର କର୍ମଚାରୀମାନେ ସେମାନଙ୍କୁ ସେଠାରୁ ଘଉଡ଼ାଇ ଦେବାରୁ ସେମାନେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଡୁଙ୍ଗୁରି ଜଙ୍ଗଲକୁ ପଳାଇଥିଲେ।

publive-image

ଗତ ପଅର ଦିନ ସମୁଦ୍ର କୂଳେ କୂଳେ ସେଠାରୁ ଫେରିବା ବାଟରେ ପଲଟାଯାକ ହାତୀ ଗୋଟାଏ ହ୍ରଦରେ ପଡ଼ିଯାଇଥିଲେ। କେବଳ ଛୁଆହାତୀଟିକୁ ଛାଡ଼ି ଅନ୍ୟ ସମସ୍ତ ହାତୀ ହ୍ରଦରୁ ଉଠି ପଳାଇ ଆସିଥିଲେ। ସ୍ଥାନୀୟ ଯୁବକ ଏବଂ ମତ୍ସ୍ୟଜୀବୀମାନେ ଏ କଥା ଦେଖି ଛୁଆହାତୀକୁ ଉଦ୍ଧାର କରିଥିଲେ।

ଛୁଆକୁ ଛାଡ଼ି ଆନ୍ଧ୍ରପ୍ରଦେଶ ଆଡ଼େ ମୁହାଁଇଥିବା ଉକ୍ତ ହାତୀପଲ ସମ୍ପ୍ରତି ଗଞ୍ଜାମ ଜିଲ୍ଲାର କୃଷ୍ଣନଗର ଅନ୍ତର୍ଗତ ଚିକିଟି ଜଙ୍ଗଲରେ ଅଛନ୍ତି।